ଖାଲି ଦେଖିବା ପାଇଁ ସୋସିଆଲ୍‌ ମିଡିଆ ଭଲ ନୁହେଁ: ଜୁକରବର୍ଗ

ନୂଆଦିଲ୍ଲୀ: ଫେସବୁକ୍ ଜରିଆରେ ସାରା ଦୁନିଆରେ ସୋସିଆଲ୍‌ ମିଡିଆ ବିପ୍ଳବ ଆରମ୍ଭ କରିଥିବା ମାର୍କ ଜୁକରବର୍ଗ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ କିଛି ନକରି କେବଳ ସୋସିଆଲ ମିଡିଆ ଖୋଲି ବିଭିନ୍ନ ପୋଷ୍ଟ୍‌ ଦେଖିବାରେ ସମୟ କାଟୁଛନ୍ତି ସେମାନଙ୍କ ପାଇଁ ତାହା ଆଦୌଁ ଭଲ ନୁହେଁ। ଅନ୍ୟମାନଙ୍କ ସହ ଯୋଡ଼ିହେବା କିମ୍ବା ସମ୍ପର୍କ ଗଠନ କରିବା ଲାଗି ସୋସିଆଲ ମିଡିଆ ବ୍ୟବହାର କରିବା ଠିକ୍ ବୋଲି ସେ କହିଛନ୍ତି। ଲୋକମାନେ ପ୍ରଯୁକ୍ତିକୁ ବିଭିନ୍ନ କାମରେ ବ୍ୟବହାର କରନ୍ତୁ ବୋଲି ସେ ଚାହୁଛନ୍ତି। ନିଜ ପିଲାମାନଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ସେମାନଙ୍କୁ ପାଞ୍ଚ ଛଅ ବର୍ଷ ହୋଇଛି ଓ ସେମାନେ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି। ମୁଁ ଚାହୁଛି ସେମାନେ ଭିନ୍ନ କାମ ପାଇଁ ତାହାକୁ ବ୍ୟବହାର କରନ୍ତୁ। କିଭଳି କୋଡିଂ କରାଯିବ ଓ ଅନ୍ୟାନ୍ୟ ଅଭିନବ ଚିନ୍ତାଧାରା ଉପରେ କିଭଳି କାମ କରାଯାଇପାରିବ ତାହା ମୁଁ ସେମାନଙ୍କୁ ଶିଖାଉଛି ବୋଲି ସେ କହିଛନ୍ତି। ଜୁକରବର୍ଗ କହିଛନ୍ତି ଯେ ଟ୍ବିଟରକୁ ଅଧିକ ସମୟ ବ୍ୟବହାର କରିବା ଓ ତଥାପି ବ୍ୟଥିତ ନହେବା ଭାରି କଷ୍ଟକର ବିଷୟ।

ପରୋକ୍ଷରେ ସେ କହିଛନ୍ତି ଯେ ଟ୍ବିଟରକୁ ବ୍ୟବହାର କଲେ ବ୍ୟଥିତ ହେବାର ଆଶଙ୍କା ଅଧିକ। କିନ୍ତୁ ତାଙ୍କ ନିଜ ସଂସ୍ଥା ଇନଷ୍ଟାଗ୍ରାମ୍‌ରେ ଅଧିକ ସମୟ ବିତାଇଲେ ସକାରାତ୍ମକ ଚିନ୍ତାଧାରା ଆସୁଥିବା ସେ କହିଛନ୍ତି। ନିଦ ଭାଙ୍ଗିବା ପରେ ଫୋନ୍‌ ଦେଖିବା ଭଲ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ନିଜ ଅନୁଭୂତି ବର୍ଣ୍ଣନା କରି ସେ ଜଣାଇଛନ୍ତି ଯେ ସକାଳୁ ଉଠିବା ପରେ ଫୋନ୍ ଦେଖିଲେ ହଜାର ହଜାର ମେସେଜ୍ ସେଥିରେ ଆସିଥିବ ଯାହାକୁ ଦେଖିବା ପରେ ମୁଣ୍ଡବ୍ୟଥା ଭଳି ଲାଗିବ। ତାହା ଆଦୌଁ ଭଲ ନୁହେଁ। ଭଲ କଥାଗୁଡ଼ିକ ବିଷୟରେ ଗପିବା ପାଇଁ ଲୋକମାନେ ବ୍ୟକ୍ତିଗତ ଭାବେ ପରସ୍ପରକୁ ସାକ୍ଷାତ କରି କହିବା ପାଇଁ ଅପେକ୍ଷା କଲେ ଭଲ ହେବ। ପ୍ରତିଦିନ ବିଛଣା ଛାଡ଼ିବା ପରେ ଦୁନିଆରେ ଘଟୁଥିବା ସବୁ ବିଷୟ ଜାଣିବା ଭାରି ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର