ଛତିଶଗଡ଼ଠୁ କିଛି ଶିଖିପାରିଲାନି ଓଡ଼ିଶା: ନିଜେ ନସଞ୍ଚି ଅନ୍ୟକୁ ଦୋଷ

ସମ୍ବଲପୁର: ଓଡ଼ିଶାର ଜୀବନରେଖା ମହାନଦୀ। ଛତିଶଗଡ଼ ରାଜ୍ୟ ଦେଇ ମହାନଦୀ ୪୫୦ କିଲୋମିଟର ପ୍ରବାହିତ ହୋଇଛି। ଓଡ଼ିଶା ମାଟିରେ ୪୦୧ କିଲୋମିଟର ଦୂର ବହିଯାଇଥିବା ମହାନଦୀ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ନିର୍ଭର କରୁଛି। ବର୍ଷର ଅଧିକାଂଶ ସମୟ ମହାନଦୀ ଏବେ ପ୍ରାୟତଃ ଶୁଖିଲା ପଡ଼ୁଥିଲେ ବି ଓଡ଼ିଶା ସରକାର ଛତିଶଗଡ଼ ଭଳି ଜଳ ସଂରକ୍ଷଣ ପ୍ରତି ଗୁରୁତ୍ବ ଦେଉନଥିବା ମନେ ହେଉଛି। ୨୦୧୬ ମସିହାରେ ଛତିଶଗଡ଼ ମହାନଦୀ ଉପରେ ନିଜର ଶେ‌ଷ ବ୍ୟାରେଜ କଲ୍‌ମା ବ୍ୟାରେଜ ନିର୍ମାଣ କାମ ସାରିବା ପରେ ଓଡ଼ିଶାକୁ ମହାନଦୀ କଥା ମନେ ପଡ଼ିଥିଲା। ତେବେ, ଏହା ପୂର୍ବରୁ ଛତିଶଗଡ଼ ମହାନଦୀରେ ଆହୁରି ୫ଟି ବ୍ୟାରେଜ ନିର୍ମାଣ କରିସାରିଥିଲା। ଛତିଶଗଡ଼ ନିଜ ରାଜ୍ୟର ସ୍ବାର୍ଥ କଥା ଚିନ୍ତା କରିବା ସ୍ବାଭାବିକ।

ଓଡ଼ିଶା ନଭେମ୍ବର ୨୦୧୬ ମସିହାରେ ମହାନଦୀ ଜଳ ବ୍ୟବହାରକୁ ନେଇ ଛତିଶଗଡ଼ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଥିଲା। ଗତ ୨୦୧୭ ମସିହାରେ ଗଠିତ କେନ୍ଦ୍ର ସରକାରଙ୍କ ଆପୋସ ବୁଝାମୁଣା ପାଇଁ କମିଟି ବିଫଳ ହୋଇଥିଲା। ଏପ୍ରିଲ ୨୦୧୮ରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଥିଲେ। ଇତିମଧ୍ୟରେ ୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ସମାଧାନର ସୂତ୍ର ଫିଟି ନାହିଁ। ଓଡ଼ିଶା ସରକାର ଚାହିଥିଲେ ଏହି ଅବଧି ମଧ୍ୟରେ ଅନ୍ୟୂନ ୧୦ଟି ଏଭଳି ପ୍ରକଳ୍ପ (ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍) ନିର୍ମାଣ କରିସାରି‌ଥାନ୍ତେ। ଏଭଳି ପ୍ରକଳ୍ପରେ ବିସ୍ଥାପନ ସମସ୍ୟା ନାହିଁ କିମ୍ବା ବଡ଼ ବଜେଟର ବି ଆବଶ୍ୟକତା ନାହିଁ। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ତଥା ୫୦.୩୯ ଏମ୍‌ସିଏମ୍‌ ଜଳଧାରଣ କ୍ଷମତା ବିଶିଷ୍ଟ କଲମା ବ୍ୟାରେଜ ନିର୍ମାଣରେ ଛତିଶଗଡ଼ ସରକାର ମାତ୍ର ୧୮୨.୦୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଓଡ଼ିଶା ନିଜ ଭାଗର ମହାନଦୀ ଜଳର ସଦୁପୋଯୋଗ କରିନପାରି ସମୁଦ୍ରକୁ ଛାଡ଼ି ଦେଉଥିବା ଛତିଶଗଡ଼ ଅଭିଯୋଗ କରିଆସୁଛି। ଏହାର କେତେକାଂଶରେ ସତ୍ୟତା ବି ରହିଛି। ଅଣମୌସୁମୀ ଋତୁରେ ଜଳ ସଂରକ୍ଷଣ ନିମନ୍ତେ ଓଡ଼ିଶା ମହାନଦୀରେ କମ୍‌ ଉଚ୍ଚତାର ବ୍ୟାରେଜ୍(ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ) ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏଭଳି ହେଲେ, ଅଣମୌସୁମୀ ସମୟରେ ମହାନଦୀ ଜଳପୂର୍ଣ୍ଣ ରହିବ। ଆଖପାଖ ଅଂଚଳର ଭୂଗର୍ଭ ଜଳସ୍ତର ବଢ଼ିବା ସହିତ ଲୋକଙ୍କୁ ଆଉ ଗ୍ରୀଷ୍ମଦିନେ ଜଳକଷ୍ଟ ଭୋଗିବାକୁ ପଡ଼ିବ ନାହିଁ।

ନଦୀର ଉଭୟ ପାର୍ଶ୍ୱରେ ଉଠା ଜଳସେଚନ ମାଧ୍ୟମରେ ରବି ଧାନ ତଥା ପରିବା ଚାଷ ବି ହୋଇପାରିବ। ଏହା ଦ୍ୱାରା ପର୍ଯ୍ୟାବରଣ ମଧ୍ୟ ସନ୍ତୁଳିତ ହେବ। ‌ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ସବୋର୍ଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି, ୧୯୫୮-୨୦୨୨ ମସିହା ମଧ୍ୟରେ ଅକ୍ଟୋବରରେ ବିଦ୍ୟୁତ୍‌ ଉତ୍ପାଦନ ପରେ ହାରାହାରି ୧୪୩୦୦ କ୍ୟୁ‌ସେକ୍ ଜଳ ପାୱାର୍ ଚ୍ୟାନେଲରୁ ମହାନଦୀକୁ ପ୍ରବାହିତ ହୋଇଥାଏ। ମହାନଦୀରେ ୪ ମିଟର ଉଚ୍ଚ ବିଶିଷ୍ଟ ଗେଟ୍ ଥାଇ ‌‌ନିର୍ମିତ ଗୋଟିଏ ପ୍ରକଳ୍ପରେ ଜଳଧାରଣ କ୍ଷମତା ପାଖାପାଖି ୦.୦୧୪୦ ନିୟୁତ ଏକର ଫୁଟ ହେବ। ହାରାହାରି ୭୫୦୦ କ୍ୟୁସେକ୍ ହାରରେ ଜଳ ସଂରକ୍ଷଣ କରାଗଲେ ପାଖାପାଖି ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପ୍ରକଳ୍ପ ଭର୍ତ୍ତି ହୋଇଯିବ। ଅକ୍ଟୋବର ପ୍ରଥମ ୧୦ ଦିନ ମଧ୍ୟରେ ଏଭଳି ୧୦ଟି ପ୍ରକଳ୍ପରେ ଜଳ ଭର୍ତ୍ତି କରାଯାଇପାରିବ। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ତଥା ଅପର୍‌ ମହାନଦୀ ବେସିନ୍‌ର ପରିଚାଳକ ଆନନ୍ଦ ସାହୁଙ୍କୁ ପଚାରିବାରୁ ମହାନଦୀର ତଳମୁଣ୍ଡରେ ଦେଓଗାଁ, କପାସିରା, ଗୋଧନେଶ୍ବର, ବଣିଆ, ଖଇରମାଲ ଆଦି ୫ଟି ଜାଗାରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର