‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ? ଦଶନ୍ଧି ପରେ ବି ଶିଶୁକନ୍ୟା ହାର ସ୍ଥିତି ସୁଧୁରିନି

୨୦୧୧ରେ ହାର ଥିଲା ୮୫୫, ୨୦୨୨ରେ ୮୧୯

ନୟାଗଡ଼: ଦଶନ୍ଧିଟିଏ ତଳେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାଙ୍କ ପ୍ରତି ଯେଭଳି ଘୃଣା ମାନସିକତା ଥିଲା, ଏବେବି ସେଭଳି ରହିଛି। ଜିଲ୍ଲା ମଧ୍ୟରେ ହେଉ ବା ବାହାରେ ନୟାଗଡ଼ର ଦମ୍ପତି କନ୍ୟା ଭ୍ରୂଣହତ୍ୟା କରୁଛନ୍ତି। ଭ୍ରୂଣ ଚିହ୍ନଟରେ ଡାକ୍ତର, କ୍ବାକ୍‌ ସେମାନଙ୍କୁ କେଉଁଠି ନା କେଉଁଠି ସମର୍ଥନ ଯୋଗାଇ ଦେଉଛନ୍ତି। ଫଳରେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାହାର ସୁଧୁରୁନାହିଁ। ୨୦୧୧ ଜନଗଣନା ତଥ୍ୟ ଅନୁସା‌ରେ, ନୟାଗଡ଼ ଜିଲ୍ଲାରେ ଏକ ହଜାର ଶିଶୁପୁତ୍ରରେ କନ୍ୟାହ‌ାର ୮୫୫ ଥିଲା। ଏହା ପରେ ଜିଲ୍ଲାରେ ଶିଶୁ କନ୍ୟାହାର ବଢ଼ାଇବାକୁ ତଥାକଥିତ ବହୁ ପଦକ୍ଷେପ ନିଆଯାଉଛି, ହେଲେ ଶିଶୁ କନ୍ୟା ସ୍ଥିତିରେ ସୁଧାର ଆସିନ‌ାହିଁ। ଗୋଟିଏ ଦଶନ୍ଧି ପରେ ଶିଶୁ କନ୍ୟାହାର ଆହୁରି କମି ଚାଲିଛି।

୨୦୧୧ରେ ହାର ଥିଲା ୮୫୫, ୨୦୨୨ରେ ୮୧୯
ସ୍ବାସ୍ଥ୍ୟ, ଶିଶୁ ସୁରକ୍ଷା ବିଭାଗର ସମନ୍ବୟ ନାହିଁ
୨୦୨୩ରେ ଆହୁରି ବିଗୁଡ଼ିଛି ସ୍ଥିତି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ମୁତାବକ, ୨୦୨୧ରେ ଏହା ୮୩୭ ଥିବା ବେଳେ, ୨୦୨୨ରେ ଏହା ୮୧୯ ରହିଛି। ଜାତୀୟ ପରିବ‌ାର ସ୍ବାସ୍ଥ୍ୟ ସର୍ବେକ୍ଷଣର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଶିଶୁ କନ୍ୟାହାର ଏହି ପରିପ୍ରେକ୍ଷୀରେ ୯୩୧ ରହିଛି। ନୟାଗଡ଼ ଜିଲ୍ଲାରେ ୨୦୨୩ରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଜାନୁଆରିରେ ୮୫୬, ଫେବ୍ରୁଆରିରେ ୭୭୯, ମାର୍ଚ୍ଚରେ ୭୨୬, ଏପ୍ରିଲରେ ୭୮୧ ଓ ମେ’ରେ ୬୮୮ ରହିଛି। ଜିଲ୍ଲାରେ ଶିଶୁକନ୍ୟାଙ୍କ ଏଭଳି ଦୟନୀୟ ସ୍ଥିତି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟକୁ ନେଇ ଜିଲ୍ଲା ପ୍ରଶାସନ ଉଦ୍‌ବେଗ ପ୍ରକାଶ କରୁଥିବା ବେ‌ଳେ, ଏଥିରେ ସୁଧାର ଆଣିବାକୁ ଆନ୍ତରିକତା ଦେଖାଉନାହିଁ। ଜିଲ୍ଲାରେ ଶିଶୁ କନ୍ୟାହାର ହ୍ରାସ ନେଇ ଗତ ୨ଟି ଦିଶା ବୈଠକରେ ଜିଲ୍ଲାର ସାଂସଦ, ବିଧାୟକଙ୍କ ପ୍ରଶ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ‌ାରୀ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରିନାହାନ୍ତି। ୨୦୦୭ରେ ନୟାଗଡ଼ ଜିଲ୍ଲାର କନ୍ୟା ଭ୍ରୂଣହତ୍ୟା ଘଟଣା ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା। ମା’ ଗର୍ଭରୁ ଏଠାରେ ଶିଶୁକନ୍ୟା ଅସୁରକ୍ଷିତ ହୋଇପଡ଼ିଥିବାରୁ ରାଜ୍ୟର ଏକାମାତ୍ର ଜିଲ୍ଲା ଭାବେ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କେବଳ ସଚେତନତାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଏହା ଦ୍ବାରା ବିଭିନ୍ନ ଅନୁଷ୍ଠାନ, ବ୍ୟାବସାୟିକ ସଂସ୍ଥା ଢେର ଲାଭ ଉଠାଇଛନ୍ତି। ହେଲେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇନଥିବା ଶିଶୁ କନ୍ୟାହାରରେ ସୁଧାର ଆସିନଥିବାରୁ ସ୍ପଷ୍ଟ ହେଉଛି। ଉକ୍ତ ଯୋଜନା‌ରେ ୨୦୧୫-୧୬ ରୁ ୨୦୨୨-୨୩ ମଧ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ଅନୁଦାନ ଆସିଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ତଥ୍ୟ ମୁତାବକ ସେଥିରୁ ସମୁଦାୟ ୭୦ ଲକ୍ଷ ୪୧ ହଜାର ୭୯୫ ଟଙ୍କା ସଚେତନତାରେ ଖର୍ଚ୍ଚ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ କର୍ତ୍ତୃପକ୍ଷ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଆଇସିଡିଏସ୍‌, ଶିକ୍ଷା ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବା କଥା, କିନ୍ତୁ ବିଭାଗ ମଧ୍ୟରେ ସମନ୍ବୟ ନାହିଁ। ପରସ୍ପରକୁ ଦୋଷ ‌ଠେଲାଠେଲି ହେଉଛନ୍ତି। ଅତ୍ୟନ୍ତ ହାଲ୍‌କା ଭାବେ ଜିଲ୍ଲାର ଏହି ପ୍ରମୁଖ ସମସ୍ୟାକୁ ଅଧିକାରୀମାନେ ନେଉଛନ୍ତି। ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ (ପିସିପିଏନ୍‌ଡିଟି) ଆଇନର କଡ଼ାକଡ଼ି ଭାବେ ତଦାରଖ ହେଉନାହିଁ। ବିଭିନ୍ନ ଘରୋଇ, ବେଆଇନ ସ୍ବ‌ାସ୍ଥ୍ୟସେବା ଅନୁଷ୍ଠାନ ଉପରେ ବି ଚଢ଼ଉ କରାଯାଉନି। ବେଆଇନ ଭାବେ ଭ୍ରୂଣ ଚିହ୍ନଟ କରୁଥିବା କ୍ବାକ୍‌, ଦଲାଲଙ୍କ ସହିତ ସରକାରୀ ଡାକ୍ତରଙ୍କ ସଲାସୁତରା ଅନେକ ବାର ଦେଖିବାକୁ ମିଳିଛି। ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ। ନେଡ଼ିଗୁଡ଼ କହୁଣୀକୁ ବୋହିବା ପରିସ୍ଥିତି ହେବା ପରେ ଜିଲ୍ଲାରେ ପଞ୍ଚାୟତସ୍ତରରେ ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲ୍ଲାସ୍ତରୀୟ ଶେଷ ଟାସ୍କଫୋର୍ସ ବୈଠକ‌ରେ ମିଳିତ ଭାବେ ସମସ୍ତ ବିଭାଗ ଶିଶୁ କନ୍ୟାହାର ବୃଦ୍ଧି ଦିଗରେ କାମ କରିବେ ବୋଲି ଗତ ଦିଶା ବୈଠକରେ ରିପୋର୍ଟ ପ୍ରଦାନ କରିଥିବା ବେଳେ, ଏହାର ବାସ୍ତବତାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର