ଥମୁନି ଦାଦନ ଯନ୍ତ୍ରଣା: ହରିୟାଣାରୁ ଗାଁକୁ ଫେରିପାରୁନି ଦାଦନ ଶ୍ରମିକଙ୍କ ଶବ

ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଲେ ପରିବାର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ହରିୟାଣା ଯାଇଥିବା ଶ୍ରମିକଙ୍କ ମୃତ୍ୟୁ। ଅର୍ଥାଭାବରୁ ଗାଁକୁ ଫେରିପାରୁନି ମୃତଦେହ। ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଲେ ଅସହାୟ ପରିବାର। ଦାଦନ ଦୁଃଖର ଏ କାହାଣୀଟି ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ କହପାଣିରୁ। ଗାଁର ଫ୍ଲରା ସୋରେଙ୍ଗ।

ପରିବାର ଗରିବୀରେ ଉବୁଟୁବୁ। ଏସ୍ଥିତିରେ ଦାରିଦ୍ର୍ୟ ଅସହ୍ୟ ହେବାରୁ ତାଙ୍କ ପୁଅ ଜନସନ ସୋରେଙ୍ଗ ୩ ବର୍ଷ ତଳେ ଦାଦନ ଖଟିବାକୁ ହରିୟାଣା ଯାଇଥିଲେ। ସେଠାରେ ତାଙ୍କୁ ଏକ ଘରୋଇ କାମ ମିଳିଥିଲା। ତେବେ ଯାହା ଘରେ କାମ କରୁଥିଲେ ସେଠାରରେ ଗତ ୧୩ ତାରିଖରେ ଜନସନଙ୍କ ମୃତ୍ୟୁ ହୋଇଥିଲା। କେଉଁସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ସେ ସମ୍ପର୍କରେ କୌଣସି ସୂଚନା ନଥିବାବେଳେ ମୃତଦେହକୁ ଗୁରଗାଁ ପଟାଉଦି ପଟୋଲିଆ ସିଭିଲ ହସ୍ପିଟାଲରେ ରଖାଯାଇଥିବା ଖବର ମିଳିଛି।

ଏବେ ମୃତଦେହ ଗାଁକୁ ଆଣିବାକୁ ସକ୍ଷମ ନଥିବାରୁ ପରିବାର ଚିନ୍ତାିବରେ ପଡ଼ି ଯାଇଥିଲେ। ଏସ୍ଥିତିରେ ଯୁବ ଆଦିବାସୀ ନେତା ଆଲବର୍ଟ କିଣ୍ଡୋଙ୍କ ସହ ପରିବାର ଲୋକେ ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଥିଲେ। ପୁଅର ଶବକୁ ଗାଁକୁ ଆଣିବାର ବ୍ୟବସ୍ଥା କରିବାକୁ ଫ୍ଲୋରା ସୋରେଙ୍ଗ ଗୁହାରି କରିଥିଲେ। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦାଦନ ଶ୍ରମିକ ଜନସନଙ୍କ ମୃତଦେହ ଆଣିବାର ବ୍ୟବସ୍ଥା କରିବା ସହ ଅସହାୟ ପରିବାରକୁ ସହାୟତା ଯୋଗାଇବାକୁ ଆଲବର୍ଟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର