ବହୁଭାଷୀ କବି ସମ୍ମେଳନରେ ୪ କବିଙ୍କ କବିତାପାଠ, ସାହିତ୍ୟ ଅକାଦେମିର ୱେବ୍‌ଲାଇନ୍ ସାହିତ୍ୟ ଶୃଙ୍ଖଳା କାର୍ଯ୍ୟକ୍ରମ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ୱେବଲାଇନ୍‌ ସାହିତ୍ୟ ଶୃଙ୍ଖଳା କାର୍ଯ୍ୟକ୍ରମ ଅବସରରେ ଆଜି ‘ବହୁଭାଷୀ କବି ସ‌େମ୍ମଳନ’ ଆୟୋଜିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ସ୍ବତନ୍ତ୍ର ମଞ୍ଚରେ କବିତା ପ୍ରେମୀଙ୍କ ସମ୍ମୁଖରେ କବି ସମ୍ମିଳନୀ ଆୟୋଜନ କରିବାର ଅବକାଶ ନଥିବାରୁ ୱେବଲାଇନ୍‌ରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୪ଜଣ କବି କବିତା ପାଠ କରିଥିଲେ।

ଆଜିର ଏହି ସ‌େମ୍ମଳନରେ ବଙ୍ଗଳା ଭାଷାରେ ଅଗ୍ନି ରୟ, ହିନ୍ଦୀ ଭାଷାରେ ଅନିଲ ପୁଷ୍କର, ଅସମିୟା ଭାଷାରେ ପ୍ରୟାଗ ସାଇକିଆ ଏବଂ ଓଡ଼ିଆ ଭାଷାରେ ଡ. ଶୁଭଶ୍ରୀ ଲେଙ୍କା କବିତା ପାଠ କରିଥିଲେ। ଡ. ଲେଙ୍କା ସ୍ବରଚିତ କବିତା ‘ଆକାଶରେ ଆଜି ଜହ୍ନ ନାହିଁ’ ପାଠ କରିଥିଲେ। ଏହି କବିତାକୁ ବିଖ୍ୟାତ କବି ଡ. ଜୟନ୍ତ ମହାପାତ୍ର ଇଂରାଜୀରେ ଅନୁବାଦ କରିଥିବା ବେଳେ ସେ ଏହାର ଇଂରାଜୀ ଅନୁବାଦ ମଧ୍ୟ ପାଠ କରିଥିଲେ। ଦ୍ବିତୀୟ କବିତାର ଶୀର୍ଷକ ଥିଲା ‘ବିଜ୍ଞାପନରେ କାନ୍ଦୁନଥିବା ନାରୀ’। ଡ. ସଂଗ୍ରାମ ଜେନା ଏହି କବିତାର ଇଂରାଜୀ ଅନୁବାଦ କରିଥିବା ‌େବ‌ଳେ ଏହି ଇଂରାଜୀ ଅନୁବାଦକୁ ମଧ୍ୟ ଡ. ଲେଙ୍କା ଏହି ଅବସର‌ରେ ପାଠ କରିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମିର ଆଞ୍ଚଳିକ ଅଧିକାରୀ (କୋଲକାତା) ଦେବେନ୍ଦ୍ର କୁମାର ଦେବେଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅକାଦେମିର ୱେବସାଇଟ୍‌ ଜରିଆରେ ଓ ୟୁ-ଟ୍ୟୁବ୍‌ରେ କବିତା ପ୍ରେମୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ।

ସମ୍ବନ୍ଧିତ ଖବର