ନବ ଦାସ ହତ୍ୟା ମାମଲା: ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ରାଜନୀତି କରନ୍ତୁନି

ଆମେରିକା ସଂସ୍ଥା ଏଫ୍‌ବିଆଇର ସାହାଯ୍ୟ ନିଆଯିବ, ଜଣଙ୍କ ପାଇଁ ପୂରା ପୁଲିସ ବାହିନୀକୁ ଅପରାଧୀ ଆଖ୍ୟା ଦିଅନି

ଭୁବନେଶ୍ବର : ତତ୍‌କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା। ଏହାର ପୁଙ୍ଖାନୁପୁଙ୍ଖ ଓ ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଉଦ୍ୟମ ଜାରି ରଖିଛି। ‌ଦେଶର ଶ୍ରେଷ୍ଠ ଫୋରେନ୍‌ସିକ୍ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ନବ ଦାସ ହତ୍ୟା ଘଟଣାକୁ ନେଇ ବିରୋଧୀ ବିଧାନସଭାରେ ହଟ୍ଟଗୋଳ ଜାରି ରଖିଥିବା ବେଳେ ଆଜି ବିଧାନସଭାରେ ଏମିତି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ ବିଦେଶୀ ସଂସ୍ଥାର ସହଯୋଗ ନିଆଯିବାକୁ ପ୍ରକ୍ରିୟା ଜାରି ରହିଛି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ଏଥିସହିତ ସମ୍ବେଦନଶୀଳ ଘଟଣାର ରାଜନୀତି ନକରିବାକୁ ଆହ୍ବାନ ଦେଇଛନ୍ତି।

ବୁଧବାର ଦିନ ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋପାଳ ଦାସ ନାମକ ଜଣେ ସହକାରୀ ପୁଲିସ ସବ୍‌ଇନ୍‌ସପେକ୍ଟର ନିଜ ସର୍ଭିସ ପିସ୍ତଲରୁ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲେ। ଆମର ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା। ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ସରକାର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି।

odishaassembly.nic.in

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନ୍‌ସିକ୍‌ ଲାବୋରେଟୋରି ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି ଏ ଦିଗରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ସହାୟତା କରୁଛନ୍ତି। ସାକ୍ଷୀମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତି କରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକ ରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଛି। ଏହା ବାଦ୍ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତା’ର ଫୋରେନ୍‌ସିକ୍ ସାଇକୋଲୋଜିକାଲ୍‌ ଆସେସ୍‌ମେଣ୍ଟ୍‌ ଏବଂ ଲେୟାର୍‌ଡ୍‌ ଭଏସ୍‌ ଆନାଲିସିସ୍‌ ଟେଷ୍ଟ ନୂଆଦିଲ୍ଲୀର କେନ୍ଦ୍ର ଫୋରେନ୍‌ସିକ୍ ସାଇନ୍ସ୍‌ ଲାବୋରେଟୋରିର ବି‌ଶେଷଜ୍ଞମାନଙ୍କ ଦ୍ବାରା କରାଯାଇଛି। ଅଭିଯୁକ୍ତ ଠାରୁ ସତ୍ୟ ଉଦ୍‌ଘାଟନ ତଥା ଅଧିକ ତଥ୍ୟ ବାହାର କରିବା ପାଇଁ ଗୁଜୁରାଟ ଫୋରେନ୍‌ସିକ୍ ସାଇନ୍ସ୍‌ ଲାବୋରେଟୋରିର ବିଶେଷଜ୍ଞଙ୍କ ଦ୍ବାରା ନାର୍କୋ ଆନାଲିସିସ୍‌ କରାଯାଇଛି। ସତ୍ୟର ଉଦ୍‌ଘାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏଭଳି ମାମଲାରେ ଅପରାଧୀର ବ୍ୟାବହାରିକ ବିଶ୍ଳେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’(ଏଫ୍‌ବିଆଇ)ର ସହାୟତା ନେବା ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। ଆମେରିକାର ଏଫ୍‌ବିଆଇ ସଂସ୍ଥାର ବିହେଭେରିଆଲ୍‌ ସପର୍ଟ ୟୁନିଟ୍ ଦ୍ବାରା ଅଭିଯୁକ୍ତର ବ୍ୟାବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସହାୟତା ଲୋଡ଼ିଛନ୍ତି। ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା। ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ଫୋରେନ୍‌ସିକ୍ ବିଶେଷଜ୍ଞମାନଙ୍କ ସହାୟତା ନେଇ ଏହି ମାମଲାର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ଆମେ ସମସ୍ତ ପଦକ୍ଷେପ ନେବୁ ବୋଲି ଶ୍ରୀ ପଟ୍ଟନାୟକ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ।

Telegraph India

ବିରୋଧୀଙ୍କୁ ଭର୍ତ୍ସନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଭଳି ଏକ ସମ୍ବେଦନଶୀଳ ମାମଲାର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି। ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ। ସ୍ବାଧୀନ ବିଚାର ବ୍ୟବସ୍ଥା ଆମ ଗଣତନ୍ତ୍ରର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ। ଏହି ମାମଲାର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେବା ପରେ ପରେ ପୁଲିସର ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି । ତେଣୁ ଏହି ମାମଲାକୁ ନେଇ ରାଜନୀତି କରିବାର କ’ଣ ଆବଶ୍ୟକତା ଅଛି? ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାର କ’ଣ ଆବଶ୍ୟକତା ରହିଛି? ଭାରତ ୭୫ ବର୍ଷର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଓଡ଼ିଶାରେ ଅତ୍ୟନ୍ତ ପରିପକ୍ବ ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି। ଏହି ମାମଲାର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଆମର ଅନେକ ଏପରି ବିଷୟ ଅଛି ଯେଉଁଥିରେ କି ଆମେ ଭିନ୍ନମତ ହେବା, ଯୁକ୍ତି କରିବା ବା ବିତର୍କ ମଧ୍ୟ କରିପାରିବା; କିନ୍ତୁ ଆମେ କେବେ ବି ଏକ ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଉଚିତ ନୁହେଁ।

ଶ୍ରୀ ପଟ୍ଟନାୟକ କହିଥିଲେ, ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୁଲିସ କର୍ମଚାରୀ। ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡ଼ା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ତେବେ ସେ ଯାହା ହେଉ ନା କାହିଁକି, ଆମର ବିରୋଧୀ ଦଳର କେତେକ ନେତା, ବିଶେଷ କରି ରାଜ୍ୟ ବିଜେପିର ନେତାମାନେ ରାଜ୍ୟ ପୁଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ଦେଛନ୍ତି, ତାହା ଚିନ୍ତାଜନକ ଅଟେ। ଜଣେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୁଲିସ ବାହିନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି। ଏହା ହେଉଛି ରାଜ୍ୟ ପୁଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ। ଓଡ଼ିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୁଲିସ କର୍ମଚାରୀଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ। ଏହି ଅବସରରେ ବିଭିନ୍ନ ସମୟରେ ରାଜ୍ୟ ପୁଲିସ୍‌ ବାହିନୀର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ବିରୋଧୀ ଦଳ ନେତାଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଉଚ୍ଚ ସାମ୍ବିଧାନିକ ପଦବି ଅଳଙ୍କୃତ କରିଥିବା ଜଣେ ବ୍ୟକ୍ତି ଦାୟିତ୍ବରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ। ଓଡ଼ିଶା ସବୁବେଳେ ମହିଳାମାନଙ୍କୁ ସମ୍ମାନ ଜଣାଇଆସିଛି ଏବଂ ଏଭଳି ଲଜ୍ଜାଜନକ ଆଚରଣକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।

ସମ୍ବନ୍ଧିତ ଖବର