ଆଇପିପି ସହ ବିଦ୍ୟୁତ କ୍ରୟ ଚୁକ୍ତିରେ ଗଳାବାଟ: ଓଡ଼ିଶାର କ୍ଷତି, କଂପାନିକୁ ଫାଇଦା

କଂପାନିରୁ ଉପଭୋକ୍ତାଙ୍କୁ ବୋଝ ୫୪୦ କୋଟି
୨୬୫୦ କୋଟି ଲାଭ ପାଇବ କଂପାନି
ଗଳାବାଟ ବନ୍ଦ ପାଇଁ ତତ୍ପରତା ନାହିଁ

ଭୁବନେଶ୍ୱର : ବହୁରାଷ୍ଟ୍ରୀୟ କମ୍ପାନି ବେଦାନ୍ତ ସହ ରାଜ୍ୟ ସରକାର ୨୦୧୨ ଡିସେମ୍ବରରେ ବିଦ୍ୟୁତ କ୍ରୟ ଚୁକ୍ତି ସ୍ୱାକ୍ଷର କରିଥିଲେ। ୨୦୧୩ ଜୁନ୍‌ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଏହାକୁ ଅନୁମୋଦନ ଦେଲେ। ଏହି ଆଧାରରେ ଆୟୋଗ ପ୍ରତିବର୍ଷ ଭଳି ଚଳିତ ଆର୍ଥିକ ବର୍ଷ ଲାଗି ମଧ୍ୟ ବିଦ୍ୟୁତ ଦର ନିର୍ଧାରଣ କରିଛନ୍ତି। ଗତ ମାର୍ଚ୍ଚ ୨୬ ତାରିଖ ରାୟରେ ଘୋଷଣା ହୋଇଥିବା ଏହି ବିଦ୍ୟୁତ ଦର ଚଳିତ ଆର୍ଥିକ ବର୍ଷ ଶେଷ ଅର୍ଥାତ୍ ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ହେଲେ ଏମିତି କ’ଣ ହେଲା ବା କେଉଁ ମହତ୍ ଉଦ୍ଦେଶ୍ୟ ରଖି ଆୟୋଗ ରାଜ୍ୟ ତଥା ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାତ୍ର ୬ମାସ ତଳର ନିଜ ରାୟକୁ ଓଲଟାଇ ଦେଲେ ଏବଂ ଅକ୍ଟୋବର ୫ରେ ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଅନ୍ତରୀଣ ନିର୍ଦେଶ ଦେଲେ, ତାହା ସମସ୍ତଙ୍କୁ ବିସ୍ମିତ କରିଛି।

ବିଦ୍ୟୁତ ସମୀକ୍ଷକଙ୍କ ମତରେ ବେଦାନ୍ତ ସହିତ ହୋଇଥିବା ୨୫ ବର୍ଷିଆ ବିଦ୍ୟୁତ କିଣା ଚୁକ୍ତିକୁ ବସ୍ତୁତଃ ଅକାମୀ କରି ଆୟୋଗ ଯେଉଁ ଅନ୍ତରୀଣ ରାୟ ଶୁଣାଇଛନ୍ତି, ସେ କାରଣରୁ ରାଜ୍ୟ ସବୁ ଦିନ ପାଇଁ ତାର ନ୍ୟାଯ୍ୟ ବିଦ୍ୟୁତ କୋଟା (ବେଦାନ୍ତରୁ ବର୍ଷକୁ ୫୦୩୯.୪୫ ନିୟୁତ ୟୁନିଟ୍‌ ମିଳିବା କଥା) ଅଧିକାର ହରାଇଛି। ଅପରପକ୍ଷରେ ଏଭଳି ଅଭିସନ୍ଧିମୂଳକ ରାୟ ବେଦାନ୍ତକୁ ଦ୍ୱିଗୁଣ ଫାଇଦା ଦେବା ପାଇଁ ପଥ ପରିଷ୍କାର କରିଛି।

ଏହି ମହଲରେ ଆହୁରି ଯୁକ୍ତି କରାଯାଉଛି ଯେ ଆୟୋଗଙ୍କ ସଦ୍ୟ ରାୟ ଅନୁସାରେ ଏବେ ବେଦାନ୍ତ ଆଉ ରାଜ୍ୟ ସରକାରଙ୍କ ନିଗମ ଗ୍ରିଡ୍‌କୋକୁ ୟୁନିଟ୍‌ ପିଛା ହାରାହାରି
୨.୫୨ ପଇସା ଶସ୍ତା ଦରରେ ନିର୍ଧାରିତ କୋଟାର ବିଜୁଳି ଯୋଗାଇବାକୁ ବାଧ୍ୟ ହେବ ନାହିଁ। ତେଣୁ ହାତଛଡ଼ା ହୋଇଥିବା ବେଦାନ୍ତ କୋଟାକୁ ଭରଣା କରିବା ପାଇଁ ଗ୍ରିଡ୍‌କୋ ମୁଖ୍ୟତଃ କେନ୍ଦ୍ରୀୟ ତାପଜ ଉଦ୍ୟୋଗଗୁଡ଼ିକରୁ ୟୁନିଟ୍‌ ପିଛା ହାରାହାରି ୩ ଟଙ୍କା ୬୦ ପଇସା ଦରରେ ବିଦ୍ୟୁତ କିଣିବ କିମ୍ବା ଏନର୍ଜି ଏକ୍ସଚେଞ୍ଜରୁ କିଣିବାକୁ ବାଧ୍ୟ ହେବ; ଯାହା ବେଦାନ୍ତରୁ ମିଳୁଥିବା ବିଦ୍ୟୁତ କୋଟାର ଦର ତୁଳନାରେ ୟୁନିଟ୍‌ ପିଛା ୧ଟଙ୍କା ୮ ପଇସା ଅଧିକ। ସୁତରାଂ ଏହି କାରଣରୁ ବେଦାନ୍ତ ବିଦ୍ୟୁତ ଭରଣା ବାବଦରେ ଉପଭୋକ୍ତାଙ୍କ ମୁଣ୍ଡରେ ବାର୍ଷିକ ପ୍ରାୟ ୫୪୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

New Indian Express

ସମାନ୍ତରାଳ ଭାବରେ ବେଦାନ୍ତ କଂପାନି ଓଡ଼ିଶା କୋଟା ବିଦ୍ୟୁତକୁ ନିଜସ୍ୱ ଉପଯୋଗରେ ଲଗାଇବ। ଏହାଦ୍ବାରା ବଣ୍ଟନ କମ୍ପାନିଙ୍କଠାରୁ ଅାଉ ୟୁନିଟ୍‌ ପିଛା ୭ଟଙ୍କା ୭୦ ପଇସା ଦରରେ ତାକୁ ବିଦ୍ୟୁତ୍‌ କିଣିବାକୁ ପଡ଼ିବ ନାହିଁ। ସୁତରାଂ କେବଳ ଓଡ଼ିଶା କୋଟା ବିଦ୍ୟୁତ ବାବଦରେ କମ୍ପାନି ବର୍ଷକୁ ହାରାହାରି ୨୬୫୦ କୋଟି ଟଙ୍କା ଫାଇଦା ପାଇବ। ଏହାବ୍ୟତୀତ ବିଦ୍ୟୁତ ସମୀକ୍ଷକ ଯେଉଁ ଅନ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଉଠାଉଛନ୍ତି, ତାହା ଆହୁରି ସାଂଘାତିକ। ଉପରୋକ୍ତ ବିବାଦୀୟ ରାୟ (ଅକ୍ଟୋବର ୫ ତାରିଖ)ର ବହୁ ପୂର୍ବରୁ ବେଦାନ୍ତ ରାଜ୍ୟ କୋଟାକୁ ହ୍ରାସ କରି ବର୍ଷ ବର୍ଷ ଧରି ବିପୁଳ ଫାଇଦା ଉଠାଇ ଚାଲିଥିଲା। ହେଲେ ଧର୍ମକୁ ଆଖିଠାର ନ୍ୟାୟରେ ଗ୍ରିଡ୍‌କୋ ନିରବ ରହିଥିଲା ଓ ନିୟାମକ ଆୟୋଗ ଏଭଳି ଅନିୟମିତତା ପ୍ରତି ଆଖିବୁଜି ଦେଇଥିଲେ। ଏହାର ବଳିଷ୍ଠ ପ୍ରମାଣ ଆୟୋଗଙ୍କ ରାୟରେ ଥିବା ପରିସଂଖ୍ୟାନରୁ ସ୍ପଷ୍ଟ।

ପୂର୍ବ ବର୍ଷଗୁଡ଼ିକରେ ଥିବା ଅନିୟମିତତାର ତଥ୍ୟ ରାୟ ଦଲିଲ୍‌ରେ ନଥିଲେ ମଧ୍ୟ ୨୦୧୬-୧୭ରୁ ୨୦୧୯-୨୦ ବେଦାନ୍ତ ଯୋଗାଇଥିବା ବିଦ୍ୟୁତ ତଥ୍ୟ ଆଚମ୍ବିତ କରିବା ଭଳି। ରାଜ୍ୟର ବାର୍ଷିକ କୋଟା ୫୦୩୯.୪୫ ନିୟୁତ ୟୁନିଟ୍‌ ବଦଳରେ ବେଦାନ୍ତ ଏହି ୪ ବର୍ଷରେ ବର୍ଷକୁ ହାରାହାରି ୧୪୬୬.୯୨ ନିୟୁତ ୟୁନିଟ୍‌ ବିଜୁଳି ଯୋଗାଇ ଆସୁଥିଲା। ଏହାଦ୍ୱାରା ରାଜ୍ୟ ବର୍ଷକୁ ହାରାହାରି ୯୦୦ କୋଟି ହିସାବରେ ୩୬୦୦ କୋଟି (୪ବର୍ଷରେ) ଟଙ୍କାର ଶସ୍ତା ବିଦ୍ୟୁତ ହାତଛଡ଼ା କରିଛି ଏବଂ ତାହାକୁ ଭରଣା ପାଇଁ ଅଧିକ ଦରରେ ବିଜୁଳି କିଣିଛି। ଆହୁରି ସରଳ ଭାବେ କହିଲେ, ଏହି ହିସାବରେ ଗ୍ରିଡ୍‌କୋ ବର୍ଷକୁ ଅଧିକ ୩୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଚୁକ୍ତି ଖିଲାପକାରୀ ସଂସ୍ଥା ବେଦାନ୍ତଠାରୁ ତାହା ଅସୁଲ କରିବାରେ ବ୍ୟର୍ଥ ହୋଇଛି। ପରିଣାମସ୍ୱରୂପ ଏହି ଅତିରିକ୍ତ ବ୍ୟୟର ବୋଝ ଉପଭୋକ୍ତାଙ୍କ ମୁଣ୍ଡକୁ ଯାଇଛି।

ବିଦ୍ୟୁତ ସମୀକ୍ଷକଙ୍କର କହିବା କଥା ହେଉଛି, ଭାରତୀୟ କଣ୍ଟ୍ରାକ୍ଟ୍‌ ଆଇନ-୧୮୭୨ ଆଧାରରେ ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଙ୍କ ସହ ସ୍ୱାକ୍ଷରିତ ବିଦ୍ୟୁତ କିଣା ଚୁକ୍ତିରେ ଚୁକ୍ତି ଖିଲାପକାରୀଙ୍କଠାରୁ କ୍ଷତିଭରଣା ଅର୍ଥ ଅସୁଲ ନିମନ୍ତେ ନିର୍ଦିଷ୍ଟ ସର୍ତ୍ତ ରହିବା କଥା। ମାତ୍ର ତତ୍କାଳୀନ ପ୍ରଶାସକ କିମ୍ବା ସରକାରଙ୍କ ଆଇନ ପରାମର୍ଶଦାତାମାନେ ଏହାକୁ ରହସ୍ୟଜନକ ଭାବେ ଅନ୍ତର୍ଭୁକ୍ତ କରିନଥିଲେ। ଯାହାର ସମ୍ପୂର୍ଣ୍ଣ ଫାଇଦା ବେଦାନ୍ତ ସମେତ ଅନ୍ୟ ଆଇପିପି (ସ୍ବାଧୀନ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର) ମାନେ ଉଠାଇଛନ୍ତି ଓ ଗ୍ରିଡକୋକୁ ରାଜ୍ୟକୋଟା ବିଦ୍ୟୁତ ଫାଙ୍କି ଚାଲିଛନ୍ତି। ରାଜ୍ୟବାସୀଙ୍କ ସ୍ୱାର୍ଥ ବଦଳରେ କମ୍ପାନିଙ୍କୁ ସୁହାଇବା ଲାଗି ଏଭଳି କାରସାଦି କରାଯାଇ ନାହିଁ ତ’ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ପୁନଶ୍ଚ ବିଦ୍ୟୁତ କିଣା ଚୁକ୍ତିରେ ଥିବା ଏହି ଗଳାବାଟ ଦେଇ ଏକାଧିକ ଘରୋଇ ସଂସ୍ଥା ରାଜ୍ୟ ସ୍ୱାର୍ଥକୁ ଦଶନ୍ଧି ଧରି ଫାଙ୍କି ଚାଲିଥିଲେ ମଧ୍ୟ ସରକାର କିମ୍ବା ନିୟାମକ ଆୟୋଗ ଏ କ୍ଷେତ୍ରରେ ଆବଶ୍ୟକ ସଂଶୋଧନ ଆଣିବାକୁ ତତ୍ପର ନହେବା ଅଧିକ ରହସ୍ୟଜନକ ମନେ ହେଉଛି।

ସମ୍ବନ୍ଧିତ ଖବର