ପିକ୍‌ଅପ୍‌ ସହ ଶାଗୁଆନ ଗଣ୍ଡି ଜବତ, ଅଭିଯୁକ୍ତ ଫେରାର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ଆଉ ଏକ ସଫଳତା ମିଳିଛି। ଝରିଗାଁ ଏବଂ ଡାବୁଗାଁ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି ଏକ ପିକ୍‌ଅପ ଭ୍ୟାନ୍‌ ସହ ଶାଗୁଆନ ଗଣ୍ଡି ଜବତ କରିଛନ୍ତି।

ସୂଚନା ପ୍ରକାରେ ଝରିଗାଁ ବନ ବିଭାଗର ଏକ ଟିମ ରବିବାର ରାତିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଡାବୁଗାଁ ବ୍ଲକ ଚିଚିବାଇ ଛକରେ କିଛି ସମୟ ପାଇଁ ରହିଥିଲେ। ସେହି ସମୟରେ ଏକ ପିକ୍‌ଅପ (ଓଡି୧୦କ୍ୟୁ ୧୭୭୪) ଅତିକ୍ରମ କରିଥିଲା। ବନ ବିଭାଗର କର୍ମଚାରୀମାନେ ସନ୍ଦେହ କରି ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପିକଅପ ତୀବ୍ରଗତିରେ ସେଠାରୁ ଡାବୁଗାଁ ଅଭିମୁଖେ ବାହାରି ଯାଇଥିଲା। ବନ ବିଭାଗର କର୍ମଚାରୀମାନେ ପିକଅପର ପିଛା କରିଥିଲେ। କିନ୍ତୁ ଧରିବାରେ ସକ୍ଷମ ହୋଇନଥିଲେ। ଏନେଇ ସେମାନେ ତୁରନ୍ତ ଡାବୁଗାଁ ବନ ବିଭାଗକୁ ଘଟଣା ନେଇ ଖବର ଦେଇଥିଲେ।

ଶେଷରେ ଝରିଗାଁ ଏବଂ ଡାବୁଗାଁ ବନ ବିଭାଗ କର୍ମଚାରୀ ଗାଡିର ପିଛା କରିଥିଲେ। ପ୍ରାୟ ୪ଘଂଟା ପରେ ଡାବୁଗାଁ ବ୍ଲକ ପାତିରି ଜଙ୍ଗଲ ଠାରେ କାଠ ମାଫିଆମାନେ ଗାଡ଼ି ଛାଡି ଚମ୍ପଟ ମାରିଥିଲେ। ପରେ ବନ ବିଭାଗ ଗାଡିକୁ ଠାବ କରି ପିକଅପ ଗାଡି ଏବଂ ଗାଡ଼ିରେ ଥିବା ୧୩ ଖଣ୍ଡ ଶାଗୁଆନ ଗଛର ଗଣ୍ଡିକୁ ଜବତ କରିଥିଲେ।ଏ ହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଝରିଗାଁ ଥାନା ଏବଂ ନବରଙ୍ଗପୁର ଆରଟିଓ କାର୍ଯ୍ୟାଳୟକୁ ବନ ବିଭାଗ ପକ୍ଷରୁ ଲିଖିତ ସୂଚନା ଦେଇଥିବା ସୁଚନା ମିଳିଛି।

ସମ୍ବନ୍ଧିତ ଖବର