ହରଡ଼ ଡାଲି ମହଙ୍ଗା: କ୍ବିଣ୍ଟାଲ ପିଛା ~ ୪୦୦ ବଢ଼ିଲା

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ପ୍ରଚାର ଜୋର ଧରିଲାଣି। ଏଭଳି ସମୟ‌ରେ ଦରଦାମ୍‌ ଅସ୍ତବ୍ୟସ୍ତ କଲାଣି। ପୂର୍ବରୁ ଅନ୍ୟାନ୍ୟ ସାମଗ୍ରୀର ଦର ଉଚ୍ଚା ଥିବାବେଳେ ଏବେ ବଜାରରେ ହଠାତ୍‌ ହରଡ଼ ଡାଲି ମହଙ୍ଗା ହୋଇଯାଇଛି। କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଯାଇଛି। ପାଇକାରୀ ବଜାରରେ କିଲୋପିଛା ହରଡ଼ ଡାଲି ୧୩୫ରୁ ୧୫୩ ଟଙ୍କାରେ ପହଞ୍ଚିଯାଇଛି। ଡାଲି ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷତଃ ଓଡ଼ିଶା ଭଳି ରାଜ୍ୟର ସମସ୍ୟା ଅଧିକ। କାରଣ ରାଜ୍ୟରେ ମୋଟ୍‌ ଡାଲି ଆବଶ୍ୟକତା ୯ ଲକ୍ଷ ୩୦ ହଜାର ଟନ୍‌। କିନ୍ତୁ ଏଥିରୁ ମାତ୍ର ୭୦ରୁ ୮୦ ହଜାର ଟନ୍ ଡାଲି ରାଜ୍ୟରେ ଉତ୍ପାଦନ

ହୋଇଥାଏ। ତେଣୁ ଅବଶିଷ୍ଟ ଡାଲି ପାଇଁ ଓଡ଼ିଶା ଗ୍ରାହକଙ୍କୁ ବାହାର ରାଜ୍ୟ ଏବଂ ବିଦେଶ ବଜାର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେଣୁ ଡାଲି ଦରବୃଦ୍ଧି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନକମିଲେ ଓଡ଼ିଶାରେ ଏହା କମିବା ସମ୍ଭାବନା ନଥାଏ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କୁହନ୍ତି, ଦର ଉପରେ ଛୋଟ ବ୍ୟବସାୟୀଙ୍କର କୌଣସି ନିୟନ୍ତ୍ରଣ ନାହିଁ। ସେମାନେ ଯେତିକିରେ କିଣିବେ ସେହି ଅନୁସାରେ ବିକ୍ରି କରିବେ। କିନ୍ତୁ ଦେଶରେ ଦରବୃଦ୍ଧି ପାଇଁ ସେ ବଡ଼ ବଡ଼ କର୍ପୋରେଟ୍ ହାଉସ୍‌କୁ ଦାୟୀ କରିଛନ୍ତି। ସେମାନେ ବିପୁଳ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିବା ସହିତ ସେମାନଙ୍କ ମନ ମୁତାବକ ଦର ନିର୍ଦ୍ଧାରଣ କରୁଛନ୍ତି। ଏହାଦ୍ବାରା ଗ୍ରାହକମାନେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଦରଦାମ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର