ଆଳୁ, ପିଆଜ ପାଇଁ ଚାଷୀ ଅମଙ୍ଗ: କେବଳ ୨.୦୭% ଜମିରେ ଆଳୁ ଓ ୧.୮୮% ପିଆଜ ଚାଷ

ରାଉରକେଲା: ଆଳୁ ଓ ପିଆଜ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ପରିଣତ ହେଲାଣି। ଏଣୁ ବିଭିନ୍ନ ସମୟରେ ଏଥିରେ ଦର ବୃଦ୍ଧି ହେଲେ କିମ୍ବା ଅଭାବ ଦେଖାଗଲେ, ତାହା ସିଧାସଳଖ ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ। ଏହାକୁ ଦୂର କରିବାକୁ ଯେଉଁ ଅନୁପାତରେ ଆଳୁ, ପିଆଜ ଚାଷ ହେବା କଥା; ତାହା ଜିଲ୍ଲାରେ ଦେଖିବାକୁ ମିଳୁନି। ବାସ୍ତବରେ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଚାଷୀକୂଳ ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି।
ଜିଲ୍ଲାରେ ମୋଟ୍‌ ୩ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୨ ଲକ୍ଷ ୧୨ ହଜାର ହେକ୍ଟର(୬୭.୭୩%) ଜମିରେ ଧାନ ଚାଷ କରାଯାଉଥିବାବେଳେ ଅବଶିଷ୍ଟ ୧ ଲକ୍ଷ ୧ ହଜାର ହେକ୍ଟର(୩୨.୩୭%) ଜମିରେ ଅଣଧାନ, ଯଥା- ପନିପରିବା, ତୈଳବୀଜ, ଡାଲି ଜାତୀୟ, ମିଲେଟ୍‌ ଆଦି ଚାଷ ହେଉଛି। ତେବେ ଅଣଧାନ ଚାଷ ହେଉଥିବା ଜମିରୁ ଅଧିକାଂଶ, ଅର୍ଥାତ୍‌, ପାଖାପାଖି ୩୦ ହଜାର ହେକ୍ଟରରେ ପନିପରିବା, ଯଥା-ଆଳୁ, ଟମାଟୋ, କଲରା, ଭେଣ୍ଡି, ବାଇଗଣ, ଲାଉ, ପୋଟଳ, ଶିମିଲା ଲଙ୍କା ଆଦି ଭିନ୍ନ ଭିନ୍ନ ପରିବା ଚାଷ କରାଯାଇଥାଏ। ଅପରପକ୍ଷରେ ପନିପରିବା ତୁଳନାରେ ଆଳୁ, ପିଆଜ ଚାଷର ପରିମାଣ ଅତି ନଗଣ୍ୟ। ଜିଲ୍ଲାରେ ଅଣଧାନ ଚାଷ ପାଇଁ ଉଦ୍ଦିଷ୍ଟ ଜମିରୁ କେବଳ ୨୧୦୦ ହେକ୍ଟର(୨.୦୭%)‌ ଜମିରେ ଆଳୁ ଚାଷ ହେଉଥିବାବେଳେ ମାତ୍ର ୧୯୦୦ ହେକ୍ଟର(୧.୮୮%) ଜମିରେ ପିଆଜ ଚାଷ ହେଉଛି। ମୁଖ୍ୟତଃ ଜିଲ୍ଲାର ସୁନ୍ଦରଗଡ଼ ବ୍ଲକ ସମେତ ଲେଫ୍ରିପଡ଼ା, କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଆଦି ବ୍ଲକରେ ଆଳୁ ଓ ପିଆଜ ଚାଷ ଅଧିକ ହୋଇଥାଏ। କିନ୍ତୁ ତାହା ମଧ୍ୟ ଆଶାନୁରୂପ ନୁହେଁ। ଏ ଧରଣର ଚାଷ ପାଇଁ ଏସବୁ ଅଞ୍ଚଳରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ରହିଛି। କିନ୍ତୁ ପର୍ଯ୍ୟାପ୍ତସଂଖ୍ୟକ ଶୀତଳଭଣ୍ଡାରର ଅଭାଗ ଯୋଗୁଁ କଷ୍ଟ ଉପାର୍ଜିତ ଉତ୍ପାଦ ନଷ୍ଟ ହେବା ଆଶଙ୍କାରେ, ଚାଷୀକୂଳ ଆଳୁ, ପିଆଜ ଚାଷ ପାଇଁ ଅମଙ୍ଗ ହେଉଛନ୍ତି।
ବିଗତ ବର୍ଷର ପରିସଂଖ୍ୟାନକୁ ଦେଖିଲେ ପନିପରିବା ଚାଷ ବୃଦ୍ଧି ପାଇଥିବା ସ୍ପଷ୍ଟ ଜଣାପଡ଼େ। କିନ୍ତୁ ଯେଉଁ ଅନୁପାତରେ ଆଳୁ, ପିଆଜ ଚାଷରେ ବୃଦ୍ଧି ହେବା କଥା, ତାହା ଦେଖିବାକୁ ମିଳୁନି। ଉଲ୍ଳେଖଯୋଗ୍ୟ, ଯଦିଓ ଜିଲ୍ଲାରେ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ; କିନ୍ତୁ ଚାଷୀମାନେ ଧାନଚାଷ ଜମିରେ ମଧ୍ୟ ପନିପରିବା କରୁଥିବା ଦେଖିବାକୁ ମିଳୁଛି। ୨୦୨୨ ମସିହାରେ ୧ ଲକ୍ଷ ୪ ହଜାର ୯୫୧ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥିବା ବେଳେ ୨୦୨୧ରେ ୧ ଲକ୍ଷ ୮ ହଜାର ୯୧୩ ହେକ୍ଟର ଜମିରେ ଏ ଜାତୀୟ ଚାଷ ହୋଇଥିଲା। ଅର୍ଥାତ୍‌, ଗତ ଦୁଇ ବର୍ଷରେ ଯଥାକ୍ରମେ, ୩୯୫୧ ଓ ୭୯୧୩ ହେକ୍ଟର ଅଧିକ ଜମିରେ ପନିପରିବା ଚାଷ ହୋଇଥିଲା। ଚଳିତ ଖରିଫ୍‌ ଋତୁରେ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଲକ୍ଷ ଧାର୍ଯ୍ୟ କରିଛି।
ସମ୍ବନ୍ଧିତ ଖବର