‌ଫୋନ ଇନ ପ୍ଲିଜ: ମଣିପୁର ହିଂସା ନିୟନ୍ତ୍ରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ

ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରୁନାହାନ୍ତି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’‌ରେ ଭାଗ ନେଇଥିବା ଅନୁଗୁଳ ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସଂପୂର୍ଣ୍ଣ ବିଫଳ ହୋଇଛି। ମଣିପୁର ରାଜ୍ୟରେ ଲାଗି ରହିଥିବା ହିଂସା, ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ହେଲେ ସେହି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ବଦଳରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଅଛନ୍ତି।
-ଅନଙ୍ଗ ଚରଣ ବେହେରା, ଏନ୍‌ଟିପିସି,କଣିହାଁ

ଦୁଇ ମାସ ହେଲା ମଣିପୁର ଜଳୁଛି। ସେଠାରେ ହିଂସା, ଗୋଷ୍ଠୀ ସଂଘର୍ଷ ଲାଗି ରହିଛି। ଅଥଚ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଅଛନ୍ତି। ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସନ୍ତା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ମଣିପୁରରେ ଦୁଇ ସଂପ୍ରଦାୟଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ତେଣୁ ମଣିପୁର ହିଂସା ରୋକିବାରେ କେନ୍ଦ୍ର ସଂପୂର୍ଣ୍ଣ ବିଫଳ ହୋଇଛି।
-ସିଦ୍ଧେଶ୍ବର ଆଚାର୍ଯ୍ୟ, କଲେଜ୍ ଛକ, ଅନୁଗୁଳ

ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ସଫଳ ହୋଇଛି ବୋଲି ବିଜେପି ପ୍ରଚାର କରୁଛି। କେନ୍ଦ୍ର ସରକାରଙ୍କ ସଫଳତା କେବଳ ଭାଷଣବାଜିରେ ରହିଛି। ମଣିପୁର ହିଂସାରୁ ଏହା ପ୍ରମାଣିତ ହୋଇଛି। ବିଶ୍ବଗୁରୁ ନାରାବାଜି ଦେଉଥିବା ପ୍ରଧାନମନ୍ତ୍ରୀ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ନିଜ ଗୁରୁ ଦାୟିତ୍ବକୁ ଭୁଲିଯାଇଛନ୍ତି।
-ଶରତ ଚନ୍ଦ୍ର ପଣ୍ଡା, ଭାପୁର, ଢେଙ୍କାନାଳ

ସମ୍ବନ୍ଧିତ ଖବର