ନୂଆବର୍ଷ ଭୋଜିରେ ଫୁଟିଲା ଗୁଳି: ବଡ଼ର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା: ଫିକା ପଡ଼ିଲା ନୂଆ ବର୍ଷରେ ଭୋଜିଭାତ। ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର କ୍ଷୀରୋଧର ସିଂହ (୨୬)। ଗତକାଲି ରାତିରେ ତେତେରକେଲା ବାଲିଘାଟ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ବଡଭାଇ ଉମେଶ ସିଂହ (୩୦), ବାଲିଘାଟର ଠିକାଦାର ଭରତ ମହାତୋ ସମେତ ୪ ଜଣକୁ ଅଟକ ରଖିଛି। ଅନ୍ୟ ଜଣେ ବନ୍ଧୁକ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ଜଣାପଡ଼ିନି।

ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ନୂଆଗାଁ ବ୍ଲକ ତେତେରକେଲା ବାଲିଘାଟ ନିକଟରେ ଠିକାଦାର ଭରତ ମହାତୋ କର୍ମଚାରୀଙ୍କ ରହିବା ପାଇଁ ଘର କରିଛନ୍ତି। ସେଠାରେ ତେତେରକେଲା ବାଲିଘାଟରେ କାମ କରୁଥିବା ଗୌରାଙ୍ଗ ଗୋପ୍‌ ଓ କ୍ଷୀରୋଧର ସିଂହ ରହୁଥିଲେ। ସୋମବାର ରାତିରେ ଗୌରାଙ୍ଗ, କ୍ଷୀରୋଧର ସେହି ଘରେ ନୂଆବର୍ଷ ଭୋଜିର ଆୟୋଜନ କରିଥିଲେ। କ୍ଷୀରୋଧରଙ୍କ ବଡ଼ଭାଇ ଉମେଶ ସିଂହ (୩୦) ଓ ଅନ୍ୟ ୩ ପଡୋଶୀ ଭୋଜିରେ ସାମିଲ ହୋଇଥିଲେ। ସଂଧ୍ୟାରୁ ନାଚଗୀତ ସହ ଭୋଜିଭାତର ଆସର ଜମିଥିଲା। କୌଣସି କଥା ନେଇ ଉମେଶ ଓ ତାଙ୍କ ସାନ ଭାଇ କ୍ଷୀରୋଧରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉମେଶ ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ଗୌରାଙ୍ଗ ପକେଟ୍‌ରୁ ପିସ୍ତଲ ଆଣି କ୍ଷୀରୋଧରଙ୍କୁ ଧମକଚମକ ଦେଇଥିଲେ। ବେଶ କିଛି ସମୟ ଧରି ଦୁଇଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା। ଭୋଜିରେ ସାମିଲ ଥିବା ଅନ୍ୟମାନେ ଯେତେ ବୁଝାସୁଝା କରିଥିଲେ ହେଁ, ପରିସ୍ଥିତି ଶାନ୍ତ ପଡ଼ିନଥିଲା।

ଉମେଶ ଅତ୍ୟଧିକ ଉତ୍ତେଜିତ ହୋଇ କ୍ଷୀରୋଧରଙ୍କ ବାମଛାତିକୁ ‌ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ କ୍ଷୀରୋଧରଙ୍କ ମୃତ୍ୟୁ ହୋଇଥିଲା। ଗିରଫ ଭୟରେ ସମେସ୍ତ କ୍ଷୀରୋଧରଙ୍କ ଶବ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ଘଟଣା ଘଟିଥିଲେ ହେଁ, ନିଛାଟିଆ ସ୍ଥାନ ହୋଇଥିବାରୁ କେହି ଏହାର ସୁରାକ ପାରିନଥିଲେ। ଦେଢ଼ଘଣ୍ଟା ପରେ ଅର୍ଥାତ୍‌ ରାତି ୧୦ଟାରେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବିଶ୍ରା ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଭୋଜି ହେଉଥିବା ଘରୁ କ୍ଷୀରୋଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ପଠାଇଥିଲା। ପରେ ପୁଲିସ ଟିମ୍‌ ତେତେରକେଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବଡଭାଇ ଉମେଶ, ବାଲିଘାଟ ଠିକାଦାର ଭରତ ଓ ଅନ୍ୟ ଦୁଇଜଣଙ୍କୁ ଥାନାକୁ ଧରି ଆଣିଥିଲା। ‌ଗୌରାଙ୍ଗ ବନ୍ଧୁକ ନେଇ ଘଟଣାସ୍ଥଳରୁ ଫେରାର ହୋଇଯିବାର ସକ୍ଷମ ହୋଇଥିଲା। ତେ‌ବେ ଭୋଜିଭାତରେ ଗୌରାଙ୍ଗ ପିସ୍ତଲ କେଉଁଠୁ ଓ କାହିଁକି ଆଣିଥିଲା ତାହା ଏବେ ତଦନ୍ତର ବିଷୟ ? ‌ଗୌରାଙ୍ଗ ପାଖରେ ରଖିଥିବା ପିସ୍ତଲର ଲାଇସେନ୍ସ ଥିଲା କି ? ବାଲିଘାଟରେ ମାଫିଆଙ୍କୁ ଭୟଭୀତ କରିବାକୁ ଗୌରାଙ୍ଗ ବେଆଇନ ଭାବେ ପିସ୍ତଲ ବ୍ୟବହାର କରୁଥିଲା ବୋଲି ଅନୁମାନ କରାଯାଉଛି। ପୁଲିସ ସ୍ଥାନୀୟ ଲୋକଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର