ଫୋକସ୍‌ ଓଡ଼ିଶାର ଆଲୋଚନାଚକ୍ର: କୋଟିଆକୁ ଓଡ଼ିଶା ରାଜସ୍ବ ସୀମାଭୁକ୍ତ କରାଯାଉ

ଭୁବନେଶ୍ୱର: ରାଜ୍ୟର ସୀମାନ୍ତବର୍ତ୍ତୀ କୋଟିଆ ଗାଁ ସମୂହକୁ ରାଜ୍ୟ ସରକାର ତୁରନ୍ତ ଓଡ଼ିଶା ରାଜସ୍ବ ସୀମା ପରିସରଭୁକ୍ତ କରିବା ସହ ଏହା ଉପରେ ଆନ୍ଧ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବନ୍ଦ କରାନ୍ତୁ। ଭୁବନେଶ୍ବରସ୍ଥିତ ବ୍ରହ୍ମାନନ୍ଦ ଭବନଠାରେ ‘ଫୋକସ୍‌ ଓଡ଼ିଶା’ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଭାଗ ନେଇଥିବା ବିଶିଷ୍ଟ ଅତିଥି, ଗବେଷକ ଓ ବୁଦ୍ଧିଜୀବୀମାନେ ଏଭଳି ମତପୋଷଣ କରିଛନ୍ତି। ଗବେଷକ ଅନିଲ ଧୀର କହିଲେ ଯେ କୋଟିଆରେ ଥିବା ଏକ ପୁରୁଣା ପୋଷ୍ଟ ଅଫିସ୍‌ ଓଡ଼ିଶା ପିନ୍‌-କୋଡ୍‌ ନମ୍ବରରେ ରହିଛି। ସେଠାକାର ଲୋକ ଓଡ଼ିଆ ଭାଷାରେ କଥା ହେଉଛନ୍ତି ଓ ଓଡ଼ିଆ ସାମାଜିକ ସାଂସ୍କୃତିକ ଭାବଧାରା ସହ ସଂଶ୍ଲିଷ୍ଟ। ତେଣୁ ସେମାନଙ୍କୁ ଓଡ଼ିଶାର ବିକାଶଧାରାରେ ସାମିଲ କରିବାର ସମୟ ଆସିଛି।

କୋଟିଆ ଅଞ୍ଚଳରେ କିଛି ମୂଲ୍ୟବାନ ଖଣିଜ ପଦାର୍ଥ ଥିବାରୁ ପଡ଼ୋଶୀ ଆନ୍ଧ୍ର ସରକାର ଏଠାରେ ପ୍ରଭାବ ବିସ୍ତାର କରିବା ପାଇଁ ଏଭଳି ଚକ୍ରାନ୍ତ ଚଳାଇଛି ବୋଲି କହିଥିଲେ ସର୍ବଶ୍ରୀ ବିରଞ୍ଚି ନାରାୟଣ ଦାସ, ଆର୍ଯ୍ୟ ସମାଜ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମାଡ୍ରାସ ଓଡ଼ିଆ ସମାଜ ସହସମ୍ପାଦକ ବିଶ୍ୱଜିତ କାନୁନଗୋ, ସମାଜସେବୀ ସୁବାସ ପଣ୍ଡା, ରୋଜାଲିନ ପଟ୍ଟନାୟକ ଓ ଉଷାରାଣୀ ବେହେରା ପ୍ରମୁଖ। ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ରେରା’ର ପ୍ରଶାସନିକ ସଭ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ ଯୋଗଦେଇ ସହରଗୁଡ଼ିକରେ ଫ୍ଲାଟ୍‌ ଘର ଓ ଜମି ନେଇ ଥିବା ଆଇନକାନୁନ ବ୍ୟବସ୍ଥା ଓ ବିଲଡର୍‌ ଶୋଷଣରୁ ରକ୍ଷା ପାଇବା ପାଇଁ ସରକାରୀ ନିୟମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜ୍ୟରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଂକଟର ସ୍ଥାୟୀ ସମାଧାନ ସମ୍ପର୍କିତ ଏକ ରିପୋର୍ଟ ରାଜ୍ୟ ଉପଭୋକ୍ତା ସମିତି ସଭାପତି ରଣେଶ ଶତପଥୀ ଉପସ୍ଥାପନା କରିଥିଲେ। କବୀ ରୁନା ପଣ୍ଡା ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଭଜନ ଗାନ କରିଥିବା ବେଳେ ଡ. ବିନୟ ଭୂଷଣ ଜେନା ଆଲୋଚନାର ନିର୍ଯାସ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ କହିଥିଲେ। ସଭା ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଉଦ୍ଦେଶ୍ୟ‌‌ରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର