ଧୀରଜଙ୍କ କଳାଟଙ୍କାର ଗୁମର ଖୋଲିବାକୁ ପିଆଇଏଲ୍‌: ଝାଡ଼ଖଣ୍ଡ ହାଇକୋର୍ଟରେ ମାମଲା

ତିନିପିଢ଼ି ଧରି ରାଜନୀତି ଓ ବେପାରରେ ଦବ୍‌ଦବା

ସୁନ୍ଦରଗଡ଼: ଝାଡ଼ଖଣ୍ଡର ମଦସମ୍ରାଟ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କଳାଟଙ୍କାର ଗୁମର ଖୋଲିବାକୁ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୁଜୁ ହୋଇଛି। ଜାମସେଦପୁରର ଡାନିଏଲ୍‌ ଦାନିସ ନାମକ ଜଣେ ବ୍ୟକ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ତଦନ୍ତ ଭାର ଦେବାକୁ କୋର୍ଟଙ୍କୁ ନିବେଦନ କରି ଏହି ମାମଲା କରିଛନ୍ତି। ଆୟକର ବିଭାଗ ସାଂସଦ ଶ୍ରୀ ସାହୁଙ୍କ ବାସଭବନ ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ ନଗଦ ୩୫୪ କୋଟି ଟଙ୍କା ଜବତ କରିଥିଲେ ମଧ୍ୟ ସେସବୁ ଟଙ୍କାର ଉତ୍ସ ଉପରେ କୌଣସି ତଥ୍ୟ ହାସଲ କରିପାରି ନାହିଁ। ପ୍ରକୃତରେ ଏସବୁ ଟଙ୍କା ୨୦୨୪ ନିର୍ବାଚନରେ ଖର୍ଚ୍ଚ କରିବାକୁ ରଖାଯାଇଥିଲା ବୋଲି ଡାନିଏଲ୍‌ ଉଲ୍ଲେଖ କରିବା ସହ ସିବିଆଇ, ଇଡି ତଦନ୍ତ କଲେ ଗୁମର ଫିଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ମାମଲାରେ କେନ୍ଦ୍ର ସରକାର, ସିବିଡିଟି ଅଧ୍ୟକ୍ଷ, ଆୟକର ବିଭାଗ ମହାନିର୍ଦେଶକ, ସିବିଆଇ ନିର୍ଦେଶକ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପକ୍ଷଭୁକ୍ତ କରିବା ସହ ରାଜ୍ୟସଭାରୁ ଧୀରଜଙ୍କୁ ବହିଷ୍କୃତ କରିବାକୁ ସେ ପ୍ରାର୍ଥନା କରିଛନ୍ତି।

ତିନିପିଢ଼ି ଧରି ରାଜନୀତି ଓ ବେପାରରେ ଦବ୍‌ଦବା
ଧୀରଜଙ୍କ ବାପା ବଳଦେବଙ୍କ ଘରକୁ ଆସିଥିଲେ ଇନ୍ଦିରା ଗାନ୍ଧି, ରାଜେନ୍ଦ୍ର ପ୍ରସାଦ

ସୂଚନା ଅନୁସାରେ ମଦର ବିଶାଳ ସାମ୍ରାଜ୍ୟ ଛିଡ଼ା କରିଥିବା ପ୍ରଭାବଶାଳୀ ଧୀରଜଙ୍କ ପରିବାର ଶହେ ବର୍ଷରୁ ଅଧିକ ସମୟ ଧରି ମଦ ବେପାର କରି ଆସୁଛନ୍ତି। ଛୋଟାନାଗପୁରରେ ଜନ୍ମିତ ଧୀରଜଙ୍କ ବାପା ବଳଦେବ ସାହୁ ଝାଡ଼ଖଣ୍ଡର ଲୋହରଦାଗାକୁ ବେପାର କରିବାକୁ ଆସି ମଦ ଓ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ। ସ୍ବାଧୀନତା ପରଠାରୁ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ବଳଦେବ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପାଖଲୋକ ଥିଲେ। ଶ୍ରୀମତୀ ଗାନ୍ଧିଙ୍କ ସହ ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ତାଙ୍କ ଲୋହରଦାଗାସ୍ଥ ଘରକୁ ଆସିବା ରାଜନୀତିରେ ତାଙ୍କ ପ୍ରଭାବକୁ ସୂଚାଇଥିଲା। ସେହି ସମୟରେ କେନ୍ଦ୍ର ସରକାର ତାଙ୍କୁ ରାୟ ସାହେବ ସମ୍ମାନ ପ୍ରଦାନ କରିଥିଲେ। ବଳଦେବଙ୍କ ବଡ଼ ପୁଅ ଶିବପ୍ରସାଦ ରାଞ୍ଚିରୁ ୨ଥର କଂଗ୍ରେସ ଟିକଟରେ ସାଂସଦ ହୋଇଥିବା ବେଳେ ୧୯୭୭ରେ ଯୁବ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ଧୀରଜ ପ୍ରସାଦ ୨୦୦୯ରୁ ଲଗାତାର ୩ ଥର ରାଜ୍ୟସଭାକୁ ଯାଇଛନ୍ତି।

ତେ‌ବେ ବଳଦେବଙ୍କ ଉତ୍ତରାଧିକାରୀ ଭାବେ ଧୀରଜ ଓ ତାଙ୍କ ଭାଇମାନେ ମଦ ବ୍ୟବସାୟ ସମ୍ଭାଳିଥିଲେ। ସେମାନଙ୍କ ମଦ ବ୍ୟବସାୟ ବିହାର ଓ ଝାଡ଼ଖଣ୍ଡ ସୀମା ଡେଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଆଦି ରାଜ୍ୟର ବଜାରକୁ ବି କବ୍‌ଜା କରିଥିଲା। କେବଳ ମଦ ବେପାର ନୁହେଁ, ବଳଦେବଙ୍କ ୬ ପୁଅଙ୍କ ମଧ୍ୟରୁ ଶିବପ୍ରସାଦ, କିଶୋର ପ୍ରସାଦ, ନନ୍ଦଲାଲ, ଗୋପାଳ ଓ ଉଦୟ ପ୍ରସାଦଙ୍କ ପରିବାର ସଦସ୍ୟମାନେ ହୋଟେଲ, ରିୟଲଇଷ୍ଟେଟ୍‌, ଅଟୋମୋବାଇଲ୍‌, ପରିବହନ ସହ ଡାକ୍ତରଖାନା, ସ୍କୁଲ ପରି ବଡ଼ବଡ଼ ବ୍ୟବସାୟରେ ସମ୍ପୃକ୍ତ। ରାଜନୀତିରେ ଅଖଣ୍ଡ କ୍ଷମତା ରଖିଥିବା ସାହୁଙ୍କ ପରିବାରର ସଦସ୍ୟମାନଙ୍କ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ବେଶ ଦଖଲଥିଲା। ସିବିଆଇର ପୂର୍ବତନ ନିର୍ଦେଶକ ସୁବୋଧ କୁମାର ଜୟସ୍ବାଲ ଧୀରଜଙ୍କ ଭାଇ ନନ୍ଦଲାଲଙ୍କ ଜ୍ବାଇଁ। ରାଜନୀତି ଓ ବେପାରରେ ଦବ୍‌ଦବା ରଖିଥିବା ଧୀରଜ ବିପୁଳ ସମ୍ପତ୍ତି‌ର ଅଧିକାରୀ ହୋଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର