ଚିନ୍ତା ବଢ଼ାଇଲା ଅନୁଗୁଳ ପ୍ରଦୂଷଣ: କୋଇଲା ଦହନ, ପରିବହନ ପ୍ରମୁଖ କାରଣ
ଅନୁଗୁଳ: ଗତକାଲି ଅନୁଗୁଳର ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ବାୟୁର ମାନ ସୂଚକାଙ୍କ) ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି। ଓଡ଼ିଶାର ହୃଦୟ ଅନୁଗୁଳ ସହରର ବାୟୁର ମାନ ଏତେ ଖରାପ କଣ ପାଇଁ? ତାହାକୁ ନେଇ ସାଧାରଣରେ ସ୍ବତଃ ପ୍ରଶ୍ନ ସୃଷ୍ଟି ହୋଇଛି।
ଓଡ଼ିଶାର ଅନ୍ୟ ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ, ଦ୍ରୁତ ଶିଳ୍ପାୟନ ଓ ନଡ଼ାପୋଡ଼ିକୁ ବାୟୁ ପ୍ରଦୂଷଣର କାରଣ ବୋଲି ଧରାଯାଇଛି। ତେବେ ଅନୁଗୁଳର ବାୟୁ ପ୍ରଦୂଷଣର ଏକାଧିକ କାରଣ ରହିଛି। ବିଶେଷକରି ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ, ପାଉଁଶ ପରିବହନ, କୋଇଲା ଚାଲାଣ ଏବଂ କୋଇଲା ଦହନକୁ ଦାୟୀ କରାଯାଇଛି। ପ୍ରତିବର୍ଷ ଏହି ଶୀତଦିନେ ଅନୁଗୁଳର ପବନରେ ଏପରି ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। ଏହାର କୌଣସି ସ୍ଥାୟୀ ପ୍ରତିକାର ବାହାରିପାରୁ ନାହିଁ। ରାଜ୍ୟ ଓ ଦେଶର ରାଜକୋଷକୁ ସମୃଦ୍ଧ କରୁଥିବା ଏବଂ ଅର୍ଥନୈତିକ ସ୍ଥିତିକୁ ମଜଭୁତ କରୁଥିବା ଅନୁଗୁଳ ଦିନକୁ ଦିନ ରୋଗାକ୍ରାନ୍ତ ହେବାରେ ଲାଗିଛି। ଏଥିଲାଗି ସତେ ଯେପରି କାହାର ଚିନ୍ତା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳ ଜିଲ୍ଲାର ତାଳଚେର, କଣିହାଁ ଏବଂ ଛେଣ୍ଡିପଦା ବ୍ଲକ୍ କଳାହୀରା ଲାଗି ପରିଚୟ ଲାଭ କରିଛି। ଏହି ଅଞ୍ଚଳରୁ ବ୍ୟାପକ କୋଇଲା ଉତ୍ତୋଳନ କରାଯାଇ ଦେଶ ଓ ବିଦେଶକୁ ରପ୍ତାନି କରାଯାଉଛି। କୋଇଲା ଉତ୍ତୋଳନ ସମୟରେ ବିଭିନ୍ନ କାରଣକୁ ନେଇ ଏହିସବୁ ଅଞ୍ଚଳର ବାୟୁରେ ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। କୋଇଲା ଉତ୍ତୋଳନ କରିବା, ତାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ କରି ରଖିବା, ପରେ ଟ୍ରକ୍ ଓ ଟ୍ରେନ୍ରେ ଭର୍ତ୍ତି କରି ବିଭିନ୍ନ ସ୍ଥାନକୁ ପରିବହନ କରିବା ପର୍ଯ୍ୟନ୍ତ ହେଉଥିବା ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବ୍ୟାପକ ଗୁଣ୍ଡ (ଧୂଳିକଣା) ବାୟୁମଣ୍ଡରେ ମିଶି ପରିବେଶକୁ ଦୂଷିତ କରୁଛି। ସେହିପରି କୋଇଲାଖଣ୍ଡକୁ ସ୍ବତନ୍ତ୍ର ଆକାର ଦେବା ସମୟରେ କୋଲ୍ ୱାସେରିଗୁଡ଼ିକରେ ଯେତେବେଳେ ଏହାର ପ୍ରକ୍ରିୟାକରଣ କରାଯାଉଛି ସେତେବେଳେ ମଧ୍ୟ କୋଇଲା ଗୁଣ୍ଡ ଉଡ଼ି ବାୟୁମଣ୍ଡଳରେ ମିଶୁଛି। ଅନ୍ୟପକ୍ଷରେ ତାଳଚେର, ଛେଣ୍ଡିପଦା ଏବଂ କଣିହାଁ ଅଞ୍ଚଳରେ କୋଇଲା ଚୋରା କାରବାର ବ୍ୟାପକ ହେଉଛି। କିଛି କୋଇଲା ମାଫିଆ କୋଇଲାକୁ ଚୋରି କରି ଆଣିବା ପରେ ତାହାକୁ ପୋଡ଼ି ବିକ୍ରି କରୁଛନ୍ତି। କୋଇଲା ପୋଡ଼ି ସମୟରେ ନିର୍ଗତ ହେଉଥିବା ଧୂଆଁ ସିଧାସଳଖ ବାୟୁମଣ୍ଡଳରେ ମିଶୁଛି। ପରିବହନ ସମୟରେ କିଛି କୋଇଲା ବୋଝେଇ ଗାଡ଼ି ପାଲ ଘୋଡ଼ାଉ ନଥିବାରୁ ଏଥିରୁ ଗୁଣ୍ଡ ଉଡ଼ି ବାୟୁରେ ମିଶୁଛି। ଏତଦ୍ବ୍ୟତୀତ ଏହି ଅଞ୍ଚଳ ଦେଇ ଯାଇଛି ୫୫, ୧୪୯ ଓ ୫୩ ନମ୍ବର ଜାତୀୟ ରାଜପଥ। ଏହିସବୁ ରାଜପଥ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁର, ରାଉରକେଲା, ଭୁବନେଶ୍ବର, କଟକ, ଯାଜପୁର ଆଦିକୁ ସଂଯୋଗ କରୁଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ରହିଛି ଏକାଧିକ ବୃହତ୍ ଇସ୍ପାତ କାରଖାନା। ସେହପିର ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି। ଏହିସବୁ କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି। ଏଥିଯୋଗୁଁ ବାୟୁମଣ୍ଡଳରେ ବିଷାକ୍ତ ଧୂଆଁ ଓ ଧୂଳିକଣା ମିଶୁଛି। ଏହାସହିତ କାରଖାନାରୁ ବାହାରୁଥିବା ପାଉଁଶ ପରିବହନ, ବ୍ୟାବସାୟିକ ଅନୁଷ୍ଠାନ, ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ବାୟୁର ମାନ ଖରାପସ୍ତରକୁ ଚାଲିଯାଉଛି।
ଏ ସଂପର୍କରେ ଓଡ଼ିଶା ପରିବେଶ ସମିତିର ସଂପାଦକ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଅନୁଗୁଳ ଜିଲ୍ଲାରେ ଏକାଧିକ ଖୋଲାମୁହଁ କୋଇଲା ଖଣି ରହିଛି। ତେଣୁ ଖଣି ଓ ଶିଳ୍ପ ଏହି ସହରର ପ୍ରଦୂଷଣକୁ ବଢ଼ାଇ ଦେଉଛି। ବିଶେଷକରି ଫ୍ଲାଏ ଆସ୍ ଅନୁଗୁଳର ବାୟୁ ମଣ୍ଡଳରେ ଭର୍ତ୍ତି ହୋଇ ରହୁଛି। ଫଳରେ ପିଏମ୍ ୨.୫ ମାତ୍ରା ଅଧିକ ରହୁଛି। ଏହା ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରେ। ଏହି ସୂକ୍ଷ୍ମ କଣିକା ଫୁସ୍ଫୁସ୍ ଓ ରକ୍ତ ପ୍ରବାହରେ ମଧ୍ୟ ପ୍ରବେଶ କରିପାରେ। ଯାହା ବ୍ୟକ୍ତିର ଫୁସ୍ଫୁସ୍ ଓ ହୃଦପିଣ୍ଡକୁ ପ୍ରଭାବିତ କରିଥାଏ। ଶ୍ରୀ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ସାଧାରଣତଃ ଶୀତଦିନେ ତାପମାତ୍ରା ବହୁତ କମ୍ ରହୁଥିବାରୁ ଏହି ଧୂଳିକଣାଗୁଡ଼ିକ ଉପରକୁ ଯାଇପାରେ ନାହିଁ। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ବର୍ଷ ନହେବା, ପବନ ନବୋହିବା ଫଳରେ ଏହି ବିଷାକ୍ତ କଣିକା ବାୟୁମଣ୍ଡଳରେ ସ୍ଥିର ହୋଇ ଗୋଟିଏ ଅଞ୍ଚଳରେ ରହିଯାଏ। ଯାହା ବାୟୁର ମାନକୁ ଅତି ଖରାପସ୍ତରକୁ ନେଇଯାଏ। ଅନ୍ୟପକ୍ଷରେ ଖରାଦିନେ ବାୟୁର ତାପମାତ୍ରା ଅଧିକ ଥିବାରୁ ଏହି କଣିକାଗୁଡ଼ିକ ଉତ୍ତପ୍ତ ହୋଇ ଉପରକୁ ଉଠିଯାଆନ୍ତି। ଫଳରେ ବାୟୁର ମାନ ଏତେ ଖରାପ ହୋଇ ନଥାଏ। ତେବେ ପ୍ରଭାବିତ ଅଞ୍ଚଳରେ ନିୟମିତ ଜଳ ସିଞ୍ଚନ କରାଗଲେ ଏହାକୁ କିଛି ମାତ୍ରାରେ ହ୍ରାସ କରାଯାଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ସେହିପରି ଜାତୀୟ ରାଜପଥରେ ଯେପରି ଅଧିକ ଧୂଳି ଜମା ନହେବ ସେଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକ ରହିଛି। ନିୟମିତ ବ୍ୟବଧାନରେ ଧୂଳି ସଫେଇ କରାଯିବା ଦରକାର। ଏହିସବୁ ରାସ୍ତାରେ ନିୟମିତ ଜଳ ସିଞ୍ଚନ କରିବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ହୋଇଛି।