ବେତଝରଣରେ ହତ୍ୟାକାଣ୍ଡ: ପ୍ରଥମେ ଛୁରି ଭୁସି ଯୁବକଙ୍କୁ ହତ୍ୟା, ହତ୍ୟାକାରୀକୁ ପିଟିପିଟି ମାରିଦେଲେ ଲୋକେ

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ବେତଝରଣ ଗାଁରେ ଶୁକ୍ରବାର ରାତିରେ ଦୁଇଜଣଙ୍କୁ ହତ୍ୟାକରାଯାଇଛି। ପ୍ରଥମେ ଝାଡ଼ଖଣ୍ଡରୁ ଆସିଥିବା ଜଣେ ଯୁବକ ଉକ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଗ୍ରାମବାସୀ ପ୍ରତିଶୋଧ ପରାୟଣ ହୋଇ ସଂଘବଦ୍ଧ ଭାବେ ସଂପୃକ୍ତ ଯୁବକକୁ ପିଟିପିଟି ହତ୍ୟା କରିଥିଲେ। ତେବେ ଉପାନ୍ତ ଅଞ୍ଚଳରେ ଘଟିଥିବା ଏହି ଡବଲ୍ ମର୍ଡର୍‌ ସଂପର୍କରେ ରାତିରେ ପୁଲିସ୍‌ ଟେର୍‌ ବି ପାଇ ନଥିଲା। ସକାଳୁ ସୂଚନା ପାଇ ଲାଠିକଟା ପୁଲିସ୍ ଗାଁ’କୁ ଯାଇ ଉଭୟ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବେତଝରଣରେ ଏକ ନାମକରଣ ଉତ୍ସବ ଥିଲା। ବଡ଼ଧରଣର ଭୋଜିଭାଜ ଆୟୋଜନ ହୋଇଥିଲା ଓ ଗାଁ ଲୋକଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁଲୋକ ଏଥିରେ ସାମିଲ ହୋଇଥିଲେ। ଝାଡ଼ଖଣ୍ଡରୁ କାଠକାମ କରିବାକୁ ଦିନ ଗୁଆଲା ନାମକ ଜଣେ ବ୍ୟକ୍ତି ମଧ୍ୟ ସେଠାକୁ ଆସିଥିଲା। କୌଣସି କାରଣରୁ ରାତି ପ୍ରାୟ ୧୧ଟାବେଳେ ଦିନ ଗୁଆଲା ସହିତ ବେତଝରଣ ଗାଁର କ୍ରିଷ୍ଣା ଗୁଆଲା(୪୨)ଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦିନ ଗୁଆଲା ପାଖରେ ରଖିଥିବା ଏକ ଛୁରିରେ କ୍ରିଷ୍ଣାଙ୍କୁ ଭୁଷି ଦେଇଥିଲା। ଫଳରେ ଘଟଣାସ୍ଥଳରେ କ୍ରିଷ୍ଣାଙ୍କର ମୃତ୍ୟୁ ହୋଇଥିଲା।

ଏହାଦେଖି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ହତ୍ୟାକାରୀ ଦିନ ଗୁଆଲାକୁ କାବୁ କରି ମାଡ଼ ମାରିଥିଲେ। ନିସ୍ତୁକ ମାଡ଼ରେ ଦିନର ମଧ୍ୟ ମୃତ୍ୟୁ ହୋଇଥିଲା। ରାତିସାରା ଶବଦ୍ବୟ ସେଠାରେ ପଡ଼ି ରହିଥିଲା। ମଧ୍ୟରାତ୍ରିର ଏହି ସମ୍ବେଦନଶୀଳ ଘଟଣା ସଂପର୍କରେ ପୁଲିସ୍‌କୁ ମଧ୍ୟ ସୂଚନା ମିଳିପାରି ନଥିଲା। ଶନିବାର ସକାଳେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ ଲାଠିକଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଦିନର ଶବକୁ ଝାଡ଼ଖଣ୍ଡ ପଠା ଯାଇଥିବାବେଳେ ଗାଁରେ କ୍ରିଷ୍ଣାଙ୍କ ଶବସତ୍କାର ହୋଇଥିଲା। ଦିନ ଗୁଆଲା ସହିତ ଝାଡ଼ଖଣ୍ଡରୁ ଆସିଥିବା ପୁତୁରା ଦୁଲୁ ରାଉତିଆ ଶନିବାର ସକାଳେ ତାଙ୍କ ବଡ଼ବାପାଙ୍କୁ କେହି ମାରିଦେଇଥିବା ନେଇ ଲାଠିକଟା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଛୁରି ଜବତ କରି ଘଟଣାର ତଦନ୍ତ କରୁଛି।

ଅନ୍ୟ ଏକ ଘଟଣାରେ ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲା ପଞ୍ଚାୟତର ବୁଡ଼ିକାନି ଗାଁରେ ସନ୍ତୋଷ କୁମ୍ଭାର (୪୨) ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ପାଣ୍ଡୁ ମୁଣ୍ଡା (୪୧) ପଥରରେ ଛେଚି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ସନ୍ତୋଷ କୁମ୍ଭାର ଘର ବାହାରେ ଶୋଇଥିଲେ। ଶୋଇଥିବା ସମୟରେ ପାଣ୍ଡୁ ମୁଣ୍ଡା ଏକ ବଡ଼ ପଥର ଆଣି ସନ୍ତୋଷଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣା ସମ୍ପର୍କରେ ସନ୍ତୋଷଙ୍କ ପରିବାର ଲୋକ ଜରେଇକେଲା ଫାଣ୍ଡିକୁ ସୂଚନା ଦେଇଥିଲେ। ସୂଚନା ପାଇ ଡିଏସ୍‌ପି ନିର୍ମଳ ମହାପାତ୍ରଙ୍କ ସମେତ ବିଶ୍ରା ଥାନା ଅଧିକାରୀ ପ୍ରଦୀପ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟନାର ତଦନ୍ତ ଆରମ୍ଭ କରିଥିଲେ। ଶନିବାର ପୁଲିସ୍‌ ଅଭିଯୁକ୍ତ ପାଣ୍ଡୁ ମୁଣ୍ଡାକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର