ବିସ୍ଥାପିତଙ୍କୁ କଲବଲ କରୁଛି ଏମ୍‌ସିଏଲ୍‌

ନିଯୁକ୍ତି ପୁନର୍ବାସ ନ ଦେଇ ଖଣି ଖନନ, ଲଢେଇ ପାଇଁ ଲୋକେ ସଜବାଜ

ସୁନ୍ଦରଗଡ଼ : ହେମଗିରସ୍ଥ କୋଇଲାଖଣି ବିସ୍ଥାପିତଙ୍କୁ ନିଯୁକ୍ତି, ପୁନର୍ବାସ ଓ ଥଇଥାନ ସୁବିଧା ନଦେଇ ଏମ୍‌ସିଏଲ୍‌ ଖଣି ଖନନ କରିଚାଲିଛି। ଏହା ବିରୋଧରେ ୨୦୧୯ରେ ୧୪ଟି ଗାଁର ଜମିହରା ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ସୁପ୍ରିମକୋର୍ଟ ୨୦୨୧ ନଭେମ୍ବର ୧୭ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏହାମଧ୍ୟରେ ଏମ୍‌ସିଏଲ୍‌ ଟିକିଲିପଡ଼ା, ବଲିଙ୍ଗା, ଗୋପାଳପୁର, କରଲିକଛାର, ବାଙ୍ଗୁରକେଲା, ଗର୍ଜନବାହାଲ ଗାଁ ଲୋକଙ୍କୁ କ୍ଷତିପୂରଣ ଓ ଚାକିରି ଦେଇଥିଲେ ମଧ୍ୟ ଥଇଥାନ ସୁବିଧା ଦେଇନାହିଁ। ଅନ୍ୟପଟେ ତୁମଲିଆ, ଝୁପୁରୁଙ୍ଗା, ରତନସରା, କିରିପସରା ବିସ୍ଥାପିତଙ୍କୁ କୌଣସି କ୍ଷତିପୂରଣ, ଥଇଥାନ କି ପୁନର୍ବାସ ସୁବିଧା ନଦେଇ ଖଣି ଖୋଳିଚାଲିଛି। କେବଳ ସେତିକି ନୁହେଁ, ବିସ୍ଥାପିତଙ୍କ ଦାଏର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସି ନ ଥିବାବେଳେ ଏମ୍‌ସିଏଲ୍‌ ଏ ନେଇ ପୁଣି ଏକ ପିଟିସନ ଦାଏର କରିଛି। ଯାହାକୁ ନେଇ ବିସ୍ଥାପିତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆଇନଗତ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ସଜବାଜ ହେଉଥିବା ସୂଚନା ମିଳିଛି। ଏହିକ୍ରମରେ ଗୁରୁବାର ତୁମୁଲିଆରେ ଏମ୍‌ସିଏଲ୍‌ ବିସ୍ଥାପିତ ୧୪ଟି ଗାଁର ପ୍ରତିନିଧିମାନେ ଏକାଠି ହୋଇ ଏ ସମ୍ପର୍କରେ ଆଲୋଚନା କରିଥିଲେ।

ଧନେଶ୍ଵର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅଗଷ୍ଟ ୧୮ରେ ଏମ୍‌ସିଏଲ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଦାଏର ୫୦ ପୃଷ୍ଠାର ଏକ ପିଟିସନ ଉପରେ ଆଲୋଚନା ହୋଇଥିଲା। ବିସ୍ଥାପିତଙ୍କୁ ନ୍ୟାଯ୍ୟ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ପୁନର୍ବାସ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏମ୍‌ସିଏଲ୍‌ ବାରମ୍ବାର ପିଟିସନ ଦାଖଲ ପୂର୍ବକ ଏହାକୁ ବିଳମ୍ବିତ କରି ଜୋର୍ କରି ଖଣି ଖୋଳିନେବାକୁ ଚାହୁଁଥିବା ପ୍ରକାଶ ପାଇଥିଲା। ଏମ୍‌ସିଏଲ୍‌ କୋଇଲାଖଣି ଖନନ କରି ଚାଲୁଥିବାବେଳେ ବିସ୍ଥାପିତ ସମସ୍ୟା ସମାଧାନ, ପରିବେଶ ପ୍ରଦୂଷଣ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ କୌଣସି ପ୍ରକାର ଧ୍ୟାନ ଦେଉନାହିଁ। ବର୍ତ୍ତମାନ ସୁଦ୍ଧା କମ୍ପାନି କୌଣସି ଗୋଟିଏ ଗ୍ରାମକୁ ସଂପୂର୍ଣ୍ଣ ରୂପେ ଥଇଥାନ କି ପୁନର୍ବାସ କରିପାରିନାହିଁ। ଗୋଟିଏ ବି ପରିବାରକୁ ବିସ୍ଥାପିତ ସାର୍ଟିଫିକେଟ୍‌ କିମ୍ବା ପୁନର୍ବାସ ପାଇଁ ୧୦ ଡିସିମିଲ ଜମିପଟ୍ଟା ପ୍ରଦାନ କରିପାରିନାହିଁ। ବର୍ତ୍ତମାନ ୧୮ ବର୍ଷ ହେଉଥିବା ପୁଅଝିଅଙ୍କୁ ନିଯୁକ୍ତି ପ୍ରଦାନକୁ ବିରୋଧ କରିଆସୁଛି। ଜମିହରା ବ୍ୟକ୍ତି କ୍ଷତିପୂରଣ, ଥଇଥାନ ସହ ପୁନର୍ବାସ ସୁବିଧା ନ ପାଇବା ଯାଏ କମ୍ପାନି ସେମାନଙ୍କ ଜମିବାଡ଼ି, ଘରଦ୍ବାର, ରାସ୍ତାଘାଟ, ଜଙ୍ଗଲ କି ଜଙ୍ଗଲଜମି ନିଜ କବ୍‌ଜାକୁ ନେଇପାରିବ ନାହିଁ ବୋଲି ଏମ୍‌ସିଏଲ୍‌ ବିସ୍ଥାପିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ କ୍ଲେମ୍‌ କମିସନ ଜରିଆରେ ଗୋପାଳପୁର ପାର୍ଟ-୧ରେ ଏହି ଆଦେଶ ଜାରି କରିଥିଲେ। ଏପରିକି ଓଡ଼ିଶା ସରକାରଙ୍କ ଜମି ଅଧିଗ୍ରହଣ ନିୟମରେ ମଧ୍ୟ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହାସତ୍ତ୍ବେ କମ୍ପାନି ନିଜ ମନମର୍ଜିରେ କାମ କରିଆସୁଛି। କ୍ଲେମ୍ କମିସନଙ୍କ ନିର୍ଦ୍ଦେଶକୁ ନ ମାନି ବାରମ୍ବାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ମାମଲା ଦାଏର କରୁଛି।

ସେହିପରି, କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ନକରି ସର୍ବସାଧାରଣ ରାସ୍ତାକୁ ୨୫ ବର୍ଷ ହେଲା ବ୍ୟବହାର କରିଆସୁଛି। ଏ ସ୍ଥିତିରେ ରାସ୍ତା ଶୋଚନୀୟ ହୋଇପଡ଼ିଥିବାବେଳେ ଜନସାଧାରଣ ଯାତାୟତ ପାଇଁ ଦହଗଞ୍ଜ ହେଉଥିବା ଅଭିଯୋଗ ଉଠିଥିଲା। ଆଲୋଚନା ପରେ ଏକ କମିଟି ଗଠନ କରି ଆଇନଗତ ଲଢେଇ ସହ ଆବଶ୍ୟକସ୍ଥଳେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବୈଠକରେ  ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ବିସ୍ଥାପିତଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ପାଇଁ ସ୍ଥିର କରାଯାଇଥିଲା। ବୈଠକରେ ହେମଗିର ପଞ୍ଚାୟତସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ସରପଞ୍ଚ ସମୂହ ଯୋଗଦେଇ ଏମ୍‌ସିଏଲ୍‌ର ମନମାନି ବିରୋଧରେ ଲଢ଼େଇ ଏକମାତ୍ର ପନ୍ଥା ବୋଲି କହିଥିଲେ।

ସମ୍ବନ୍ଧିତ ଖବର