ସଙ୍ଗୀତ ନାଟକ ଏକାଡେମି ଦେଉନି ‘ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର’

ସଙ୍ଗୀତ ନିର୍ଦ୍ଦେଶକଙ୍କ ମହଲରେ ଅସନ୍ତୋଷ, ତୁରନ୍ତ ପୁରସ୍କାର ପ୍ରଚଳନ ପାଇଁ ଦାବି

ଭୁବନେଶ୍ବର: ନୃତ୍ୟ, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମି ପକ୍ଷରୁ ପ୍ରତିବର୍ଷ କଳାକାରମାନଙ୍କୁ ସମ୍ମାନିତ କରାଯାଏ। ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’କୁ ଛାଡ଼ି ନୃତ୍ୟ, ନାଟକ ଓ ସଙ୍ଗୀତ ଆଦିରୁ ସମୁଦାୟ ୧୫ଟି ବିଭାଗରେ ୧୫ ଜଣ କୃତୀ କଳାକାରଙ୍କୁ ଏହି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଏ। ସଙ୍ଗୀତ କ୍ଷେତ୍ରରେ ଲୋକ ସଙ୍ଗୀତ, ଲୋକବାଦ୍ୟ, ଯନ୍ତ୍ର ସଙ୍ଗୀତ, ଓଡ଼ିଶୀ କଣ୍ଠ ସଙ୍ଗୀତ, ସୁନନ୍ଦା ସମ୍ମାନ (ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ), ସୁଗମ ସଙ୍ଗୀତ ଓ ଗୀତିକବିତାକୁ ନେଇ ସାରଦା ପ୍ରସାଦ ସମ୍ମାନ ପ୍ରଦାନ କରାଯାଉଛି। କିନ୍ତୁ ସଙ୍ଗୀତକୁ ବଳିଷ୍ଠ, ଋଦ୍ଧିମନ୍ତ ତଥା ଶ୍ରୁତିମଧୁର କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସଙ୍ଗୀତ ନିର୍ଦ୍ଦେଶକଟିଏ ପାଇଁ ଏକାଡେମି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ସଙ୍ଗୀତ ଜଗତରେ ଅସନ୍ତୋଷ ଲାଗି ରହିଥିବା ବେଳେ ଯଥାଶୀଘ୍ର ଏକାଡେମି ପକ୍ଷରୁ ‘ସଙ୍ଗୀତ ନିର୍ଦ୍ଦେଶକ ଏକାଡେମି ପୁରସ୍କାର’ ପ୍ରଦାନ କରାଯାଉ ବୋଲି ଦାବି ଉଠିଛି।

ଚଳଚ୍ଚିତ୍ର ସଙ୍ଗୀତ ହେଉ ବା ଯେକୌଣସି ସଙ୍ଗୀତ; ସଙ୍ଗୀତ ସଂଯୋଜନାର ଗୁରୁଦାୟିତ୍ବ ବହନ କରନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଗୀତର ରଚନା‌ ଯେତେ ସୁନ୍ଦର ହେଉଥାଉ ନା କାହିଁକି, କଣ୍ଠଶିଳ୍ପୀ ଯେତେ ମାହିର ହେଉଥାନ୍ତୁ ନା କାହିଁକି; ଜଣେ ସଙ୍ଗୀତ ନିର୍ଦ୍ଦେଶକଙ୍କ ବିନା ଏହା ଶ୍ରୋତାଙ୍କ ପାଖରେ ପହଞ୍ଚ ପାରିବ ନାହିଁ। କବିତା ବା ଏକ ଲେଖାକୁ ସଙ୍ଗୀତର ରୂପ ସଙ୍ଗୀତ ନିର୍ଦ୍ଦେଶକ ଦେଉଥିବା ବେଳେ ତାଙ୍କୁ ସମ୍ମାନିତ କରିବା ପାଇଁ ଏକାଡେମି ପକ୍ଷରୁ ସେମିତି କୌଣସି ବ୍ୟବସ୍ଥା ନ ରହିବା ଅତ୍ୟନ୍ତ ଦୁଭାଗ୍ୟଜନକ ବୋଲି ‘ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲ୍‌ଫେୟାର୍‌ ଆସୋସିଏସନ୍‌’ ପକ୍ଷରୁ କୁହାଯାଇଛି। ଏଥିସହ ଯଥାଶୀଘ୍ର ଏକାଡେମିର ପୁରସ୍କାରରେ ‘ସଙ୍ଗୀତ ନିର୍ଦ୍ଦେଶକ ଏକେଡେମି ସମ୍ମାନ’କୁ ସଂଯୋଗ କରିବାକୁ ଆସୋସିଏସନ୍ ଦାବି କରିଛି। ଏ ସମ୍ପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଦାବିପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଓଡ଼ିଆ ମ୍ୟୁଜିକ ଆର୍ଟିଷ୍ଟ ୱେଲ୍‌ଫେୟାର୍‌ ଆସୋସିଏସନ୍‌ର ସଭା‌ପତି ଅଭିଜିତ୍‌ ମଜୁମ୍‌ଦାର୍‌ କହିଛନ୍ତି, ‌‌ଯଦି ଗୋଟିଏ ପରିବାରର ସବୁ ସଦସ୍ୟଙ୍କ କୃତୀକୁ ଆମେ ସମ୍ମାନ ଦେଉଛେ ତେବେ ମୁରବୀଙ୍କୁ ସମ୍ମାନିତ କରିବା ନା‌ହିଁ କିଭଳି? ସଙ୍ଗୀତ ପରିବାରର ମୁରବୀ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କ ଯୋଗୁଁ ହିଁ ସଙ୍ଗୀତରେ ସ୍ବର ସଂଯୋଜିତ ହୁଏ, ଆଉ ତାଙ୍କ ଅବଦାନକୁ ଆମେ ଅସ୍ବୀକାର କରିବା କିଭଳି? ଏଣୁ ଏକାଡେମି ପକ୍ଷରୁ ସ୍ବତନ୍ତ୍ର ଭାବେ ପୁରସ୍କାର’ ଘୋଷଣା ହୋଇ ଯୋଗ୍ୟଙ୍କୁ ସମ୍ମାନିତ କରାଯାଉ ବୋଲି ସେ କହିଛନ୍ତି।

ଓଡ଼ିଆ ମ୍ୟୁଜିକ ଆର୍ଟିଷ୍ଟ ୱେଲ୍‌ଫେୟାର୍‌ ଆସୋସିଏସନ୍‌ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ବିଭୂ ଦାସ କହିଛନ୍ତି, ଜଣେ ସଙ୍ଗୀତ ନିର୍ଦ୍ଦେଶକ ହିଁ ସଙ୍ଗୀତ ଓ ସ୍ବରରେ ପ୍ରାଣ ଢାଳିଥାଏ। ତାଙ୍କର ସୃଜନଶୀଳତା ହିଁ କବିତାଟିଏ ସଙ୍ଗୀତ ହୋଇପାରେ। ଏଣୁ ସଙ୍ଗୀତ କ୍ଷେତ୍ରକୁ ଜଣେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅବଦାନକୁ ନଜର ଅନ୍ଦାଜ କରାଯାଇନପାରେ। କିନ୍ତୁ ସଙ୍ଗୀତ ନାଟକ ଏକାଡେମି ବର୍ଷ ବର୍ଷ ଧରି ସଙ୍ଗୀତର ପ୍ରତିଟି କ୍ଷେତ୍ରରେ କଳାକାରମାନଙ୍କୁ ପୁରସ୍କୃତ କରୁଥିବା ବେଳେ ‘ସଙ୍ଗୀତ ନିର୍ଦ୍ଦେଶକ ଏକାଡେମି ପୁରସ୍କାର’ ଘୋଷଣା କରୁନାହିଁ। ଗୀତ ଲେଖୁଥିବା ଗୀତିକାରଙ୍କୁ, ଗାଉଥିବା କଣ୍ଠଶିଳ୍ପୀଙ୍କୁ ଏପରିକି ଯନ୍ତ୍ର ସଙ୍ଗୀତକୁ ବି ପୁରସ୍କୃତ କରାଯାଉଛି। ତେବେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅବଦାନକୁ ସରକାର ଅଣଦେଖା କରିବାର କାରଣ କ’ଣ? ଏଣୁ ଯଥାଶୀଘ୍ର ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ ଲାଗି ବ୍ୟବସ୍ଥା ପରିବାକୁ ସେ କହିଛନ୍ତି।

ଏନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ କହିଛନ୍ତି, ସଙ୍ଗୀତର ବିଭିନ୍ନ ବିଭାଗରେ ଏକାଡେମି ପକ୍ଷରୁ ପୁରସ୍କାର ଦିଆଯାଉଛି। ସ୍ବତନ୍ତ୍ର ଭାବେ ‘ସଙ୍ଗୀତ ନିର୍ଦ୍ଦେଶକ ଏକାଡେମି ପୁରସ୍କାର’ ପ୍ରଦାନ କରାଯାଉନଥିଲେ ମଧ୍ୟ ଅତୀତରେ ବହୁ ସଙ୍ଗୀତ ନିର୍ଦ୍ଦେଶକ ବିଭିନ୍ନ ବିଭାଗରେ ଏକାଡେମି ପୁରସ୍କାର ପାଇଛନ୍ତି। ଯିଏ ଯୋଗ୍ୟ ସେ ନିହାତି ପୁରସ୍କାର ପାଇବ, ଏଥିରେ ଦ୍ବନ୍ଦ୍ବ ନାହିଁ।

ସମ୍ବନ୍ଧିତ ଖବର