ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସେବନ ମନା; ସାଙ୍ଗରେ ନେଇ ପାରିବେନି ପଲିଥିନ୍‌

ବରାହ ପୁରାଣ, ନୀଳାଦ୍ରି ମହୋଦୟ ଉଦାହରଣ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ପାନ, ଗୁଟ୍‌ଖା ଖାଇ ଅବା ସାଙ୍ଗରେ ନେଇ କେହି ଏଣିକି ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେନାହିଁ। କେବଳ ଶ୍ରୀମନ୍ଦିର ନୁହେଁ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଭକ୍ତ ନିବାସରେ ବି ଏହି ନିୟମ ଲାଗୁ ହେବ। ଶ୍ରୀମନ୍ଦିର ପଲିଥିନ୍‌ମୁକ୍ତ ହେବ। ସେବାୟତ, ଭକ୍ତ ଅବା କର୍ମଚାରୀ ସମସ୍ତେ ଏହାକୁ ମାନିବାକୁ ବାଧ୍ୟ। , ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଯଦି କେହି ଅମାନ୍ୟ କରନ୍ତି, ସେମାନଙ୍କଠାରୁ ତଣ୍ଡ ଆଦାୟ ହେବ। ଆସନ୍ତାକାଲିଠାରୁ ଏନେଇ ସଚେତନତା ସୃଷ୍ଟି କରାଯିବ। ୨୦୨୪ ନୂଆବର୍ଷରୁ ଶ୍ରୀମନ୍ଦିରକୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଯିବା ନିୟମ ସହ ଗୁଟ୍‌ଖା ଓ ପାନ ସେବନ କଟକଣା ନିୟମ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।

ପ୍ରଶାସନ କହିଛି, ଶ୍ରୀମନ୍ଦିର ଏକ ପବିତ୍ର ସ୍ଥାନ। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବି ଏହି ପବିତ୍ର ଅନୁଷ୍ଠାନର ବିଭିନ୍ନ ନୀତି ନିର୍ବାହ କରିଥାନ୍ତି। ଏହାର ପବିତ୍ରତା ରକ୍ଷା କରିବା ସମସ୍ତ କର୍ମଚାରୀଙ୍କ ଦାୟିତ୍ବ। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ବିଭିନ୍ନ ଭକ୍ତ ନିବାସମାନଙ୍କରେ ମଧ୍ୟ ପ୍ରତିଦିନ ଦୂରାଗତ ଦର୍ଶନାଭିଳାଷୀ ଭକ୍ତ ଆସି ରହିଥାନ୍ତି। ଏଣୁ ଦାୟିତ୍ବରେ ଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ଦୈନନ୍ଦିନ ଏଠାରେ ଚଳପ୍ରଚଳ କରୁଥିବା ଭକ୍ତ, ସେବାୟତ ଭକ୍ତନିବାସକୁ ପରିଷ୍କାର ପରିଛନ୍ନ ରଖିବା ନୈତିକ ଦାୟିତ୍ବ। ହେଲେ ବିଭିନ୍ନ ସମୟରେ ଏହି ସବୁ ସ୍ଥାନରେ ପାନଛେପ, ଗୁଟ୍‌ଖା, ଜରିଖୋଳ, ପଲିଥିନ୍‌ ଜରି ଆଦି ପଡ଼ିବା ଦେଖାଯାଉଛି। ଏହା ଶ୍ରୀମନ୍ଦିରର ପବିତ୍ରତା ଓ ଗରିମାକୁ କ୍ଷୁର୍ଣ୍ଣ କରୁଛି। ଏଣୁ ସମସ୍ତ କର୍ମଚାରୀ, ସେବାୟତ, ଭକ୍ତମାନଙ୍କୁ ଶ୍ରୀମନ୍ଦିର, ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ଓ ଭକ୍ତ ନିବାସକୁ ପାନ, ଖୁଟ୍‌ଖା ଆଦି ଖାଇ ନ ଆସିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି। ଭକ୍ତମାନେ କୌଣସି ପଲିଥିନ୍‌ ଜରି ମଧ୍ୟରେ ଫୁଲ, ଭୋଗ ଅବା ବାହାର ଖାଦ୍ୟପଦାର୍ଥ ଶ୍ରୀମନ୍ଦିର ପରିସରକୁ ନ ଆଣିବାକୁ ମନ୍ଦିର ପ୍ରଶାସନ କହିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ବରାହ ପୁରାଣରେ ଶ୍ରୀମନ୍ଦିରରେ ପାନ ଖାଇବା ବାରଣ କରାଯାଇଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି, ‘ମହାପ୍ରଭୁ ନିଜେ କହିଛନ୍ତି, ଯିଏ ତାଙ୍କ ସମ୍ମୁଖରେ ତାମ୍ବୁଳ(ପାନ) ସେବନ କରେ ସେ ମୁର୍ଖ। ଯିଏ ଶ୍ରୀମନ୍ଦିରରେ ଛେପ ପକାଏ, ସେ ତାଙ୍କ ଅପରାଧୀ।’ ନୀଳାଦ୍ରି ମହୋଦୟରେ ବି ଶ୍ରୀମନ୍ଦିରରେ ପାନ ବାରଣ କଥା ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି, ‘ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ଇନ୍ଦ୍ରଦ୍ୟୁମ୍ନ, ପାକଦ୍ରବ୍ୟରେ କଦାପି ତାମ୍ବୁଳ ନିକ୍ଷେପ କରିବ ନାହିଁ। ରୋଷଶାଳାରେ ତାର ନାମ ମଧ୍ୟ ଧରିବ ନାହିଁ। ଯେହେତୁ ଭୋଜନ ପରେ ବିଡିଆ ପାନ ପ୍ରଭୁଙ୍କୁ ସମର୍ପଣ କରିବା ନିୟମ, ତେଣୁ ଭୋଜନ ପୂର୍ବରୁ ପାନର ନାମ ଧରିଲେ ବିଭୂରୋଷର ଶିକାର ହେବାକୁ ପଡ଼େ। ରୋଷଶାଳାରେ କେହି ଗୀତ ବୋଲିବେ ନାହିଁ, ନୃତ୍ୟ କରିବେ ନାହିଁ, ପାନ ଖାଇବେ ନାହିଁ ଓ ପୁଷ୍ପଧାରଣ କରିବେ ନାହିଁ।’ ଏଣୁ ନୀଳାଦ୍ରି ମହୋଦୟ ଓ ବରାହ ପୁରାଣକୁ ମାନ୍ୟ କରି କେହି ଶ୍ରୀମନ୍ଦିର ପରିସରରେ ପାନ ସେବନ ନ କରିବାକୁ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର