ଜାମତାରା ଗ୍ୟାଙ୍ଗ୍‌ରେ ଓଡ଼ିଆ ଶିକ୍ଷକ

ବାଲେଶ୍ବରରେ ଠକଙ୍କ କଲ୍ ସେଣ୍ଟର, କାର୍ପଟଦାର ଦୀପକ ଗିରଫ

କଟକ : ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗରେ ଅଛନ୍ତି ଜଣେ ଓଡ଼ିଆ ଆଇଟିଆଇ(ଶିଳ୍ପ ତାଲିମ୍ କେନ୍ଦ୍ର) ଶିକ୍ଷକ। ବାଲେଶ୍ବର ଏଫ୍‌ଏମ୍ ଆଇଟିଆଇ କଲେଜର ପୂର୍ବତନ ଶିକ୍ଷକ ଦୀପକ କୁମାର ସାହୁଙ୍କୁ କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ଗିରଫ କରିଛି। ବାଲେଶ୍ବର ବାଲିଆପାଳ ଅଞ୍ଚଳର ଦୀପକ ବାଲେଶ୍ବର ଓ ବାରିପଦା ଅଞ୍ଚଳରୁ ଆଗୁଆ ଆକ୍ଟିଭ୍ ହୋଇଥିବା ସିମ୍ କାର୍ଡ ଜାମତାରା ଗ୍ୟାଙ୍ଗକୁ ୫ ବର୍ଷ ହେବ ସେ ଯୋଗାଇ ଆସୁଥିଲେ। ଏହାସହିତ ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଗ୍ରାହକଙ୍କୁ ଫୋନ୍ କରିବା ଟଙ୍କା ଲୁଟୁଥିବା ଭଳି ସଂଗିନ ଅଭିଯୋଗ ଦୀପକଙ୍କ ବିରୋଧରେ ରହିଛି। ବାଲେଶ୍ବରରେ ବି ଜାମତାରା ଶୈଳୀରେ ସମାନ୍ତରାଳ ଭାବେ ଏକ କଲ୍ ସେଣ୍ଟର ଖୋଲିଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ବବିଦ୍ୟାଳୟର ଅତିଥି ଅଧ୍ୟାପକ ଡକ୍ଟର ଜୟଦେବ ଜେନାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଫେବ୍ରୁଆରି ୨୮ ତାରିଖରେ ଲୁଟ୍ ପଛରେ ଜାମତାରା ଗ୍ୟାଙ୍ଗର ଏକ ଲିଙ୍କ୍ କ୍ରମାଗତ ଭାବେ ସାମ୍‌ନାକୁ ଆସୁଛି। ପ୍ରଥମେ ଗଲା ୧୭ ତାରିଖରେ ବାଲେଶ୍ବର ବସ୍ତାରେ ଜିଓର ମ୍ୟାନେଜର ଶଙ୍କର ଦାସ ଅଧିକାରୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ସୁଶାନ୍ତ କୁମାର ବେହେରା ଓରଫ ଟିକିନାଙ୍କୁ ଗିରଫ କରାଯାଇଥିଲା। ଆଜି ଦୀପକଙ୍କୁ ଗିରଫ ପରେ ଜାମତାରା ଗ୍ୟାଙ୍ଗ ସହିତ ଏମାନଙ୍କ ସମ୍ପର୍କକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ହସ୍ତଗତ ତଥ୍ୟ ଅନୁସାରେ, ଦଶମ ଶ୍ରେଣୀ ଯାଏ ପଢ଼ିଥିବା ଶଙ୍କର ଓ ଯୁକ୍ତ ୩ ଯାଏ ପଢ଼ିଥିବା ସୁଶାନ୍ତ ଜିଓରେ କାମ ଆରମ୍ଭ କରିବାପରେ ଏଭଳି ସିମ୍ ଚୋରାଚାଲାଣ କାରବାରରେ ସାମିଲ ହୋଇଥିଲେ। ଜଣେ ଜଣେ ଗ୍ରାହକଙ୍କ ନାଁରେ ଦୁଇଟି ଲେଖାଏଁ ସିମ୍ କାର୍ଡ ପ୍ରସ୍ତୁତ କରି ଦୀପକଙ୍କୁ ବିକ୍ରି କରୁଥିଲେ। ଶଙ୍କରଙ୍କ ପୁତୁରା ହେଉଛନ୍ତି ଦୀପକ। ସେ ବାଲେଶ୍ବରରେ ବିଟେକ୍ ପଢ଼ା ଶେଷ କରିବା ପରେ ଆଇଟିଆଇ ପଢ଼ିଥିଲା। ପରେ ବାଲେଶ୍ବରରେ ଏଫଏମ୍ ଆଇଟିଆଇ କଲେଜରେ କାଲକୁଲେସନ୍ ପଢ଼ାଉଥିଲା। ଶିକ୍ଷକତା ଛାଡ଼ି ଏବେ ଆକାଉଣ୍ଟିଂ ଚାକିରି କରୁଥିଲା। ଆକାଉଣ୍ଟିଂ ଚାକିରି ସହିତ ଜାମତାରା ଗ୍ୟାଙ୍ଗକୁ ଚୋରା ସିମ୍ ଯୋଗାଉଥିଲା। କୋଲକାତାର ଜଣେ ଯୁବକ ପ୍ରତି ସପ୍ତାହରେ ଟ୍ରେନ୍ ଏବଂ ବସରେ ବାଲେଶ୍ବର ଆସି ଦୀପକ ନିକଟରୁ ସିମ୍ ପିଛା ୨୩୦ରୁ ୨୫୦ ଟଙ୍କାରେ ସିମ୍ କିଣି ନେଉଥିଲେ। କଲିକତାର ଯେଉଁ ଯୁବକ ସିମ୍ କାର୍ଡ ନେଉଥିଲା, ତାର ନିଜର ସାଇବର୍ ଅପରାଧୀଙ୍କ କଲ୍ ସେଣ୍ଟର ଥିଲା। ଦୀପକ ବି ନିଜେ ବାଲେଶ୍ବରରେ ରହି ସାଇବର୍ ଠକେଇ କରୁଥିଲେ। ନିଜସ୍ବ କଲ୍ ସେଣ୍ଟର ଖୋଲି ଏଭଳି ଅପରାଧ ୨୦୧୭ରୁ କରିଆସୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଖବର ପାଇଛି। ବ୍ୟାଙ୍କ୍ ଗ୍ରାହକଙ୍କୁ କିଭଳି ଫୋନ୍ କରି ଟଙ୍କା ଠକେଇ କରାଯିବ, ସେ ନେଇ ଜାମତାରା ଗ୍ୟାଙ୍ଗ ଦୀପକଙ୍କୁ ଅନଲାଇନରେ ଏକ ତାଲିମ୍ ବି ଦେଇଥିବା ଜଣାପଡ଼ିଛି।

ଦୀପକଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୩୬ଟି ଏଟିଏମ କାର୍ଡ, ୧୧ଟି ମୋବାଇଲ୍ ଫୋନ, ନଗଦ ୧ ଲକ୍ଷ ୮ ହଜାର ୯୮୦ ଟଙ୍କା, ହାର୍ଡ ଡ୍ରାଇଭ, ଲାପଟପ୍, ୧୧୬ଟି ସିମ୍ କାର୍ଡ, ୪ଟି ପେନ୍ ଡ୍ରାଇଭ୍ ଜବତ ହୋଇଛି। ଦୀପକ ନିକଟରୁ ଜବତ ହୋଇଥିବା ଏଟିଏମ୍ କାର୍ଡ ମଧ୍ୟରୁ ମାତ୍ର ୫ଟି ତା ନାଁରେ ଥିବାବେଳେ ଅବଶିଷ୍ଟ ଏଟିଏମ୍ କାର୍ଡର ପ୍ରକୃତ ମାଲିକାନା ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସାଇବର୍ ଥାନା ପକ୍ଷରୁ ଚିଠି ଲେଖାଯାଇଛି।

ସାଇବର୍ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁଙ୍କ ସମେତ ଏସଆଇ ଦେବୀ ପ୍ରସାଦ ସାହୁ, କନଷ୍ଟେବଳ ଅନିଲ କୁମାର ଦାସ, ସୌମ୍ୟରଞ୍ଜନ ସୁନ୍ଦରରାୟ ପ୍ରମୁଖ ଦୀପକଙ୍କୁ ଗିରଫ କରିଥିବା ବେଳେ ଜାମତାରା ଲିଙ୍କ୍ ଖୋଳତାଡ଼ ପାଇଁ ଏକ ଟିମ୍ ଝାଡ଼ଖଣ୍ଡ ଯିବାକୁ ଯୋଜନା ଚଳାଇଛି।

ସମ୍ବନ୍ଧିତ ଖବର