ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉକୁ ନେଇ କୁସୁମ, ଯୋଗେଶ କଥା କଟାକଟି

ସୁନ୍ଦରଗଡ଼: ମଦ ବେପାରୀ ରାଜକିଶୋର ଜୟସ୍ବାଲଙ୍କ ଘରେ ଆୟକର ଚଢ଼ାଉକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେ ଓ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଯୋଗେଶ ସିଂଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛି। ବିଧାୟିକା କୁସୁମ ସିଧାସଳଖ ଯୋଗେଶଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ର ରାଜକିଶୋର ମଦ ବେପାରରେ ଯୋଗେଶ ଅଂଶୀଦାର ଥିଲେ। ରାଜକିଶୋରଙ୍କ ମଦଭାଟିଗୁଡ଼ିକର ଜମି ଯୋଗେଶଙ୍କ ମା ଓ ଭାଇଙ୍କ ନାମରେ ରହିଛି। ମଦର ଭାଗ ଟଙ୍କାରେ ଯୋଗେଶ ବାବୁ ନିର୍ବାଚନ ଲଢ଼ୁଥିଲେ। ମନ୍ଦିର, ସ୍କୁଲ, ଡାକ୍ତରଖାନା ନିକଟରେ ଥିବା ସୁନ୍ଦରଗଡ଼ର ଅନେକ ମଦଭାଟି ଓ ମଦ ଦୋକାନକୁ କାହିଁକି ଉଚ୍ଛେଦ କରାଯାଉ ନାହିଁ ବୋଲି ସେ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉତ୍ଥାପନ କରିଥିବା କହିଛନ୍ତି। କିନ୍ତୁ ବିଜୁ ଜନତା ଦଳ ଏହି ମଦ ବେପାରୀମାନଙ୍କୁ ସାହାରା ଦେଇ ଏମାନଙ୍କ ଟଙ୍କାରେ ନିର୍ବାଚନ ଲଢ଼ୁଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ବିଧାୟିକା କହିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ। ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ରାଜକିଶୋରଙ୍କ ସହ ତାଙ୍କର କୌଣସି ପ୍ରକାର ବ୍ୟାବସାୟିକ ସମ୍ପର୍କ ନାହିଁ। କେବଳ ପାରିବାରିକ ସମ୍ପର୍କ ଅଛି। ମଦଭାଟିଗୁଡ଼ିକର ମାଲିକାନା, ଜମି ରାଜକିଶୋର ଓ ତାଙ୍କ ଭାଇଙ୍କ ନାମରେ ଅଛି। ମଦଭାଟି ସହ ଆମ ପରିବାରର କୌଣସି ସମ୍ପର୍କ ନାହିଁ। ୧୩ ବର୍ଷ ତଳେ ମୃତ ମା’ଙ୍କ ନାଁକୁ ଯୋଡ଼ି ବିଧାୟିକା ଅତି ତଳସ୍ତରର ରାଜନୀତି କରୁଥିବା କହିଛନ୍ତି ଯୋଗେଶ। ଯଦି କିଛି ପ୍ରମାଣ ଅଛି, ତେବେ ତାକୁ ସାର୍ବଜନୀନ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହା ସହ ପୂର୍ବରୁ କୁସୁମ ନିଜ ଗାଁରେ ହାଣ୍ଡିଆ ବିକୁଥିବା କଥା ମନେପକାନ୍ତୁ ବୋଲି କହିଛନ୍ତି ଶ୍ରୀ ସିଂ।

ବିଧାୟିକା ହେବା ପରେ ବିଧାନସଭାରେ ସେ ମଦ ପ୍ରଶ୍ନ ଉଠାଇଥିଲେ ସତ, କିନ୍ତୁ ପରେ ହଠାତ ତାଙ୍କ ମୁହଁରେ କାହିଁକି ତାଲା ପଡ଼ିଗଲା। ମାସକୁ ମାସ ସେ ମଦ ବେପାରୀଙ୍କଠାରୁ ୪ରୁ ୫ ଲକ୍ଷ ଟଙ୍କା ଚାନ୍ଦା ନେଉଥିବା ଏହାର କାରଣ ନୁହେଁ କି ବୋଲି ଗମ୍ଭୀର ଅଭିଯୋଗ ଆଣିଛନ୍ତି ଯୋଗେଶ। ଆୟକର ଯିଏ ଫାଙ୍କିଥିବ, ତାହା ବିରୋଧରେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ଏହାକୁ ନେଇ ଏପରି ରାଜନୀତି କରିବା ଉଚିତ ନୁହେଁ, କହିଛନ୍ତି ସେ। ଏହା ସହ ବିଧାୟିକାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ଯୋଗେଶ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ କାଦୁଆ ଫିଙ୍ଗା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର