ଜାଲ୍‌ ସାର୍ଟିଫିକେଟ ମାମଲା: ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ୪ ଜଣ ଶିକ୍ଷକ ଧରାପଡ଼ିବା ପରେ ଏମାନଙ୍କ ନାମରେ ପୁଲିସରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ଏହି ମାମଲାରେ ଗତ ସପ୍ତାହରେ ପୁଇନ୍ତଲା ବ୍ଲକ୍‌ ରଣ୍ଡା ୟୁଜି ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି। ଅନ୍ୟ ୩ ଶିକ୍ଷକ ସଇନ୍ତଳା ବ୍ଲକ୍‌ ପଣ୍ଡପତ୍ରାପାଲିର ସଂଜିତ ପାଣି ମହାନନ୍ଦ, ବଙ୍ଗୋମୁଣ୍ଡା ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ଆଲମା ଟପ୍ପୋ ଓ ବେଲପଡ଼ା ବ୍ଲକ ସୁଲେକେଲା ଧରମ ସିଂ ହାଇସ୍କୁଲର ଶିକ୍ଷକ ବିରଞ୍ଚି ପ୍ରସାଦ ନାଏକ ଫେରାର ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା ଜାଲ୍‌ ସାର୍ଟିଫିକେଟ ମାମଲା ଥିବା ଉପରୋକ୍ତ ୪ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ଦେଇଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ, ସଂପୃକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ୍‌ ଥିବା ସନ୍ଦେହ ହେବାରୁ ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଯାଞ୍ଚ ପାଇଁ କୁହାଯାଇଥିଲା। ଯାଞ୍ଚ ପରେ ଏହା ଜାଲ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ଅବଧି ପୂରିବା ପରେ ମଧ୍ୟ ସେମାନେ କୌଣସି ଉତ୍ତର ଦେଇନଥିବାରୁ ପୁଲିସରେ ଲିଖିତ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର