ଜମିଲାଣି ପୂଜା ପତ୍ରିକା ବଜାର: ୭୦ ଆସିଲେଣି, ଆହୁରି ୨୦ ଆସିବେ

କରୋନା ଯୋଗୁଁ ୪୦% ପତ୍ରିକାର ମୃତ୍ୟୁ ଘଟିଲା, ଜମିଲାଣି ବେପାର

ଭୁବନେଶ୍ବର: ସବୁବର୍ଷ ଭଳି ପୂଜା ପତ୍ରିକାକୁ ନେଇ ଓଡ଼ିଆ ସାହିତ୍ୟର ମାହୋଲ ସରଗରମ ରହିଛି। ଓଡ଼ିଆମାନେ ପଠନ ବିମୁଖ ବୋଲି ଢ଼େର୍‌ ବଦନାମ। କିନ୍ତୁ ପୂଜା ପତ୍ରିକା ଦେଖିବା ଓ କିଣିବା ପାଇଁ ବର୍ତ୍ତମାନ ପାଠକଙ୍କର ଭିଡ଼ ଜମୁଛି ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ରାଜଧାନୀର ପତ୍ରିକା ହାଟରେ। ଲେଖକମାନେ ବି ଆସୁଛନ୍ତି। ପତ୍ରିକାଗୁଡ଼ିକର ମାନ ଓ ସେଥିରେ ପ୍ରକାଶିତ ଲେଖାକୁ ନେଇ ଚର୍ଚ୍ଚା ହେଉଛି। ଚଳନ୍ତି ରୀତିରେ ଦଶହରା ପାଳନ କରିବା ଭଳି ପୂଜା ପତ୍ରିକାର ଧାରା ମଧ୍ୟ ଓଡ଼ିଶାରେ ପଶ୍ଚିମବଙ୍ଗ ବା କୋଲକାତା ଦ୍ବାରା ଅନୁପ୍ରାଣିତ ହୋଇଥିବ, ସେଥିରେ ସନ୍ଦେହ ନାହିଁ। ସାହିତ୍ୟରେ ବି ପୂଜାକୁ ସମାରୋହରେ ପାଳନ କରିବା ତଥା ଟେଲିଭିଜନ ଓ ଇଣ୍ଟରନେଟ୍ ଯୁଗ ଆସିବା ପୂର୍ବର ସେହି ପୁରୁଣା ସମୟରେ ମିଳୁଥିବା ଲମ୍ବା ପୂଜାଛୁଟିକୁ ପତ୍ରିକା ପଢ଼ାରେ ଉପଭୋଗ କରିବା ଏହାର ଲକ୍ଷ୍ୟ ଥିବ। ଏକ ସମୟରେ ଓଡ଼ିଆରେ ଅତିକମ୍‌ରେ ୨୦-୨୫ଟି ନିୟମିତ ସାହିତ୍ୟ ପତ୍ରିକା ପ୍ରକାଶିତ ହେଉଥିଲା। ସେମାନେ ପୂଜା ସମୟରେ ନିଜର ସବୁଠାରୁ ଆକଷର୍ଣୀୟ ରୂପରେ ବଜାରକୁ ଆସୁଥିଲେ। ସେମାନଙ୍କ ସହିତ ଅନେକ ଅନିୟମିତ ପତ୍ରିକା ମଧ୍ୟ ଅତିକମ୍‌ରେ ପୂଜାରେ ପ୍ରକାଶିତ ହେଉଥିଲେ। ଏହା ସହିତ ବର୍ଷ ଭିତରେ କେବଳ ପୂଜାରେ ଆସୁଥିବା ପତ୍ରିକା ମଧ୍ୟ ଥିଲେ। ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା। ସବୁଠାରୁ ଭଲ ସମୟରେ ବୋଧହୁଏ ପୂଜାରେ ପ୍ରକାଶିତ ପତ୍ରିକାଙ୍କ ସଂଖ୍ୟା ୧୨୫-୧୫୦ ପାଖାପାଖି ପହଞ୍ଚି ଯାଉଥିଲା। ସେତିକି ପତ୍ରିକା ଆଉ ପ୍ରକାଶିତ ହେଉନି ଅବଶ୍ୟ, କିନ୍ତୁ ପରଂପରା ଓ ଉତ୍ସାହ ରହିଛି।

ପୂଜାସଂଖ୍ୟାର ମାନ ଉପରେ ପତ୍ରିକାର ସମ୍ମାନ ନିର୍ଭର କରେ ବୋଲି ପାଠକଙ୍କ ସହିତ ଅଧିକାଂଶ ସଂପାଦକ ଭାବନ୍ତି। ତେଣୁ ଏହି ସଂଖ୍ୟାକୁ ଯଥାସମ୍ଭବ ମୋଟା ତଥା ସୁଦୃଶ୍ୟ କରିବାଲାଗି ପତ୍ରିକାଙ୍କ ଭିତରେ ପ୍ରତିଯୋଗିତା ଚ‌ାଲେ। ଭିନ୍ନ ଧରଣର ଲେଖା ଓ ବିଷୟବସ୍ତୁ ସହ ନିଜ ପତ୍ରିକାକୁ ଅନ୍ୟଠାରୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସଂପାଦକମାନେ ଲାଗି ପଡ଼ନ୍ତି। ଏହାର ଯୋଜନା ବହୁ ପୂର୍ବରୁ ଆରମ୍ଭ ହୋଇଯାଏ। ଅଧିକାଂଶ ଲେଖକ ମଧ୍ୟ ପୂଜା ପତ୍ରିକା ପାଇଁ ବର୍ଷ ଭିତରେ ସେମାନେ ଲେଖିଥିବା ସବୁଠୁ ଭଲଲେଖାକୁ ପୂଜା ପତ୍ରିକା ପାଇଁ ସାଇତି ରଖି ଥାଆନ୍ତି। ଏମିତି ଦେଖିଲେ ସକ୍ରିୟ ଥିବା ଓଡ଼ିଆ ସାହିତ୍ୟର ଅଧିକାଂଶ ବଡ଼ ଲେଖକଙ୍କ ଲେଖା ଅଧିକାଂଶ ବଡ଼ ପତ୍ରିକାରେ ଥାଏ। ସେମାନଙ୍କ ସହିତ ନବାଗତମାନଙ୍କର ଲେଖା ମଧ୍ୟ ଥାଏ। ଏକାବେଳକେ ବହୁତ ସଂଖ୍ୟାରେ ମୋଟା ମୋଟା ପତ୍ରିକା ପ୍ରକାଶିତ ହେଉଥିବାରୁ ସେଥିରେ ସ୍ଥାନ ପାଇବା ନବାଗତମାନଙ୍କ ପାଇଁ କଷ୍ଟକର ନଥାଏ। ପୂଜା ପତ୍ରିକାରେ ହିଁ ସଂପୂର୍ଣ୍ଣ ଉପନ୍ୟାସ ବା ଉପନ୍ୟାସିକା ପ୍ରକାଶିତ ହୁଏ।

ବଙ୍ଗାଳୀଙ୍କ ଭଳି ବର୍ଷସାରା ବହିପତ୍ର ବା ପତ୍ରିକା କିଣିବାକୁ ଓଡ଼ିଆ ପାଠକ ଅଭ୍ୟସ୍ତ ନଥିଲେ ହେଁ ପୂଜାରେ ଅନେକ ପାଠକ ପତ୍ରିକା କିଣନ୍ତି। ତେଣୁ ପୂଜା ପତ୍ରିକାରୁ ଦୋକାନୀମାନଙ୍କର ଭଲ ବ୍ୟବସାୟ ହୁଏ। ତେବେ କିଛି ବର୍ଷ ହେଲା ପୂଜା ପତ୍ରିକାକୁ ନେଇ ଥିବା ଉତ୍ସାହ ଟିକିଏ ମଉଳି ଯାଇଛି। ଫଳରେ ଓଡ଼ିଆ ପୂଜା ପତ୍ରିକାର ସଂଖ୍ୟା ୪-୫ ବର୍ଷ ତଳୁ ‌ବେଶ୍‌ କମି ଯାଇଛି। ପୁଣି କରୋନା କାଳରେ ଯ‌ଥେଷ୍ଟ ବିଜ୍ଞାପନ ନମିଳିବାରୁ ଏହା ଆହୁରି ପ୍ରଭାବିତ ହୋଇଥିଲା। ତେବେ ସ୍ଥିତି ସୁଧୁରିବାପରେ ଚଳିତ ବର୍ଷଠାରୁ ଆରମ୍ଭ ହୋଇ ଆଗକୁ ପତ୍ରିକା ସଂଖ୍ୟା ବଢ଼ିବାର ଆଶା ରହିଛି। ପୂଜା ପତ୍ରିକାର ବଜାର ପ୍ରବେଶ ଏଥର ଅକ୍ଟୋବର ୧୫ ତାରିଖ ପାଖାପାଖି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ଟି ପତ୍ରିକା ବଜାରକୁ ଆସିଯାଇଛି। ଆଉ ୧୦ରୁ ୨୦ଟି ପତ୍ରିକା ଦୀପାବଳି ଭିତରେ ଆସି‌ବ ବୋଲି ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ବଜାରରେ ଉପଲବ୍ଧ ପତ୍ରିକାଗୁଡ଼ିକର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏଥର ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ, କଥା, କାଦମ୍ବିନୀ, ଝଙ୍କାର, ସୁଧନ୍ୟା, ସମାରୋହ, ପ୍ରାଚୀଧାରା, ନିଃଶବ୍ଦ, ପଲକ, ପରାଗ, ଶତଦ୍ରୁ, ଗୋକର୍ଣ୍ଣିକା, ଘାସଫୁଲ, ଅମୃତାୟନ, ତୀରତରଙ୍ଗ, ଶିବାନୀ, ଆଇନା, ପଶ୍ଚିମା, କାହାଣୀ, ସତ୍ୟବାଦୀ, ମହୁରୀ, ସାହିତ୍ୟ ଦର୍ପଣ, ବନଫୁଲ, ନବଲିପି, ଆକାଂକ୍ଷା, ଅକ୍ଷାଂଶ, ପ୍ରେମପୃଥିବୀ, ସୀମାନ୍ତ, ଶିଳାଶ୍ରୀ ଓ ଗୌରବ ଆଦି ପତ୍ରିକାର ପୂଜାସଂଖ୍ୟାକୁ ପାଠକମାନେ ପସନ୍ଦ କରୁଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷ ଅଧିକାଂଶ ଓଡ଼ିଆ ପୂଜା ପତ୍ରିକା ଦଶହରାର ପ୍ରାୟ ୫ ଦିନ ପୂର୍ବରୁ ବଜାରକୁ ଆସିବା ଆରମ୍ଭ କରନ୍ତି। ପୂଜା ସମୟ ଓ ପୂଜା ପର ସମୟଯାଏ ଏହା ଲାଗିରହେ। କିନ୍ତୁ ବଙ୍ଗଳା ଭାଷାର ପୂଜା ପତ୍ରିକାସବୁ ପୂଜାର ପ୍ରାୟ ୧ମାସ ଆଗରୁ ପ୍ରକାଶିତ ହୁଅନ୍ତି। ଫଳରେ ବିକ୍ରି ହେବାଲାଗି ଅପେକ୍ଷାକୃତ ଅଧିକ ସମୟ ପାଆନ୍ତି। ଭୁବନେଶ୍ବର ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ପତ୍ରିକା ବଜାରର ସୂଚନା ଅନୁସାରେ, ବଙ୍ଗଳା ପୂଜା ପତ୍ରିକା ଆଖିଦୃଶିଆ ସଂଖ୍ୟାରେ ଭୁବନେଶ୍ବରକୁ ଆସେ। ଅଧିକାଂଶ ବର୍ଷରେ ନାମକରା ବଙ୍ଗଳା ପୂଜା ପତ୍ରିକାସବୁର ବିକ୍ରି ଶେଷ ହେବାବେଳକୁ ମଧ୍ୟ ପ୍ରଥମ ଓଡ଼ିଆ ପୂଜା ପତ୍ରିକା ବଜାରରେ ପହଞ୍ଚି ନଥାଏ। ଚଳିତ ବର୍ଷ ମଧ୍ୟ ଉଣାଅଧିକ ସେହି ସ୍ଥିତି ବଜାୟ ରହିଛି।

କରୋନା ଯୋଗୁଁ ୪୦% ପତ୍ରିକାର ମୃତ୍ୟୁ ଘଟିଲା
‘‘ବିଜ୍ଞାପନ ଓ ପୃଷ୍ଠପୋଷକତାର ଅଭାବ ପତ୍ରିକା ବ୍ୟବସାୟକୁ ଦୁର୍ବଳ କରି ରଖିଥିବା ବେଳେ ଏବେ କରୋନାର ମାଡ଼ରେ ୪୦% ପତ୍ରିକା ଶେଷ ନିଶ୍ବାସ ନେଇସାରିଲେଣି। ବର୍ତ୍ତମାନ ବି ପତ୍ରିକାର ସ୍ଥିତି ବେଶ୍‌ ଶୋଚନୀୟ। ପତ୍ରିକା ହେଉଛି ସମକାଳୀନ ସାହିତ୍ୟର ମୁକସାକ୍ଷୀ। ପତ୍ରିକା ଏକ ସମୟର ସାହିତ୍ୟର ଏକ ଦସ୍ତାବିଜ ହୋଇରହେ। ସାହିତ୍ୟର ଧାରା ସମ୍ପର୍କରେ ଅବଗତ କରାଏ। କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ବିଜ୍ଞାପନର ଅଭାବ ଯୋଗୁଁ ଏବେ ପତ୍ରିକାଗୁଡ଼ିକ ମରିବାକୁ ବସିଲେଣି। ଏନେଇ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ନ ନେଲେ ପତ୍ରିକା ଜଗତ ଘୋର ଅନ୍ଧକାର ଭିତରକୁ ଠେଲି ହୋଇଯିବ। ଏଥର ପୂଜା ବଜାରକୁ ‘ପକ୍ଷୀଘର’ ପତ୍ରିକା ୫୫୦ ପୃଷ୍ଠା ସମ୍ବଳିତ ସୃଜନ ଦସ୍ତାବିଜ ନେଇ ଆସୁଛି। ଏଥିରେ ୯ଟି ଉପନ୍ୟାସ, ୫୦ଟି ଗଳ୍ପ ଓ ୧୦ଟି ଫିଚର ଓ ୧୧୧ଟି କବିତା ରହିଛି। ଏଥିସହ ପାଠକମାନେ ପ୍ରଶାନ୍ତ ନନ୍ଦଙ୍କ ଆତ୍ମଜୀବନୀ ମଧ୍ୟ ପଢ଼ିବାର ସୁଯୋଗ ପାଇବେ ପାଠକ। ଓଡ଼ିଶାର ପ୍ରଖ୍ୟାତ କଥାକାର ଓ ଔପନ୍ୟାସିକମାନଙ୍କ ଶ୍ରେଷ୍ଠ ଗଳ୍ପ ଓ କାହାଣୀ ଏଥିରେ ସ୍ଥାନ ପାଇଛି।’’
ବନୋଜ ତ୍ରିପାଠୀ, ସମ୍ପାଦକ, ପକ୍ଷୀଘର

ଜମିଲାଣି ବେପାର
ଅନେକ ପତ୍ରିକା ଏବେ ପୂଜା ବଜାରକୁ ଆସିସାରିଛି। ଆଉ କିଛି ଏଇ ଦୁଇ ତିନି ଦିନ ଭିତରେ ଆସିଯିବ। କିନ୍ତୁ କିଛି ଲୋକପ୍ରିୟ ପତ୍ରିକା ଏଯାଏ ବଜାରକୁ ଆସିନାହିଁ। ପାଠକମାନେ ଆସି ଫେରି ଯାଉଛନ୍ତି। ଚଳିତ ବର୍ଷ ପୂଜାବଜାର ସରଗରମ ରହିଥିବା ବେଳେ ପତ୍ରିକାକୁ ନେଇ ପାଠକମାନଙ୍କ ପ୍ରତିକ୍ରିୟା ଭଲ ରହିଛି। ବେପାର ମଧ୍ୟ ଜମି ଆସିଲାଣି। ଅନ୍‌ଲାଇନ୍‌ ପାଠକମାନଙ୍କୁ ପତ୍ରିକା ମିଳିଯାଉଥିବାରୁ ଆଗଭଳି ଦୋକାନକୁ ଆସି କିଣିବା ଓ ଦଳ ଦଲ ଠିଆହୋଇ ବିଭିନ୍ନ ପ୍ରକାର ପତ୍ରିକାକୁ ନେଇ ‌ଆଉ ଆଲୋଚନା ହେଉନାହିଁ। ଏଥିସହ ଅନେକ ଲେଖକ ପତ୍ରିକାରେ ବାହାରୁ ବାହାରୁ ସାମାଜିକ ଗଣମାଧ୍ୟମରେ ନିଜ ଲେଖା ପୋଷ୍ଟ କରୁଛନ୍ତି। ଫଳରେ ପାଠକ ଆଉ ପତ୍ରିକା ନ କିଣି ସେଥିରୁ ହିଁ ପଢ଼ି ଦେଉଛନ୍ତି। ତେବେ ଏସବୁ ପରେ ମଧ୍ୟ ପୂଜାରେ ପତ୍ରିକା ବେପାର ଜମୁଛି।
ବାବୁଲା ବେହେରା, ମା’ ନାରାୟଣୀ ବୁକ୍‌ଷ୍ଟଲ୍‌, ପୁରୁଣା ବସ୍‌ଷ୍ଟାଣ୍ଡ

ସମ୍ବନ୍ଧିତ ଖବର