ଇଭିଏମ୍‌ ଗୋଦାମରେ ଫୁଟିଲା ହାବେଳିବାଣ! ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ଉପବିଭାଗ ଅଧିକାରୀ ସୁଶ୍ରୀ ପ୍ରଧାନଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଭିନ୍ନ ରାଜନୈତିକ ଦଳ। ସେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତୀୟ ପ୍ରତିଟି କାର୍ଯ୍ୟରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଛନ୍ତି। କୌଣସି ପ୍ରସ୍ତାବ ବା ମତକୁ ଗ୍ରହଣ କରୁନାହାନ୍ତି। ଏପରିକି ଅତି ସମ୍ବେଦନଶୀଳ ଅଞ୍ଚଳ ଇଭିଏମ୍‌ ଓ ଭିଭିପାଟ୍‌ ଯନ୍ତ୍ରର ଗୋଦାମ ପରିସରରେ ବିସ୍ଫୋରକ ସାମଗ୍ରୀ ସମ୍ପୂର୍ଣ୍ଣ ନିଷେଧଥିଲେ ମଧ୍ୟ ସେ ସେଠାରେ ୨୦୨୩ ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ ୬ଟି ହାବେଳିବାଣ ଫୁଟାଇଥିବା ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଜିଲ୍ଲା କଂଗ୍ରେସ ଉପସଭାପତି ପର୍ଶୁରାମ ସରାଫ, ବିଜେପି ଜିଲ୍ଲା ସମ୍ପାଦକ ଭେଷଜ ରଥ, ବିଜେପିର ରାଜ୍ୟ ଆଇନ ସଭ୍ୟ ପ୍ରଭାତ କୁମାର ନନ୍ଦ, ବିଜେଡିର ଲୀଳାଧର କାଲୋ, ବିଜେପି ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ଭିତିରିଆ ପ୍ରମୁଖ ଭାରତୀୟ ନିର୍ବାଚନ ଆୟୋଗ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଲିଖିତ ଭାବେ ଜଣାଇବା ସହ ବାଣ ଫୁଟାଇବାର ଭିଡିଓ ଫୁଟେଜ୍‌ ପଠାଇଛନ୍ତି। ଏହାର ତଦନ୍ତକରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧିସମୂହ ଦାବି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ଅଭିଯୋଗ ଅନୁସାରେ, ଅଭିଯୋଗ ଅନୁସାରେ, ଶଙ୍କରାରେ ଥିବା ଗୋଦାମରେ ପ୍ରଥମପର୍ଯ୍ୟାୟ ଇଭିଏମ୍‌, ଭିଭିପାଟ୍‌ ଯାଞ୍ଚ ଶେଷହେବା ପରେ ଖୁସିରେ ‌ବାଣ ଫୁଟାଯାଇଥିଲା। ରାଜନୈତିକ ଦଳର ପ୍ରତିନିଧିମାନେ ମନାକରିଥିଲେ ମଧ୍ୟ ସେ ଶୁଣି ନଥିଲେ। କୌଣସି ସ୍ଥିତିରେ ରାଜ‌ନୈତିକ ଦଳର ପ୍ରତିନିଧିଙ୍କ ଅନୁପସ୍ଥିତିରେ ଇଭିଏମ୍‌, ଭିଭିପାଟ୍‌ ଗୋଦାମ ‌ଖୋଲାଯିବା କଥା ନୁହେଁ। କିନ୍ତୁ, ପ୍ରତିନିଧିଙ୍କୁ ଅପେକ୍ଷା ନକରି ଅଧିକାରୀ ଗୋଦାମ ଖୋଲିଦେଉଛନ୍ତି। ପୋଲିଂ ଅଧିକାରୀଙ୍କ ତାଲିମ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ୬.୩.୨୦୨୪ ପୂର୍ବାହ୍ନ ୧୦ଟାରେ ଗୋଦାମରୁ କିଛି ଇଭିଏମ୍‌ ଓ ଭିଭିପାଟ୍‌ ନିଆଯାଇଥିଲା। ତା’ର କୌଣସି ତାଲିକା ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦିଆଯାଇ ନଥିଲା।ଏ ସମ୍ପର୍କରେ ନିର୍ବାଚନ ଉପବିଭାଗ ଅଧିକାରୀ ସୁଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗ ଗୁଡ଼ିକୁ ଖଣ୍ଡନ କରିଥିଲେ। ‘ନିୟମ ଅନୁଯାୟୀ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତି‌ରେ ଗୋଦାମ ଖୋଲା ଯାଉଥିବା, ଯେଉଁ ଇଭିଏମ୍‌ କି ଭିଭିପାଟ୍‌ ବାହାର କରାଯାଇଛି, ତା’ର ତାଲିକା ପ୍ରତିନିଧିମାନଙ୍କୁ ଦିଆଯାଇଥିବା’ ସେ କହିଥିଲେ। ତେବେ ଗୋଦାମ ପରିସରରେ ବାଣ ଫୁଟିଲାବେଳେ ‘ସେ ସେଠାରେ ନଥିଲେ’ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର