ଚକ୍ଷୁଦାନ କଲେ କୋମଳମତି ସନୟା, ଆର୍ଥିକ ଅନଟନ ହେଲା ଚିକିତ୍ସାରେ ବାଧକ

ପୁରୀ : ଜନ୍ମ ମୃତ୍ୟୁ ସଂସାରର ନିୟମ। ମାତ୍ର କେହିକେହି ମରି ବି ଅମର ହୋଇଯାଆନ୍ତି। ସେତେବେଳେ ଦୁନିଆ ତାଙ୍କ ମୃତ୍ୟୁକୁ ନେଇ ଯେତିକି ଶୋକ କରେ, ତା’ର ମହାନତାକୁ ନେଇ ସେତିକି ଗର୍ବ ଅନୁଭବ କରେ। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ନିଜ ଚକ୍ଷୁ ଦାନ କରି ନିମାପଡ଼ା ରେଞ୍ଚ ଶାସନ ଅଞ୍ଚଳରେ ଉଦାହରଣ ପାଲଟିଯାଇଛନ୍ତି ସନୟା ମନ୍ତ୍ରୀ। ପିଲାବେଳୁ ଦାରିଦ୍ରୢର ତାଡ଼ନା ଭିତରେ ବଢ଼ିଥିଲେ ବି ଶେଷରେ ଅନ୍ୟକୁ ଅନ୍ଧାରରୁ ଆଲୋକ ଦେଖାଇବାର ବାଟ ପ୍ରସ୍ତୁତ କରି ରାତାରାତି ପିଲାମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି।

ନିମାପଡ଼ା ରେଞ୍ଚ ଶାସନର ସବିତା ମୁଦୁଲିଙ୍କ ଝିଅ ସନୟାଙ୍କର ପିଲାବେଳୁ ହୃଦୟରେ ଛିଦ୍ର ଥିବା ଜଣା ପଡ଼ିଥିଲା। ତେବେ ଏଭଳି ଦୁର୍ଦ୍ଦିନ ସମୟରେ ସନୟାଙ୍କ ବାପା ତାରକ ପ୍ରସାଦ ମନ୍ତ୍ରୀ ମଧ୍ୟ ତାଙ୍କୁ ଓ ତାଙ୍କ ମା’ଙ୍କୁ ଛାଡ଼ି ଦେଇ ଅନ୍ୟତ୍ର ଚାଲିଗଲେ। ବିଧାତାର ଏହି ନିଷ୍ଠୁର ନିଷ୍ପତ୍ତି ପରେ ସବିତାଙ୍କୁ ଯାଇ ନିଜ ବୁଢ଼ି ମା’ ପାଖେ ମୁଣ୍ଡ ଗଞ୍ଜିବାକୁ ପଡ଼ିଥିଲା। ସବିତା ଯାହା କିଛି କଷ୍ଟେମଷ୍ଟେ ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ସିନା ଚଳି ଯାଉଥିଲା, କିନ୍ତୁ ସନୟାର ଚିକିତ୍ସା ଆବଶ୍ୟକତା ମେଣ୍ଟାଇପାରୁନଥିଲା। ୧୨ ବର୍ଷର କୋମଳମତି ସନୟା ବି ଅନ୍ୟମାନଙ୍କ ଭଳି ବଞ୍ଚିବାକୁ ଇଚ୍ଛା କରିଥିଲା, କିନ୍ତୁ ତା ପରିବାରର ଦାରିଦ୍ରୢ ଦେଖି କେବେ ବି ସେ ନିଜ ମା’ଙ୍କୁ ନିଜ ଚିକିତ୍ସା ପାଇଁ ଦାବି କରିପାରି ନଥିଲା। ଶେଷରେ ନିଜର ଆସନ୍ନ ମୃତ୍ୟୁ ବାବଦରେ ଜାଣିବା ପରେ ସନୟାର ଦୁଇ ଚକ୍ଷୁ ଦାନ ପାଇଁ ମା’ ସବିତା ନିଷ୍ପତ୍ତି ନେଇଥିଲେ।

କିଛିଦିନ ଏମ୍‌ସରେ ଚିକିତ୍ସିତ ହେବା ପରେ ଗତକାଲି ସନୟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ସନାୟାଙ୍କ ସ୍ମୃତିକୁ ସଦା ଜୀବିତ ରଖିବା ପାଇଁ ତାଙ୍କର ଦୁଇଟି ଆଖି ମା’ ଏଲ୍‌ ଭି ପ୍ରସାଦ କ୍ଲିନିକ୍‌ ‘ଦୃଷ୍ଟିଦାନ ଆଇ ବ୍ୟାଙ୍କ’କୁ ପ୍ରଦାନ କରିଥିଲେ। ଏ ନେଇ ସନୟାଙ୍କ ମା’ ସବିତା କହିଛନ୍ତି, ମୋ ଝିଅ ସିନା ଚାଲିଗଲା, କିନ୍ତୁ ଅନ୍ୟ ପାଇଁ ଆଲୋକ ବର୍ତ୍ତିକା ସାଜିଲା। ଝିଅକୁ ବଞ୍ଚାଇ ନ ପାରିବାର ଦୁଃଖ ସବୁବେଳେ ରହିବ, କିନ୍ତୁ ଝିଅର ଅବଦାନ ଖାଲି ମୋ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ସଦା ଅବିସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର