ଖେଳ ପଡ଼ିଆ ନିର୍ମାଣରେ ବ୍ୟାପକ ଅନିୟମିତତା, ମାଟି ସିଞ୍ଚି ଲକ୍ଷଲକ୍ଷ ଟଙ୍କା ଚଳୁ

ଦଶପଲ୍ଲା: ଖେଳ ପଡ଼ିଆ ନିର୍ମାଣ ନାଁରେ ହେଉଛି ବ୍ୟାପକ ଅନିୟମିତତା। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଂଚାୟତଗୁଡ଼ିକରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମର ଖେଳ ପଡିଆ ନିର୍ମାଣ ହେଉଥିବା ବେଳେ ଘୁଗୁଡିପଡା ପଂଚାୟତରେ ଏହି ଯୋଜନାରେ ଅନିୟମିତା ସୀମା ଟପିଯାଇଥିବା ଅଭିଯୋଗ ହେଉଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିଲିଗାଡି ଗ୍ରାମ ଖେଳପଡିଆ ସମେତ ଖଳିସାହି ସ୍କୁଲ ଖେଳ ପଡିଆ ନିର୍ମାଣରେ। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ଏହି ଖେଳ ପଡିଆ ନିର୍ମାଣରେ ନାମକୁ ମାତ୍ର ମାଟି ପକାଯିବା ସହ ୮/୧୦ ଟି ସିମେଣ୍ଟ ଚୈାକି ପକାଯାଇ ଲକ୍ଷଲକ୍ଷ ଟଙ୍କା ବିଲ୍ କରାଯାଇଛି। ଯେଉଁ କାର୍ଯ୍ୟରେ ଠିକାଦାରଙ୍କ ସମେତ ପଂଚାୟତ ଜିଆର୍‌ଏସ୍‌ଙ୍କ ସଂପୃକ୍ତି ରହିଛି। ଏହି ଦୁଇ ଖେଳ ପଡିଆ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଂଜୁର ହୋଇଛି।

ସିଲିଗାଡି ଖେଳ ପଡିଆଟି ଗତ ଅକ୍ଟୋବର ମାସ ୧୯ ତାରିଖରେ ନିର୍ମାଣ ହୋଇଛି। ହେଲେ ବଡକଥା ହେଉଛି ଏହି ଖେଳ ପଡିଆ ପାଇଁ ଶ୍ରମିକଙ୍କ ଦୈନିକ ମଜୁରି ୨୦୭ ଟଙ୍କା ରହିଥିବା ବେଳେ ଏଥିରେ କେତେ ଅଣକୁଶଳୀ ଶ୍ରମ ଦିବସ ସୃଷ୍ଟି କରାଯାଇଛି ଓ ସେହି ଶ୍ରମିକଙ୍କ ପାଇଁ କେତେ ଅଟକଳ ରହିଛି ସୂଚନା ଫଳକରେ ତା’ର କୈାଣସି ବି ତଥ୍ୟ ପ୍ରଦାନ କରାଯାଇନାହିଁ। ଯାହା ଫଳରେ ନାମକୁ ମାତ୍ର କିଛି ପରିମାଣର ମାଟି ପକାଯାଇ ଲକ୍ଷାଧିକ ଟଙ୍କା ବିଲ୍ କରାଯାଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ସେହିଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି ଖଳିସାହିସ୍ଥିତ ସ୍କୁଲ ଖେଳ ପଡିଆ ନିର୍ମାଣ କାର୍ଯ୍ୟରେ। ପୂର୍ବରୁ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୈାଣସି ଗୁରୁତ୍ବ ଦେଇନଥିବା କୁହାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର