ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ: ସକାଳ ୬ରୁ ରାତି ୧୦ଟା ଭିତରେ କାମ କରିବାକୁ ମିଳିଲା ଅନୁମତି

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାରଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଶୁକ୍ରବାରଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁବାର ସନ୍ଧ୍ୟାରେ ନାଟମଣ୍ଡପ ମରାମତି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଏସଆଇ, ଟେକ୍ନିକାଲ୍ ଟିମ୍, ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗରୁଡସ୍ତମ୍ଭଠାରୁ କାମ ଆରମ୍ଭ ହେବ। ଏହି କାମ ସକାଳ ୬ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ଭିତରେ ହିଁ କାମ କରିବାକୁ ଅନୁମତି ମିଳିଛି।

ସେହିପରି ନାଟମଣ୍ଡପ ମରାମତି ସମୟରେ ଭକ୍ତଙ୍କ ଜଗା ଦର୍ଶନ ଓ ନୀତିକାନ୍ତିରେ ଯେପରି ବାଧା ନ ଉପୁଜିବ ସେହିଭଳି ପଦକ୍ଷେପ ନିଆଯିବ। ଗହଳି ନିୟନ୍ତ୍ରଣ ପାଇଁ ଏଏସଆଇକୁ ସହାୟତା ପାଇଁ କମାଣ୍ଡର ଓ ସୁପରଭାଇଜର ରହିବେ। ମରାମତି କାମକୁ ତଦାରଖ ପାଇଁ ଶ୍ରୀମନ୍ଦିର ଟେକ୍ନିକାଲ୍ ଟିମ୍ ରହିବେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ। ତାପରେ ନାଟମଣ୍ଡପରେ ଫାଟଥିବା ବିମକୁ ଯାଞ୍ଚ କରାଯିବ। ଏଏସଆଇର ସ୍ୱତନ୍ତ୍ର ଟେକନିକାଲ ଟିମ୍ ବିମ୍ ମରାମତି କରିବ। ବିମ୍ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ। ଏଥିପାଇଁ ପ୍ରସ୍ତୁତି ସରିଛି। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ୟ କରାଯିବ। କେଉଁ ସମୟରେ କାର୍ଯ୍ୟ କରାଯିବ ଏ ନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଯେ, ଚଳିତ ମାସ ୨୪ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ। ତାସହିତ ନାଟମଣ୍ଡପର ଗରୁଡ଼ସ୍ତମ୍ଭ ପାଖ ବିମ୍ ସହ ସମସ୍ତ ପକେଟର ମରାମତି କରାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ତ୍ତିକ ମାସ ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଏଏସଆଇକୁ ସଂପୂର୍ଣ୍ଣ ୬ ଘଣ୍ଟା ମରାମତି ପାଇଁ ଦିଆଯିବ। ମରାମତି କାମ ୧୨୦ଦିନ ମଧ୍ୟରେ ଶେଷ କରାଯିବ। ଶ୍ରୀମନ୍ଦିରରେ ନୀତି ଅଧିକ ରହିଥିବାରୁ ଏଏସ୍‌ଆଇ କ’ଣ କାର୍ଯ୍ୟ କରିବ ତାହା ପ୍ରତିଦିନ ଦିନକ ଆଗରୁ କମାଣ୍ଡରଙ୍କୁ ଅବଗତ କରାଇବ। ଆଉ ଏହି କାର୍ଯ୍ୟ ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ କାର୍ଯ୍ୟରେ ଯେଭଳି ବାଧାସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୁରୀ ଏସପିଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଛି।

ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି ଯେ, ଶୁକ୍ରବାର ଠାରୁ ରତ୍ନପଲଙ୍କ କାମ ଆରମ୍ଭ ହେବ। ରତ୍ନପଲଙ୍କରେ ଥିବା ହାତୀଦାନ୍ତ ମରାମତି କରାଯିବ। ଓଡ଼ିଆ ନବବର୍ଷରୁ ମହାପ୍ରଭୁ ନବନିର୍ମାଣ ରତ୍ନପଲଙ୍କରେ ଶୋଇବେ। ମହାପ୍ରଭୁଙ୍କ ରତ୍ନପଲଙ୍କ ବର୍ମାଟିକ୍ କାଠରେ ନିର୍ମାଣ ହେବ। 

ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ଠାରୁ ଉତ୍ତରଦ୍ବାର ପର୍ଯ୍ୟନ୍ତ ହୁଇଲ ଚେୟାର ଯୋଗେ ଦିବ୍ୟାଙ୍ଗ ଭକ୍ତଙ୍କୁ ନିଆଯିବ। ଦିବ୍ୟାଙ୍ଗ ଭକ୍ତମାନେ ପାଟଅଗଣା ଠାରୁ ପଲି କାର୍ଵୋନେଟ୍ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଜୟବିଜୟ ଦ୍ବାରଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ଦିବ୍ୟାଙ୍ଗ ଭକ୍ତମାନେ ସକାଳ ୧୦ଟାରୁ ୧୧ଟା ଓ ସଂଧ୍ୟା ସମୟରେ ଜଗା ଦର୍ଶନ କରିବେ। ଏଥି ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନଭେମ୍ବର ୧୬ ଠାରୁ ଆରମ୍ଭ କରିବାକୁ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। କୌଣସି ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ତାଗିଦ୍ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)ର କାର୍ଯ୍ୟକଳାପକୁ ନେଇ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଶୁଣାଣି ସମୟରେ ଏଏସ୍ଆଇ ଦର୍ଶାଇଥିଲା ଯେ ନିକଟରେ ବିଭିନ୍ନ ଅଂଶୀଦାରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମରାମତି କାର୍ଯ୍ୟ ୨୦୨୪ ଜାନୁଆରି ୨୦ରୁ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ହାଇକୋର୍ଟ ଗ୍ରହଣ କରିନଥିଲେ। ବରଂ ନଭେମ୍ବର ୧୬ ତାରିଖ ଠାରୁ ହିଁ ନାଟମଣ୍ଡପ ମରାମତି କାର୍ଯ୍ୟ ‌ଆରମ୍ଭ କରିବାକୁ ରୋକଠୋକ ଶୁଣାଇଥିଲେ। କୋର୍ଟ କହିଥିଲେ ଯେ ଏଥିପାଇଁ ଏଏସ୍ଆଇକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଏହି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ୧୫ ଦିନରେ ଥରେ ରିପୋର୍ଟ ଦାଖଲ କରିବେ। କେବଳ ସେତିକି ନୁହେଁ, ପରବର୍ତ୍ତୀ ଶୁଣାଣି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ଓ ଏଏସ୍ଆଇ ଅବଗତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଥିଲେ। ଡିସେମ୍ବର ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର