ଆରପାରିରେ ବରିଷ୍ଠ ରାଜନେତା ଅରୁଣ ଦେ

୫ ଥର ବିଧାୟକ ଥିଲେ, କରୋନା ନେଲା ଜୀବନ, ରାଜ୍ୟବ୍ୟାପୀ ଶୋକର ଛାୟା

ବାଲେଶ୍ବର : ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା ତଥା ବାଲେଶ୍ବରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରାଜନେତା ଅରୁଣ ଦେଙ୍କର ସୋମବାର ସନ୍ଧ୍ୟା ୭ଟା ୨୦ ମିନିଟ୍‌ରେ ଭୁବନେଶ୍ବରଠାରେ ଦେହାନ୍ତ ଘଟିଛି। ତାଙ୍କୁ ୭୬ ବର୍ଷ ହୋଇଥିଲା।

କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୯ ତାରିଖରୁ ସେ ଆମ୍ରି ହସ୍‌ପିଟାଲ‌ରେ ଚିକିତ୍ସାଧୀନ ଥିଲେ। କୋଭିଡ୍‌ ଓ ନିମୋନିଆଜନିତ କାରଣରୁ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇ ପଡ଼ିବାରୁ ତାଙ୍କୁ ଜୀବନରକ୍ଷାକାରୀ ବ୍ୟବସ୍ଥା ମଧ୍ୟରେ ରଖାଯାଇଥିଲା। ତେବେ ଡାକ୍ତରମାନଙ୍କ ପ୍ରୟାସ ଯୋଗୁଁ ସେ ସୁସ୍ଥ ହୋଇ ଜୁଲାଇ ୧୬ ତାରିଖରେ କ୍ୟାବିନ୍‌କୁ ଆସିଥିଲେ। ଆଉ କିଛିଦିନ ପରେ ସେ ଡାକ୍ତରଖାନାରୁ ଘରକୁ ମଧ୍ୟ ଫେରିଥା’ନ୍ତେ। ହେଲେ ଆଜି ଅପରାହ୍ନରେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଆରମ୍ଭ କରିଥିଲା। ଆଇସିୟୁରେ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଆଉ କାମ କରିନଥିଲା। ଶେଷରେ ସନ୍ଧ୍ୟା ୭ଟା ୨୦ରେ ବାଲେଶ୍ବର ମାଟିର ଏହି ଲୋକପ୍ରିୟ ରାଜନେତାଙ୍କ ମୃତ୍ୟୁ ଘୋଷଣା କରିଥିଲେ ହସ୍‌ପିଟାଲ କର୍ତ୍ତୃପକ୍ଷ। ଅରୁଣଙ୍କ ନିଧନରେ ଗୋଟିଏ ଯୁଗର ଅବସାନ ଘଟିଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା ଆଦି ଏକାଧିକ ଭାଷାରେ ଦକ୍ଷତା ରଖିଥିବା ତଥା ବାମପନ୍ଥୀ ବିଚାରଧାରାରେ ବିଶ୍ବାସ ରଖୁଥିବା ଏହି ବରିଷ୍ଠ ରାଜନୀତିଜ୍ଞ କେବଳ ରୋକଠୋକ୍‌ ସ୍ପଷ୍ଟବାଦୀ ନଥିଲେ, ରାଜନୀତିରେ ଥିଲେ ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା। ଆଜୀବନ ଅବିବାହିତ ଥିବା ଅରୁଣଙ୍କ ପରଲୋକରେ ଜନ୍ମମାଟି ବାଲେଶ୍ବର ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି।

ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାନସଭାକୁ ଯାଇଥିବା ଅରୁଣ ସିପିଆଇରୁ ୩ ଥର, ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ଓଡ଼ିଶା ଗଣ ପରିଷଦରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ୧୯୯୪ ମସିହା ଯାଏ ଏହି ଦଳର ପ୍ରମୁଖ ନେତା ଭାବରେ ସାରାରାଜ୍ୟରେ ରାଜନୀତିରେ ସକ୍ରିୟ ଥିଲେ। ଫକୀରମୋହନ କଲେଜରେ ପଢ଼ିବା ସମୟରୁ ତାଙ୍କର ରାଜନୈତିକ ଜୀବନର ଅୟମାରମ୍ଭ ହୋଇଥିଲା। ୧୯୭୪ ମସିହାରେ ବାଲେଶ୍ବର ଆ‌ସନରୁ ପ୍ରଥମଥର ପାଇଁ ସିପିଆଇ ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଅରୁଣ। ପରବର୍ତ୍ତୀ ସମୟରେ ୧୯୮୦ ଓ ୧୯୯୦ ମସିହାରେ ସିପିଆଇ, ୧୯୯୫ରେ ସ୍ବାଧୀନ ଓ ୨୦୦୪ରେ ଓଡ଼ିଶା ଗଣ ପରିଷଦରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ଏନ୍‌ସିପି, ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବାବେଳେ ଗତବର୍ଷ ସେ ବିଜେଡିକୁ ଫେରିଥିଲେ। ଛାତ୍ର ଜୀବନରୁ ଅତ୍ୟନ୍ତ ମେଧାବୀ ଥିବା ଅରୁଣ ସୁବକ୍ତା ସାଙ୍ଗକୁ ବିପ୍ଳବୀ ନେତା ଭାବେ ବେଶ ଜଣାଶୁଣା ଥିଲେ। ବି‌ଶେଷକରି ସାଧାରଣ ଜନତାଙ୍କ ସମସ୍ୟା ସହ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗକୁ ସେ ବିଧାନସଭାରେ ଏଭଳି ପ୍ରଭାବଶାଳୀ ଢଙ୍ଗରେ ଉତ୍‌ଥାପନ କରୁଥିଲେ ଯେ ତାକୁ ସରକାର ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହେଉଥିଲେ।

କଳାରେ ସ୍ନାତକୋତ୍ତର ଏବଂ କଟକ ମଧୁସୂଦନ ଆଇନ କଲେଜରେ ଆଇନ ଶିକ୍ଷା ଲାଭ କରିବା ପରେ କିଛି ବର୍ଷ କାଳ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ ଏହି ବିପ୍ଲବୀ ନେତା। ୧୯୪୬ ମସିହା ଏପ୍ରିଲ ୩୦ ତାରିଖରେ ବାଲେଶ୍ୱର ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରିଥିବା ଅରୁଣଙ୍କ ବାପା ଗୋଲକନାଥ ଦେ ଥିଲେ ଜଣେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ। ତିନିଭାଇ ଓ ତିନି ଭଉଣୀଙ୍କ ମଧ୍ୟରୁ ଅରୁଣ ଥିଲେ ସବା ସାନ। ପୂର୍ବରୁ ତାଙ୍କର ବଡ଼ଭାଇ ବିଶେଶ୍ବର ଦେ, ଶଶାଙ୍କ ଦେ ଓ ଅନ୍ୟ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିସାରିଛି। ସାନଭଉଣୀ ଡ.ବାସନ୍ତୀ ଦେ ଏବେ ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ବର୍ଷକରେ ଥରେ ଭଉଣୀ, ଭଉଣୀଜ୍ବାଇଁ ଏବଂ ଭଣଜା, ଭାଣିଜୀଙ୍କୁ ଭେଟିବା ପାଇଁ ସେ ଆମେରିକା ଯାଉଥିଲେ। ତାଙ୍କ ସମୟରେ ବାଲେଶ୍ବରରେ ପୋଲ, ରାସ୍ତା, ପ୍ର‌ତି ଗାଁରେ ବିଦ୍ୟାଳୟ, ପାନୀୟଜଳ, ବେକାର ଯୁବକଯୁବତୀମାନଙ୍କୁ କର୍ମନିଯୁକ୍ତି, କଳକାରଖାନା ଆଦି ପ୍ରତିଷ୍ଠା ସମ୍ଭବ ହୋଇପାରିଥିଲା। ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ସେ ବିଧାନସଭାରେ ସ୍ବର ଉତ୍ତୋଳନ କରି ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। କୁସଂସ୍କାର, ଅନ୍ଧବିଶ୍ବାସର ସେ ଥିଲେ ଘୋର ବିରୋଧୀ। ଗରିବ, ନିଷ୍ପେସିତ, କୃଷକ, ଖଟିଖିଆ, ଶ୍ରମିକଶ୍ରେଣୀ ଲୋକମାନଙ୍କ ପାଇଁ ତାଙ୍କ ଜୀବନ ଥିଲା ସମର୍ପିତ। ଜିଲ୍ଲାର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତୃବୃନ୍ଦଙ୍କ ପର୍ଯ୍ୟନ୍ତ ସଭିଁଏ ତାଙ୍କ ମତାମତ ଲୋଡ଼ୁଥିଲେ। ତାଙ୍କର ଅକାଳ ନିଧନ କେବଳ ବାଲେଶ୍ବର ନୁହେଁ, ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର