ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଲେ, ବିଧାନସଭାରେ ଗର୍ଜିଲେ ବିରୋଧୀ

ଭୁବନେଶ୍ବର : ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଛି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳଙ୍କ ମୁହଁରେ ସରକାର ବିକାଶର ମିଛ କଥା କୁହାଇଛନ୍ତି। ଶାସକ ଦଳ ବି ଏହାର ପ୍ରତିଜବାବ ଦେଇଛନ୍ତି।
ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ଗୋଲାପୀ ଚିତ୍ର ଦେଖାଇଛନ୍ତି। ବାସ୍ତବ ଚିତ୍ର ହେଲା, ଅର୍ଥନୀତି, କୃଷି, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା ସବୁ କ୍ଷେତ୍ରରେ ରାଜ୍ୟର ଅଧୋଗତି ହୋଇଛି। ସରକାର ‌ଭାବମୂର୍ତ୍ତି ତିଆରିରେ ବ୍ୟସ୍ତ। ଦ୍ରୁତ ଶିଳ୍ପାୟନ ହେଉଛି ବୋଲି କହୁଛନ୍ତି। କେତେ ପୁଞ୍ଜିନିବେଶ ହୋଇଛି? ଓଡ଼ିଶାର ଯୁବକ, ଯୁବତୀ କେତେ ଚାକିରି ପାଇଛନ୍ତି? କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର ବୋଲି କହି ସରକାର ଲୋକଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ, କେନ୍ଦ୍ର ସରକାର ତ ଏମ୍‌ଏସ୍‌ପି ବୃଦ୍ଧି କ‌ରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ୧୦୦ ଟଙ୍କା ବୋନସ୍‌ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା କୁଆଡ଼େ ଗଲା? ସୁରଜ ସୂର୍ଯ୍ୟବଂଶୀ କହିଥିଲେ, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ଙ୍କୁ ଗୁରୁତ୍ବହୀନ କରିବା ପାଇଁ ୫-ଟି ସଚିବ ପଦବି ସୃଷ୍ଟି କରାଯାଉଛି। ବିଜେପି ସଭ୍ୟ ସୁକାନ୍ତ ନାୟକ, ଭାସ୍କର ମଡ଼େଇ, ନିତ୍ୟାନନ୍ଦ ଗଣ୍ଡ ଓ କୁସୁମ ଟେଟେ ଆଲୋଚନାରେ ଭାଗ ନେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ୨୩ ବର୍ଷ ହେଲା ରାଜ୍ୟରେ ସ୍ଥିର ସରକାର ଚାଲିଛି। କିନ୍ତୁ ରାଜ୍ୟର ମୌଳିକ ସମସ୍ୟା ସମାଧାନ ହୋଇପାରୁନି। ଶିକ୍ଷା ପରି ଏକ ମୌଳିକ ଦିଗକୁ ସରକାର ଭୁଲିଯାଇଛନ୍ତି। ସବୁ ସ୍କୁଲ୍‌ରେ ଶିକ୍ଷକ ଦେଇପାରୁନାହାନ୍ତି। ସ୍କୁଲ୍‌ କୋଠାକୁ ରଙ୍ଗ ମାରି ଚକ୍‌ଚକ୍‌ କରିଦେଲେ ଶ୍ରେଷ୍ଠ ସ୍କୁଲ୍‌ ହୋଇଯିବନି। ସରକାର ବିଭିନ୍ନ ପ୍ରକାର ଶିକ୍ଷକ ବ୍ୟବସ୍ଥା କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଲେଣି। ଦ୍ବିତୀୟ ମୌଳିକ କ୍ଷେତ୍ର ହେଲା ସ୍ବାସ୍ଥ୍ୟ। ସବୁ ହସ୍ପିଟାଲ୍‌ରେ ଡାକ୍ତର ନିଯୁକ୍ତି ହୋଇପାରୁନାହାନ୍ତି। ତୃତୀୟ କ୍ଷେତ୍ର ହେଲା କୃଷି। ରାଜ୍ୟରେ ଜଳସେଚନର ବିକାଶ କେବଳ କାଗଜକଲମରେ ଚାଲିଛି। ସେହିପରି ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର କହୁଛନ୍ତି। ଯଦି ଦାରିଦ୍ର୍ୟ ନାହିଁ, ତେବେ ଏତେ ଲୋକଙ୍କୁ ମାଗଣା ଚାଉଳ କାହିଁକି ଦିଆଯାଉଛି?

ଶ୍ରୀ ମିଶ୍ର ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ଗୃହରେ ବସି ବିରୋଧୀ ଦଳଙ୍କ କଥା ଶୁଣି ଉତ୍ତର ଦେବା କଥା। କିନ୍ତୁ ସେ କାଗଜ ପଢ଼ୁଛନ୍ତି। ରାଜ୍ୟରେ ଏକଛତ୍ରବାଦ ପ୍ରତିଷ୍ଠା ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା କିଛି ନାହିଁ। ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ବିପହରେ ପୁଲିସ୍‌ ହତ୍ୟା କରୁଛି। ଖଣି କ୍ଷେତ୍ରରେ ଦୁର୍ନୀତି ମାଡ଼ିଚାଲିଛି। ଖଣି ମାଫିଆ ଓଡ଼ିଶା ରାଜନୀତିକୁ ପରିଚାଳନା କରୁଛନ୍ତି। ତାଙ୍କରି ଟଙ୍କାରେ ଶାସକ ଦଳ ବିଧାୟକ ଜିତୁଛନ୍ତି। କଂଗ୍ରେସର ବରିଷ୍ଠ ସଭ୍ୟ ସୁରେଶ ରାଉତରାୟ ଓ ତାରା ବାହିନୀପତି ସରକାରଙ୍କ ବିଫଳତାକୁ ଦେଖାଇଥିଲେ। ବିଶେଷ କରି ଚାଷୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସମାଲୋଚନା କରିଥିଲେ।

ଶାସକ ଦଳ ସଭ୍ୟ ଯୁକ୍ତି ବାଢ଼ିଥିଲେ ଯେ ରାଜ୍ୟରେ ବିକାଶ ଦ୍ରୁତ ଗତିରେ ଚାଲିଛି। ସବୁ କ୍ଷେତ୍ରରେ ଭିତ୍ତିଭୂମି ଆଖିଦୃଶିଆ ଭାବେ ବଢ଼ିଛି। ଶିଳ୍ପ ସଂସ୍ଥାଗୁଡ଼ିକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଉଛନ୍ତି। ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଦୁଇ ଦୁଇଟି ହକି ବିଶ୍ବକପ୍‌ ସଫଳତାର ସହ ଆୟୋଜନ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସରକାର ସକ୍ଷମ ହୋଇଛନ୍ତି। ବିକାଶ ନ ହୋଇଥିଲେ ଏ ସରକାରକୁ ଲୋକ ୫ ଥର ଜିତାଇଥା’ନ୍ତେ କେମିତି? ଶାସକ ଦଳ ପକ୍ଷରୁ ଅମର ଶତପଥୀ, ରାଜକିଶୋର ଦାସ, ଧ୍ରୁବଚରଣ ସାହୁ, ଦେବେଶ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ମିନାକ୍ଷୀ ମହନ୍ତ ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର