ଭେଣ୍ଟିଲେଟରରେ କୋଇଡ଼ା ନୂତନ ଓପିଡି ଗୃହ; କେବଳ ନିଅଁଖୋଳାରେ ଅଟକିଛି କାମ

କୋଇଡ଼ା: ଖଣି ପ୍ରଭାବିତ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ବିକାଶ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି। ଏଥିପାଇଁ ଡିଏମ୍‌ଏଫ୍‌ ଓ ଓମ୍ବାଡ୍‌ସି ଭଳି ୨ଟି ବିଶାଳ ପାଣ୍ଠି ବି ରହିଛି। ସେଥିରୁ ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ଅସଲରେ ପ୍ରକଳ୍ପ ହେଉଛି କି ନାହିଁ, ନ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟରେ ପ୍ରଶାସନ ବେଫିକର ହୋଇଯାଉଛି। ଫଳରେ ସରକାରୀ ଟଙ୍କା ପାଣିରେ ପଡ଼ିବା ସହ ଅସଲ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି କୋଇଡ଼ାରେ ନିର୍ମାଣାଧୀନ ଓପିଡି ଗୃହ।ସୂଚନା ଅନୁସାରେ, ଅଞ୍ଚଳବାସୀଙ୍କ ବହୁ ଅପେକ୍ଷା ପରେ ୨୦୨୧ ମସିହାରେ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆ ଓପିଡି ଗୃହ ପାଇଁ ଓମ୍ବାଡ୍‌ସି ପାଣ୍ଠିରୁ ୧ କୋଟି ୨୭ ଲକ୍ଷ ୪୦ ହଜାର ୯୦୮ ଟଙ୍କା ପୂର୍ତ୍ତବିଭାଗକୁ ପ୍ରଦାନ କରାଯାଇଥିଲା।

ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଆର୍ସିୟାନ୍ ରିୟଲକନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକାସଂସ୍ଥା କାମ ପାଇଲା। ଚୁକ୍ତି ଅନୁସାରେ, ୨୦୨୨ ମାର୍ଚ ୪ରୁ ପ୍ରକଳ୍ପ ଆରମ୍ଭହୋଇ ଡିସେମ୍ବରରେ ସମ୍ପୂର୍ଣ୍ଣ ହେବା କଥା। ଠିକାସଂସ୍ଥା ବିନା ସୂଚନାଫଳକ ଲଗାଇ କାର୍ଯ୍ୟ ଆରମ୍ଭକଲା। ଗାତଖୋଳି ନାମକୁ ମାତ୍ର କିଛି କଂକ୍ରିଟ୍‌ ପିଲାର ପାଇଁ ଲୁହାରଡ୍ ବାନ୍ଧିବା ପର୍ଯ୍ୟନ୍ତ କାମ ହେବାପରେ ବନ୍ଦ ହୋଇଯାଇଛି। ଠିକାସଂସ୍ଥା ସେହିଦିନଠାରୁ କୁଆଡ଼େ ଉଭାନ୍ ହୋଇଯାଇଛି। ଲାଗିଥିବା ସମସ୍ତ ଲୁହାରଡ୍ ଖରାବର୍ଷାରେ ପଡ଼ିରହି ନଷ୍ଟ ମଧ୍ୟ ହୋଇସାରିଲାଣି। କିନ୍ତୁ ପୂର୍ତ୍ତବିଭାଗ କିଂବା ସ୍ବାସ୍ଥ୍ୟବିଭାଗର ବାବୁମାନେ ବେଫିକର, ନିଦାବିଷ୍ଣୁ। ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଇଲେ କି ନ ପାଇଲେ ସେଥିକୁ ସେମାନଙ୍କର ପରବାୟ ନାହିଁ। ଉଲ୍ଲେଖଯୋଗ୍ୟ ଯେ, କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଓପିଡି, ଡାକ୍ତରଗୃହ, ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଭଲ ନ ଥିବାରୁ ଏଠାକୁ ଡାକ୍ତର ଆସିବାକୁ କୁଣ୍ଠାବୋଧ କରନ୍ତି। ଏହି ଓପିଡି ନିର୍ମାଣ ହୋଇଥିଲେ ରୋଗୀଙ୍କ ସହ ଡାକ୍ତରମାନଙ୍କ ପାଇଁ ସୁବିଧା ହୋଇପାରିଥାଆନ୍ତା। କିନ୍ତୁ ଲୋକଙ୍କ ସ୍ୱପ୍ନକୁ ପୂର୍ତ୍ତବିଭାଗ ଓ ଠିକାସଂସ୍ଥା ମିଳିମିଶି ଧୂଳିସାତ୍ କରିଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର