୧ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍: ଫୋକସ୍‌ରେ ସ୍ୱାସ୍ଥ୍ୟ, ଶିକ୍ଷା, ପାଣି

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଦିନ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ଲକ୍ଷ କୋଟି ଟଙ୍କା ରହିଛି। ୨୦୨୧-୨୨ ସଂଶୋଧିତ ବଜେଟ୍‌ ଆକଳନ ଅନୁସାରେ ଏହା ୧୭.୫% ଅଧିକ। ଅର୍ଥମନ୍ତ୍ରୀ କହିଛନ୍ତି, ଫେବ୍ରୁଆରି ଓ ମାର୍ଚ୍ଚମାସରେ ପଞ୍ଚାୟତିରାଜ ଓ ପୌର ନିର୍ବାଚନ କାରଣରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ଏଣୁ ଓଡ଼ିଶା ବିଧାନସଭାରେ ଅନୁସୃତ ବ୍ୟବସ୍ଥା ଅନୁସାରେ ବଜେଟ୍ ସଂପର୍କିତ ବୈଧାନିକ ପ୍ରକ୍ରିୟା (ବଜେଟ୍ ଉପସ୍ଥାପନ, ବିଚାର ବିମର୍ଶ, ବ୍ୟୟ ମଞ୍ଜୁରି ବିଧେୟକ) ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ପାରିତ ହେବା ସମ୍ଭବ ନଥିଲା। ଏଣୁ ବଜେଟ୍‌ ଅଧିବେଶନ ଆକାର ସଂକୁଚିତ ହୋଇଛି ଓ ସରକାର ଆଜି ଏପ୍ରିଲରୁ ଜୁଲାଇ ପ୍ରଥମ ଚାରିମାସ ପାଇଁ ୧ଲକ୍ଷ ୬ହଜାର ୪୯୮ କୋଟି ଟଙ୍କାର ଲେଖାନୁଦାନ (କାମଚଳା ବଜେଟ୍‌) ବିଧାନସଭାର ଅନୁମୋଦନ ପାଇଁ ଆଣିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ଜନିତ ଖର୍ଚ୍ଚ ପାଇଁ ଶତ ପ୍ରତିଶତ ଏବଂ ଅନ୍ୟାନ୍ୟ ଯୋଜନା ଲାଗି ହୋଇଥିବା ବ୍ୟୟ ଅଟକଳର ଏହା ୫୦%।

୨୦୨୨-୨୩ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍‌
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଲାଗି ୨୩୩୫ କୋଟି
ଜାତୀୟ ଗ୍ରାମୀଣ ଜୀବିକା ମିସନ ନିମନ୍ତେ ୧୦୩୯କୋଟି
ଶିକ୍ଷା ପାଇଁ ୨୬,୪୯୨ କୋଟି
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର ୩୪୪ କୋଟି
୨୦୨୪ ସୁଦ୍ଧା ପ୍ରତି ପରିବାରକୁ ଟ୍ୟାପ୍ ଯୋଗେ ପିଇବା ପାଣି

ଅନ୍ୟପକ୍ଷରେ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। କୌଣସି ଠୋସ୍ କାରଣ ଦର୍ଶାଇ ନଥିଲେ ହେଁ ବଜେଟ୍ ଭାଷଣ ନିରେଖି ଦେଖିଲେ ଜଣାପଡୁଛି ଯେ ଯଦିଓ ୨୦୨୧-୨୨ରେ ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଥିଲା, ସରକାର କିନ୍ତୁ ଏଥିରେ ସଂଶୋଧନ ଆଣିଛନ୍ତି। ଅର୍ଥାତ୍ ସଂଶୋଧିତ ଅଟକଳ ଅନୁଯାୟୀ ଏବର୍ଷ ସଂଗଠିତ ପାଣ୍ଠିରୁ ୧ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛି। ଏହାସତ୍ତ୍ବେ ସରକାର ଆସନ୍ତାବର୍ଷ ପାଖାପାଖି ୩୫ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବା ଲାଗି ପୁଣି ସାହସ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ମୋଟ ରାଜସ୍ବ ପ୍ରାପ୍ତି ୧ଲକ୍ଷ ୪୧ ହଜାର ୩୯୬ କୋଟି ଟଙ୍କା ଏବଂ ରାଜସ୍ବ ବ୍ୟୟ ୧ଲକ୍ଷ ୨୦ ହଜାର ୩୬୫ କୋଟି ଟଙ୍କା ହେବ। ଏଥିରୁ ବୁଝାପଡେ ଯେ ୨୦୨୧-୨୨ ସଂଶୋଧିତ ଅଟକଳରେ ୨୧ ହଜାର ୩୧ କୋଟି ଟଙ୍କା ରାଜସ୍ବ ବଳକା ହେବ। ସେହିଭଳି ବିତ୍ତୀୟ ନିଅଣ୍ଟ ୨ହଜାର ୪୫୫ କୋଟି ଟଙ୍କାରେ ସୀମିତ ରହିବ, ଯାହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୦.୩୮% ବୋଲି କୁହାଯାଇପାରେ।

ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିତ୍ର ଉପରେ ନଜର ପକାଇଲେ ଜଣାପଡୁଛି ଯେ ପ୍ରଶାସନିକ ବ୍ୟୟ ବାବଦରେ ୮୯ହଜାର ୬୨୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ସରକାର ଆକଳନ କରିଛନ୍ତି। ଏଥିରେ ଦରମା ବାବଦରେ ୨୯ ହଜାର ୨୪୮ କୋଟି ଟଙ୍କା, ପେନସନ୍ ବାବଦରେ ୧୮ ହଜାର ୨୨୧ କୋଟି ଟଙ୍କା, ସୁଧ ଦେୟ ୮୪୬୭ କୋଟି ଏବଂ ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ବାବଦରେ ୫୮୫୬ କୋଟି ଟଙ୍କା ରହିଛି।

ସେହିପରି କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦୨୧-୨୨ ବର୍ଷ ତୁଳନାରେ ୨୦୨୨-୨୩ରେ ଅଧିକ ୩୩ ପ୍ରତିଶତ ଅର୍ଥ ବରାଦ କରାଯାଇଛି। ଅର୍ଥାତ୍ ଆସନ୍ତା ବର୍ଷ ଏ କ୍ଷେତ୍ରରେ ୧ଲକ୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା ରହିଛି। ଏ ମଧ୍ୟରେ ସରକାରୀ କ୍ଷେତ୍ର ପାଇଁ ୧ଲକ୍ଷ କୋଟି ଟଙ୍କା ଏବଂ ସରକାରୀ ଉଦ୍ୟୋଗ ଓ ଅନ୍ୟ ବଜେଟ୍ ବର୍ହିଭୂତ କ୍ଷେତ୍ର ପାଇଁ ୧୦ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ।

 

ଅନ୍ୟପକ୍ଷରେ ବିପର୍ଯ୍ୟୟ ପ୍ରଶମନ ଲାଗି ୩୨୧୦ କୋଟି ଟଙ୍କା, ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭୧୭୦ କୋଟି ରଖାଯାଇଛି। ଏହା ବ୍ୟତୀତ ଓଡ଼ିଶା ଖଣିଜ ସଂପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି), ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍) ଓ ସରକାରୀ ଉଦ୍ୟୋଗ ଏବଂ ଅନ୍ୟ ବଜେଟ୍‌ ବର୍ହିଭୂତ କ୍ଷେତ୍ର ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ।

ସରକାର ଆକଳନ କରିଛନ୍ତି ଯେ ୨୦୨୨-୨୩ରେ ମୋଟ ରାଜସ୍ବ ପ୍ରାପ୍ତି ୧ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ହେବ। ରାଜସ୍ବ ବ୍ୟୟର ପରିମାଣ ୧ଲକ୍ଷ ୪୪ହଜାର ୩୪୯ କୋଟିକୁ ଛୁଇଁଯିବ। ଅର୍ଥାତ୍ ରାଜସ୍ବ ବଳକା ୧୯ ହଜାର ୬୧୮ କୋଟି ଟଙ୍କା ହେବ, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ବା ଜିଏସଡିପିର ୨.୭%। ଆସନ୍ତାବର୍ଷ ବିତ୍ତୀୟ ନିଅଣ୍ଟ ୨୧ ହଜାର ୫୮୭ କୋଟି ୬୫ଲକ୍ଷ ଟଙ୍କା ଆକଳନ କରାଯାଇଛି। ଏହା ଜିଏସ୍‌ଡିପିର ୩%।

ଯଦିଓ ଆସନ୍ତା ଜୁନ୍ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଅର୍ଥମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିବେ, ତେବେ ‘ଭାଇବ୍ରାଣ୍ଟ ଓଡ଼ିଶା’ ଗଠନ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିସହିତ ବଜେଟ୍‌ର ମୁଖ୍ୟ ଦିଗ ଉପରେ ସଂକ୍ଷିପ୍ତ ତଥ୍ୟ ରଖିଛନ୍ତି। ସ୍ବତନ୍ତ୍ର କୃଷି ବଜେଟ୍ ପୂର୍ଣ୍ଣାଙ୍ଗ ବଜେଟ୍ ବେଳେ ଉପସ୍ଥାପନ କରାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି, ‘ପ୍ରତ୍ୟେକ ଜୀବନ ଗୁରୁତ୍ବପୂର୍ଣ୍ଣ’ ଏବଂ ‘୪.୫ କୋଟି ଓଡ଼ିଶାବାସୀ ମୋର ପରିବାର’ ଏଭଳି କିଛି ସଂକଳ୍ପକୁ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ଏବେ ରୂପାନ୍ତରୀକରଣ କରାଯାଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ୧୨ ହଜାର ୨୪୧ କୋଟି (ମୋଟ ବଜେଟ୍‌ର ୬.୧%) ବ୍ୟୟ ଅଟକଳ ହୋଇଛି। ଗତ ୫ବର୍ଷରେ ୧୦ଟି ନୂଆ ମେଡ଼ିକାଲ କଲେଜ ହୋଇଥିଲା ଓ ପୂର୍ବରୁ ଥିବା ତିନିଟିକୁ ମିଶାଇ ଏବେ ରାଜ୍ୟରେ ମୋଟ ମେଡ଼ିକାଲ କଲେଜ ସଂଖ୍ୟା ୧୩କୁ ବୃଦ୍ଧିପାଇଛି। ଆଗାମୀ ଦିନରେ ବର୍ଷକୁ ୨ହଜାର ଏମ୍‌ବିବିଏସ୍ ଡାକ୍ତର ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରି ହାସଲ କରିବେ। ସେହିଭଳି ୫ବର୍ଷରେ ନର୍ସ ଓ ପାରା ମେଡ଼ିକାଲ କର୍ମଚାରୀ ଅନୁମୋଦିତ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି।

Photo: OTV

ସରକାର ଦୁର୍ବଳ ଶ୍ରେଣୀ ପରିବାର ଏବଂ ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ୯୬ଲକ୍ଷ ପରିବାର ଉପକୃତ ହେବେ। ଏହି ଯୋଜନା ଅଧୀନରେ ମାଗଣା ଔଷଧ ଯୋଗାଣ, ରୋଗର ନିଦାନ ଓ ନଗଦବିହୀନ (କ୍ୟାସଲେସ୍‌) ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାଙ୍କୁ ବିଲ୍ ପୈଠ ଲାଗି ୧୮୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଲାଗି ୨୩୩୫ କୋଟି, ସ୍ବାସ୍ଥ୍ୟ ଓ ଚିକିତ୍ସା ଶିକ୍ଷାରେ ମାନବ ସମ୍ବଳ ପାଇଁ ୩୧୨ କୋଟି ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସରକାର ମିସନ ଶକ୍ତିକୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ଦାବି କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଥିରେ ୬ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୭୦ଲକ୍ଷ ମହିଳା ସଦସ୍ୟ ଅଛନ୍ତି। ଆସନ୍ତାବର୍ଷ ମିସନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ୨ହଜାର କୋଟି ବରାଦ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିସନ ନିମନ୍ତେ ୧୦୩୯କୋଟି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ମହାସଂଘ ପାଇଁ ୭୭୩ କୋଟି ଟଙ୍କା ରଖାଯାଇଛି। ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ଆସନ୍ତାବର୍ଷ ୧୭୬ କୋଟି ଖର୍ଚ୍ଚ ହେବ।

ଶିକ୍ଷା ବ୍ୟବସ୍ଥାର ରୂପାନ୍ତରୀକରଣ କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଭିତ୍ତିଭୂମିର ବ୍ୟାପକ ପୁନର୍ବିନ୍ୟାସ କରାଯାଉଛି, ଯାହା ସମଗ୍ର ଦେଶରେ ଅନନ୍ୟ। ଆସନ୍ତାବର୍ଷ ଶିକ୍ଷା କ୍ଷେତ୍ରରେ ୨୬ ହଜାର ୪୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ମୋ ସ୍କୁଲ ଅଭିଯାନ ପାଇଁ ୫୨୧ କୋଟି, ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ କକ୍ଷ ପାଇଁ ୪୩୯ କୋଟି, ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୧୧୦୯ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି, ବେସରକାରୀ ଅନୁଦାନ ମହାବିଦ୍ୟାଳୟ ନିମନ୍ତେ ୧୨୮୩ କୋଟି, ସମଗ୍ର ଶିକ୍ଷା ନିମନ୍ତେ ୩୫୫୨ କୋଟି, ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଭିତ୍ତିଭୂମି ବାବଦରେ ୧୬୫ କୋଟି, ବିଶ୍ବବ୍ୟାଙ୍କ ସହାୟତା ପ୍ରକଳ୍ପ ଅଧୀନରେ ଉଚ୍ଚଶିକ୍ଷାକୁ ସୁଦୃଢ ଲାଗି ୨୫୮ କୋଟି ଏବଂ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୧୮୨ କୋଟି ବ୍ୟୟବରାଦ ହୋଇଛି।
ସ୍ବତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରାଯାଇନଥିଲେ ହେଁ, ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୨୦୨୨-୨୩ରେ ୨୦ ହଜାର ୩୪୪ କୋଟି ଖର୍ଚ୍ଚ ହେବ। ଏ ମଧ୍ୟରେ କାଳିଆ ଯୋଜନାରେ ୧୮୭୪ କୋଟି, ସାର, ବିହନ ଓ ସୁଧ ମୁକ୍ତ ଋଣ ପାଇଁ ୩୦୦ କୋଟି, ଶସ୍ୟ ପରିଚାଳନା ପାଇଁ ୬୮୮ କୋଟି ଏବଂ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୮୫୨୩ କୋଟି ଟଙ୍କା ରହିଛି।

ଏହାବ୍ୟତୀତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୃଷ୍ଟି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଷ୍ଟାର୍ଟଅପ୍‌ର ପ୍ରୋତ୍ସାହନ ପାଇଁ ଆସନ୍ତାବର୍ଷ ଅଧିକ ୩୭ ପ୍ରତିଶତ ଅଧିକ ଅର୍ଥାତ୍ ୧୬୩୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୪ ସୁଦ୍ଧା ପ୍ରତି ପରିବାରକୁ ଟ୍ୟାପ୍ ଯୋଗେ ସରକାର ପାଣି ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୨ ମସିହାରେ ରାଜ୍ୟର ସମସ୍ତ ୧୧୪ଟି ସହର ଓ ନଗରାଞ୍ଚଳରେ ଶତ ପ୍ରତିଶତ ଜଳଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ବସୁଧା ଯୋଜନାରେ ୨୨୫୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର