ପଡ଼ୋଶୀଙ୍କୁ ହତ୍ୟା ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ 

ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀକୁ ଠେଙ୍ଗାରେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗରେ ଆସାମୀକୁ ରାଇରଙ୍ଗପୁର କୋର୍ଟରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ସୂଚନା ଯୋଗ୍ୟ ଯେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଡ଼ାମରା ଗ୍ରାମର ଚନ୍ଦ୍ରମୋହନ ମହାନ୍ତ (୫୩) ସେହି ଗ୍ରାମର ପଡୋଶୀ ସୁକେଶ ମହାନ୍ତ(୫୯)ଙ୍କ ସହ ପୂର୍ବ ଶତ୍ରୁତା ଲାଗି ରହିଥିଲା । ୨୦୨୧ ଏପ୍ରିଲ ୧୮ ତାରିଖ ଅପରାହ୍ନରେ ଚନ୍ଦ୍ର ମୋହନ ମହାନ୍ତ ପଡୋଶୀ ସୁକେଶ ମହାନ୍ତ ଘର ପାଖକୁ ଯାଇ ଗାଳି, ଗୁଲଜ, ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲା। ସୁକେଶ ମହାନ୍ତ ଘର ବାହାରକୁ ଆସି କାହିଁକି ଗାଳି ଗୁଲଜ କରୁଛୁ ପ୍ରତିବାଦ କରିବାରୁ ଚନ୍ଦ୍ର ମୋହନ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସାଙ୍ଗରେ ଧରିଥିବା ଠେଙ୍ଗାରେ ସୁକେଶର ମୁଣ୍ଡକୁ ପିଟିବା ଯୋଗୁଁ ଗୁରୁତର ଅବସ୍ଥାରେ ସୁକେସ ତଳେ ପଡ଼ି ଯାଇଥିଲେ। ଏହାକୁ ଦେଖି ସୁକେଶଙ୍କ ପୁଅ ବୋହୂ ବିମଳା ଆସି ଶଶୁରଙ୍କ ରକ୍ଷା କରୁଥିବା ସମୟରେ ଉତ୍ୟକ୍ତ ଚନ୍ଦ୍ର ମୋହନ ମହାନ୍ତ ତାଙ୍କୁ ମଧ୍ୟ ଠେଙ୍ଗାରେ  ବାଡେଇ ଗୁରୁତର କରିଥିଲେ।
ଖବର ପାଇ ସୁକେଶଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବାପା ସୁକେଶକୁ ନେଇ ରାଇରଙ୍ଗପୁର ଡାକ୍ତରଖାନାକୁ ପହଞ୍ଚିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଥାନାଧିକାରୀ ରେଣୁବାଳା ସାହୁ ୧୬୬/୨୧ ମାମଲା ରୁଜୁ କରି ତଦନ୍ତ କରି ଆସାମୀକୁ ଗିରଫ କରିଥିଲେ। ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଘଟଣାର ପାରିପାର୍ଶ୍ବିକ ଘଟଣା, ପୁଲିସ ରିପୋର୍ଟ ଏବଂ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀ ଚନ୍ଦ୍ର ମୋହନ ମହାନ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ଏକ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଏପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।
ସମ୍ବନ୍ଧିତ ଖବର