ହାଇକୋର୍ଟରେ ଶୁଣାଣିର ସିଧା ପ୍ରସାରଣ ଆରମ୍ଭ

ହାଇକୋର୍ଟ ବାର୍‌ର ବିରୋଧ; ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

କଟକ : ହା‌ଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରସିଡିଂ) ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ସୋମବାର ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ, ଏହାକୁ ବିରୋଧକରି ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି। ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍‌ସ, ୨୦୨୧’କୁ ତୁରନ୍ତ ପ୍ରତ୍ୟାହାର ପାଇଁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ସିଧା ପ୍ରସାରଣ ପ୍ରସଙ୍ଗକୁ ନେଇ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି।

ସୋମବାର ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ସିଧାପ୍ରସାରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥିସହିତ, ହାଇକୋର୍ଟର ନିଜସ୍ବ ମୋବାଇଲ ଆପ୍, ଜିଲ୍ଲା ଜଜ୍ କୋର୍ଟ ଓ ଅନ୍ୟ ସବ୍-ଅର୍ଡିନେଟ୍ କୋର୍ଟରେ ଅନ୍ ଲାଇନରେ ଜରିମାନା ଜମା ସୁବିଧା, ଭୁବନେଶ୍ବର-କଟକ କମିସନରେଟ ଅଞ୍ଚଳରେ ଟ୍ରାଫିକ୍ ଇ-ଚାଲାଣ ମାମଲାର ଭର୍ଚୁଆଲ ଅଦାଲତରେ ଶୁଣାଣି ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ବିଚାରପତି ନ୍ୟାୟିକ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ ଏହାର ଉପ‌େଯାଗିତା ଉପରେ ଗୁରୁତ୍ବାରୋପ କରିଥିଲେ। ହାଇକୋର୍ଟର ନୂତନ ମୋବାଇଲ ଆପ୍, ଅନ୍ ଲାଇନରେ ଜରିମାନା ଜମା ବ୍ୟବସ୍ଥା ଓ ଭର୍ଚୁଆଲ କୋର୍ଟ ବ୍ୟବସ୍ଥାର ସୁବିଧା ଉପରେ ହାଇକୋର୍ଟ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ କମ୍ପ୍ୟୁଟର କମ୍ ଷ୍ଟିଅରିଂ କମିଟିର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିସନର, ଏନଆଇସି ରାଜ୍ୟ ଇନଫରମେସନ୍ ଅଫିସର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ହାଇକୋର୍ଟ ୱେବ୍‌ସାଇଟରେ ମୋବାଇଲ ଆପ୍, ଜରିମାନା ରାଶିର ଇ-ପେମେଣ୍ଟ, ଭର୍ଚୁଆ‌ଲ କୋର୍ଟ ସଂପର୍କିତ ନିୟମାବଳୀ ଓ କାର୍ଯ୍ୟବିଧି ଉପଲବ୍ଧ ହେଉଛି।

ତେବେ, ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ବିରୋଧ କରାଯାଇଛି। ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ସଂପର୍କିତ ନୂଆ ନିୟମାବଳୀକୁ ସଦସ୍ୟମାନେ ବିରୋଧ କରିବା ସହିତ ଏହାର ପ୍ରତ୍ୟାହାର ସପକ୍ଷରେ ମତ ରଖିଥିଲେ। ସୋମବାର ଦିନ ୨ଟାରୁ ୪ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଆଇନଜୀବୀମାନେ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଯୋଗ ନ ଦେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହିତ ସାଧାରଣ ପରିଷଦ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ଅବଗତ କରି ଆଇନଜୀବୀ ତଥା ଅନୁଷ୍ଠାନର ସ୍ବାର୍ଥ ଦୃଷ୍ଟିରୁ ଲାଇଭ ଷ୍ଟ୍ରିମିଂ ସଂପର୍କିତ ନିୟମାବଳୀ ପ୍ରତ୍ୟାହାର ପାଇଁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆସନ୍ତା ବୁଧବାର ଦିନ ୧ଟା ୨୦ରେ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରି‌ଷ୍ଠ ଆଇନଜୀବୀ ଶ୍ରୀ ସାହୁ କହିଛନ୍ତି ଯେ ଜୁଲାଇ ୨୮ରେ ଲାଇଭ ଷ୍ଟ୍ରିମିଂ ନିୟମାବଳୀ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଦିନ ମଧ୍ୟ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ଏହି ନୂଆ ନିୟମାବଳୀ ଅଗଷ୍ଟ ୨ରୁ କାର୍ଯ୍ୟକାରୀ ଆରମ୍ଭ ହେବ ବୋଲି ସ୍ପଷ୍ଟ କରାଯାଇଥିଲା। ଏପରି ନିୟମ ପ୍ରଣୟନ ପୂର୍ବରୁ ହାଇକୋର୍ଟ ବାର୍ ସଦସ୍ୟଙ୍କ ସହିତ ଆଲୋଚନା କରାଯାଇ ନଥିଲା କି ମତାମତ ନିଆଯାଇ ନଥିଲା। ଏଥିସହିତ ନିୟମ କାର୍ଯ୍ୟକାରୀ ପୂର୍ବରୁ ମଧ୍ୟ ଅବଗତ କରାଯାଇ ନଥିଲା। ଏପରି ନିୟମ ଆଇନଜୀବୀ ଓ ଅନୁଷ୍ଠାନର ସ୍ବାର୍ଥ ବିରୋଧୀ ବୋଲି ଶ୍ରୀ ସାହୁ କହିଛନ୍ତି। ଆଜିର ସାଧାରଣ ପରିଷଦ ବୈଠକରେ ଆସୋସିଏସନ୍ ଉପସଭାପତି ଦେବୀ ପ୍ରସାଦ ଦାଶ, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା, ଯୁଗ୍ମସଂପାଦକ ପ୍ରଣୟ କୁମାର ସ୍ବାଇଁ, ସହକାରୀ ସଂପାଦକ ତାପସ କୁମାର ଆଚାର୍ଯ୍ୟ, ପୂର୍ବତନ ଉପସଭାପତି କାଳୀପ୍ରସନ୍ନ ମିଶ୍ର, ପୂର୍ବତନ ସଂପାଦକ ବିଜୟ କୁମାର ରଗଡ଼, ବିଭୂତି ଭୂଷଣ ଚୌଧୁରୀ, ବିଭୁ ପ୍ରସନ୍ନ ମହାପାତ୍ର, କବିରାଜ ପ୍ରଧାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାମଲା ଶୁଣାଣି ପ୍ରକ୍ରିୟା (କୋର୍ଟ ପ୍ରୋସିଡିଂ) ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) ପ‌ାଇଁ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧ ପ୍ରଣୟନ କରାଯାଇଥିବା ବେଳେ ନିର୍ଦ୍ଦିଷ୍ଟ ମାମଲା ଗୁଡିକୁ ବାଦ ଦେଇ ଅନ୍ୟ ସମସ୍ତ ମାମଲାର ସିଧା ପ୍ରସାରଣ କରାଯିବ ବୋଲି ନୂତନ ନିୟମାବଳୀ‌ରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର