ଗଞ୍ଜାମକୁ ଦାଦନ କଷଣ: ପୁଣି ଦୁବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ତିନି ମାସରେ ୧୩ ମୃତ

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୩ ମାସ ଭିତରେ ଜିଲ୍ଲାର ୧୩ ଜଣ ଯୁବ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ସେହିପରି କିଛି ଶ୍ରମିକ ନିର୍ଯାତିତ ‌ହେଉଥିବାର କରୁଣ କାହାଣୀ ସାମ୍ନାକୁ ଆସୁଛି। ଏହି ଧାରାରେ ପୁଣି ଯୋଡ଼ି ହୋଇଛି ଆଉ ଏକ ଦୁଃଖଦ ଘଟଣା। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ଦୁବାଇରେ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, କୋଦଳା ଥାନା ଅଧୀନ ମର୍ଦ୍ଦକୋଟ ଗ୍ରାମର ଧ୍ରୁବଚରଣ ବରାଡ଼ (୫୦)। ଛକସାହିର ବାସିନ୍ଦା ଧ୍ରୁବଚରଣ ଦୁବାଇର ଏକ ଘ‌ରୋଇ ସଂସ୍ଥାରେ କାର୍ଯ୍ୟରତ ଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ହୃଦ୍‌ଘାତ ଯୋଗୁଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି।

ଏହି ଖବର ପ୍ରଚାର ହେବା କ୍ଷଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ୮ ମାସ ତଳେ ଧ୍ରୁବଚରଣ ନିଜ ଝିଅର ବାହାଘର ପାଇଁ ଗ୍ରାମକୁ ଆସିଥିଲେ। ବାହାଘର ସରିବା ପରେ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ। ତାଙ୍କର ଅକାଳ ବିୟୋଗ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ସେପଟେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଶବକୁ ଗ୍ରାମକୁ ଆଣିବା ଦିଗରେ ପଦକ୍ଷେପ ନେବାକୁ ପୁଅ ଶୁଭମ୍ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ଉଦ୍ୟମ ଜାରି ରହିଥିବା ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର