ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

କେନ୍ଦୁଝର : ଅତିରିକ୍ତ ଜିଲ୍ଲାଜଜ୍‌ ତଥା ସ୍ୱତନ୍ତ୍ର ବିଚାରପତି ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ସୋମବାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଜଣେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ପକ୍ଷରୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି।

ତେଲକୋଇ ଥାନା ଅନ୍ତର୍ଗତ ଉରିଆ ଗ୍ରାମର ଜଣେ ୧୨ ବର୍ଷର ନାବାଳିକା ହଷ୍ଟେଲରୁ ଘରକୁ ଆସିଥିଲେ। ସେ ଛେଳି ଚରାଇବାକୁ ଗାଁ ନିକଟ ଏକ ଝରଣା ପାଖକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକୁଟିଆ ପାଇ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଗୋଡ଼ହାତ ବାନ୍ଧି ଦୁର୍ଷ୍କମ କରିଥିଲା। ନାବାଳିକା ସମସ୍ତ ଘଟଣା ତାଙ୍କ ମା’ଙ୍କୁ ଜଣାଇବା ପରେ ପରିବାର ଲୋକେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ତେଲକୋଇ ପୁଲିସ ଅଭିଯୋଗ ଆଧାରରେ କେସ ନଂ ୧୩୦/ ୨୦୧୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଭଜ ଓରଫ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋମବାର ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରାଯାଇ ୧୨ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ଏସ୍‌ ତ୍ରିପାଠୀ  ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର