ଗାଁ ରାସ୍ତା ନେଇ ବିଧାନସଭାରେ ଅସନ୍ତୋଷ: ଉଭୟ ସରକାରୀ ଓ ବିରୋଧୀ ସଭ୍ୟ ଗର୍ଜିଲେ

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ରାସ୍ତା ମରାମତି ହେଉନି, ଧାମନଗର-ଫଳପୁର ରାସ୍ତା କାମର ରିପୋର୍ଟ ମାଗିଲା ବିଭାଗ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ବର୍ଷ ବର୍ଷ ଧରି ମରାମତି ହେଉନଥିବାରୁ ସେଥିରେ ଯାତାୟତ କରିହେଉନି। ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡ଼ିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଜିଲ୍ଲାସ୍ତରୀୟ କମିଟି ସୁପାରିସ କରିଥ‌ିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଉନି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଯେଉଁ ରାସ୍ତା ନିର୍ମାଣ ହୋଇଛି ସେଗୁଡ଼ିକ ଆଦୌ ମରାମତି ହେଉନଥିବାରୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ଖାଲ ହେଲାଣି। ଗ୍ରାମାଞ୍ଚଳରେ ଥିବା ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଯୋଜନା ଅଛି ନା ନାହିଁ। ଆଜି ଏହି ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବିଧାନସଭାର ଅସନ୍ତୋଷ ଝାଡ଼ିଥିଲେ। ପ୍ରଶ୍ନକାଳରେ ବିଧାୟକ ଭୂପିନ୍ଦର ସିଂହ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲାୱାରୀ କେତେ ରାସ୍ତା ଅଛି? ଏହି ରାସ୍ତା ମରାମତି ପାଇଁ କିଲୋମିଟର ପିଛା ଗତ ତିନି ବର୍ଷରେ କ୍ର‌ମାଗତ ଭାବେ କେତେ ଅର୍ଥ ଖର୍ଚ୍ଚ ହୋଇଛି। ଏହାର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ କହିଥିଲେ, ରାଜ୍ୟରେ ୧୦୩୭୩୧.୦୧ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଛି। ଆର୍‌ଡି ରାସ୍ତାଗୁଡ଼ିକର ମରାମତି ପାଇଁ କିଲୋମିଟର ପିଛା ହାରାହାରି ୬.୭୯ଲକ୍ଷ ଟଙ୍କା ୨୦୧୯-୨୦ରେ, ୮.୩୮ଲକ୍ଷ ଟଙ୍କା ୨୦୨୦-୨୧ରେ ଏବଂ ୧୧.୬୨ଲକ୍ଷ ଲକ୍ଷ ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷରେ କ୍ରମାଗତ ଭାବେ ଖର୍ଚ୍ଚ ହୋଇଛି। ୨୦୨୧-୨୨ରେ ୧୨୫୭.୧୭ଲକ୍ଷ ଟଙ୍କା ମରାମତି ପାଇଁ ଖର୍ଚ୍ଚ ହୋଇଛି। ପ୍ରତି କିମି ପିଛା ଏତେ ଟଙ୍କା ଖର୍ଚ୍ଚ ହେଉଥିବା ଦର୍ଶାଯାଉଥିଲେ ବି କାହିଁକି ରାସ୍ତାରେ ଖାଲ ହେଉଛି ବୋଲି ବିଧାୟକମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ‌େଯ ଆର୍‌ଡି ରାସ୍ତା ମରାମତି ହେଉନି। ପଞ୍ଚାୟତସ୍ତରରେ ବହୁ ରାସ୍ତାରେ ଗାତ ହୋଇଗଲାଣି। ଆର୍‌ଡି ରାସ୍ତା ନେବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଥିଲେ ବି ରାସ୍ତା ହସ୍ତାନ୍ତର ହେଉନି। ଗତ ୫-୭ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆର୍‌ଡି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇପାରୁନି। ଯେଉଁମାନେ ମରାମତି ପାଇଁ ଟେଣ୍ଡର ପାଇକି ବି କାମ କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ। ବିଧାୟିକା କୁସୁମ ଟେଟେ ବି ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ରାସ୍ତା ବିପର୍ଯ୍ୟନ୍ତ ହୋଇପଡ଼ିଥିବା କହିବା ସହ ରାସ୍ତା ହସ୍ତାନ୍ତର ହୋଇପାରୁନଥିବା କହିଥିଲେ। ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବି ବଡ଼ଗଡ଼ ଜିଲ୍ଲାରେ ସମାନ ଅବସ୍ଥା ଥିବା ନେଇ କହିଥିଲେ।

ଉଭୟ ସରକାରୀ ଓ ବିରୋଧୀ ସଭ୍ୟ ଗର୍ଜିଲେ
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ରାସ୍ତା ମରାମତି ହେଉନି
ଧାମନଗର-ଫଳପୁର ରାସ୍ତା କାମର ରିପୋର୍ଟ ମାଗିଲା ବିଭାଗ
ବାଲି ଗାଡ଼ି ଏବଂ ଭାରୀ ଯାନ ଯୋଗୁ ରାସ୍ତା ଫାଟି ଯାଉଛି: ମନ୍ତ୍ରୀ

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ , ପୂର୍ତ୍ତ ବିଭାଗ ଓ ଆର୍‌ଡି ବିଭାଗ ଭଲ କାମ କରୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଯେଉଁ ସବୁ ରାସ୍ତା ନିର୍ମାଣ ହେଉଛି ସେଗୁଡ଼ିକ ମରାମତି ହେଉନି। ଶିଶୁପାଳଗଡ଼, ଘାଟିକିଆ, ବରୁଣେଇ, ଅରୁଗୁଳ, ତରାବୋଇରେ ରାସ୍ତାରେ ଖାଲ ହୋଇଛି। ଦାରୁଠେଙ୍ଗ ଓ ଚନ୍ଦକାକୁ ନନ୍ଦନକାନନ ଦେଇ ଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହାର ତୁରନ୍ତ ମରାମତି କରିବାକୁ ପଦକ୍ଷେପ ନିଆଯାଉ। ବି‌େଜଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଥିଲେ ଗ୍ରାମାଞ୍ଚଳ ରାସ୍ତା ଦେଇ ବହୁ ଶିଳ୍ପାଞ୍ଚଳର ଗାଡ଼ି ଯାଉଥିବାରୁ ଏହି ସବୁ ଗାଡ଼ି ଉପରୁ ଟୋଲ୍‌ ଆଦାୟ କରି ରାସ୍ତା ନିର୍ମାଣ କରାଯାଉ। ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କ ଅଞ୍ଚଳରେ ବି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇପାରୁନଥିବା କହିଥିଲେ। ବିଧାୟକ ଅମର ଶତପଥୀ କହିଥିଲେ ଯେ ପାଣି ପାଇପ୍ ଓ ବିଦ୍ୟୁତ ଯୋଗାଣ ପାଇଁ ରାସ୍ତା ଖୋଳା ଯାଉଥିଲେ ବି ତାହାକୁ ପୂର୍ବଭଳି ମରାମତି କରାଯାଉନି। ରାସ୍ତା ନିର୍ମାଣ ପାଇଁ ଯେଉଁ ଖର୍ଚ୍ଚ ଅଟକଳ ହେଉଛି ତା’ର ୧୪.୯୯% କମ୍‌ରେ ଯେଉଁ ସଂସ୍ଥା କାମ ନେଉଛି ସେ ଗୁଣାତ୍ମକ ମାନର ରାସ୍ତା ମରାମତି କରୁଛି ତ! ଯଦି ୧୪.୯୯% କମ୍‌ରେ ରାସ୍ତା ନିର୍ମାଣ ହୋଇପାରୁଛି ତେବେ ‌ଯିଏ ଏଷ୍ଟି‌େମଟ୍ କରୁଛି ତେବେ ସେ ଭୁଲ୍‌ କରୁଛି। କାମ କିପରି ଗୁଣାତ୍ମକ ମାନର ହେବ ତାହା ଯାଞ୍ଚ ହେବା ଦରକାର। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ବଲାଙ୍ଗୀର ଜିଲ୍ଲାରେ କେତେ ରାସ୍ତା ଅଛି ? କେଉଁ କେଉଁ ରାସ୍ତାରେ ଗତ ତିନି ବର୍ଷରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତା’ର ତଥ୍ୟ ଦିଆଯାଉ। ବିଧାୟକ ଅରବିନ୍ଦ ଢାଲି କହିଥିଲେ, ୧୪.୯୯% କମ୍‌ ଟେଣ୍ଡରରେ କାମ କରାନଯାଉ।

ଯେତିକି ଖର୍ଚ୍ଚ ଆକଳନ ହେଉଛି ସେତିକି‌େର କାମ ହେଉ। ଏଥିପାଇଁ ଲଟେରି କରାଯାଉ। ବିଧାୟକ ବିଷ୍ଣୁ ସେଠୀ କହିଥିଲେ ଧାମନଗର-ଫଳପୁର ରାସ୍ତାରେ ୧କୋଟି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ ହୋଇଥିଲେ ବି ସେ ରାସ୍ତା ଅବସ୍ଥା ଶୋ‌ଚନୀୟ ହୋଇପଡ଼ିଛି। ମନ୍ତ୍ରୀଙ୍କ ମାମୁଁ ଘର ଧାମନଗର ହୋଇଥିବାରୁ ମନ୍ତ୍ରୀ ନିଜେ ଏହି ରାସ୍ତା ଦେଖିକି ଆସନ୍ତୁ ବୋଲି ବିଧାୟକ କହିଥିଲେ। ଏହାସହ ଏହି ରାସ୍ତାରେ ଥିବା ଗାତ ମରାମତି ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଦେବା ବ୍ୟବସ୍ଥା କରାଯାଉ ବୋଲି କହିଥିଲେ।
ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ କହିଥିଲେ ଯେ, ଆର୍‌ଡି ରାସ୍ତାରେ ବହୁତ ଭାରୀ ଯାନ ଯାତାୟତ କରୁଛି। ବିଶେଷକରି ବାଲି ଘାଟରୁ ଯେଉଁ ସବୁ ବଡ଼ ଗାଡ଼ି ଆସୁଛି ସେଗୁଡ଼ିକ ଏହି ରାସ୍ତାରେ ଯାଉଥିବାରୁ ରାସ୍ତା ଫାଟି ଯାଉଛି। ତେଣୁ ଆର୍‌ଡି ରାସ୍ତାର ସ୍ପେସିଫିକେସନ୍‌ ବଢ଼ାଇବା ନେଇ ବିଚାର କରାଯାଉଛି। ଯେଉଁଠି ଶିଳ୍ପାଞ୍ଚଳକୁ ଗାଡ଼ି ଆର୍‌ଡି ରାସ୍ତା ଦେଇ ଯାଉଛି ସେଠାରେ ଉକ୍ତ ଗାଡ଼ିରୁ ଟୋଲ୍ ଆଦାୟ କରିବା ନେଇ ବିଚାର କରାଯିବ। ସେହିପରି ଧାମନଗର-ଫଳପୁର ରାସ୍ତାର ସ୍ଥିତି ନେଇ ବିଭାଗୀୟ ଅଧିକାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ରାସ୍ତା ଖୋଳାଯାଇଛି ସେଠାରେ ତୁରନ୍ତ ରାସ୍ତା ମରାମତି କରିବାକୁ କୁହାଯିବ। ଆଗାମୀ ଦିନରେ ସମସ୍ତ ଆର୍‌ଡି ରାସ୍ତାର ମରାମତି କରାଯିବ। ରାସ୍ତା ନିର୍ମାଣ ଓ ମରାମତି ପାଇଁ ଧାର୍ଯ୍ୟ ହେଉଥିବା ଅର୍ଥ ଠାରୁ କମ୍‌ ମୂଲ୍ୟରେ କାମ ହେବ କି ନାହିଁ ତର୍ଜମା କରାଯିବ। ବିଧାୟକମାନଙ୍କୁ ସେମାନଙ୍କ ଅଞ୍ଚଳରେ କେତେ ରାସ୍ତା ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତା’ର ତଥ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର