ପରଲୋକରେ ସୂର୍ଯ୍ୟ ପାତ୍ର: ଗଞ୍ଜାମ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ

ପୌର କାଉନସିଲର୍‌ରୁ ୭ ଥର ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪)ଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ୭ଟା ୩୧ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା, ଲୋକସେବା ଭବନକୁ ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ବିୟୋଗ ଗଞ୍ଜାମ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିରେ ନେତା ଭାବେ ସୂର୍ଯ୍ୟ ପାତ୍ର ଜଣାଶୁଣା ଥିଲେ। ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ସେ ଲଗାତାର ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ମୋହନା ନିର୍ବାଚନମଣ୍ଡଳୀରୁ ମଧ୍ୟ ସେ ୧୯୯୦ରୁ ୪ଥର (୧୯୯୦ରୁ ୨୦୦୯) ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୮୦, ୧୯୮୪ ଓ ୧୯୮୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଜନତା ଦଳ ଟି‌କେଟରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ୧୯୯୦ ମସିହାରେ ଜନତା ଦଳ, ସିପିଆଇ ଓ ସିପିଆଇଏମ୍‌ ତ୍ରିଦଳୀୟ ମେଣ୍ଟର ପ୍ରାର୍ଥୀ ହୋଇ ମୋହନା ନିର୍ବାଚନମଣ୍ଡଳୀରୁ ସେ ବିଜୟ ଲାଭ କରିଥିଲେ ଏବଂ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶ୍ରୀ ପାତ୍ର ୧୨ଥର ବିଭିନ୍ନ ମନ୍ତ୍ରୀ ପଦରେ ରହିବା ପରେ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

୨୦୧୯ ଜୁନ୍‌ ୧ତାରିଖରେ ସେ ବାଚସ୍ପତି ପଦରେ ଅବସ୍ଥାପିତ ହୋଥିଲେ। ୨୦୨୨ ଜୁନ୍‌ ୪ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିଥିଲେ। ବାଚସ୍ପତି ଭଳି ସମ୍ମାନଜନକ ପଦବିରେ ରହି‌ବା ପରେ ସେ ପୂର୍ବଭଳି ନିଜର ନିର୍ବାଚନମଣ୍ଡଳୀ ଆସି ସାଧାରଣ ଲୋକଙ୍କୁ ଭେଟିପାରୁ ନଥିଲେ। ବାଚସ୍ପତି ପଦରୁ ଇସ୍ତଫା ଦେବା ପରଦିନ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଶ୍ରୀ ପାତ୍ର ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଥିଲେ। ବିଧାୟକ ଶ୍ରୀ ପାତ୍ର ଅସୁସ୍ଥ ଥିବାରୁ ସେ ବିଧାନସଭା ଅଧିବେଶନରେ ମଧ୍ୟ ଯୋଗ ଦେଇପାରୁ ନଥିଲେ। ତାଙ୍କର ରକ୍ତଚାପ ଅଧିକ ରହୁଥିବା ବେଳେ କିଡ୍‌ନି ସମସ୍ୟା ମଧ୍ୟ ରହିଥିଲା। ବିଭିନ୍ନ ସମୟରେ ତାଙ୍କ ଡାଏଲିସିସ୍‌ କରାଯାଉଥିଲା। ସେ ଲୋକଙ୍କ ସହିତ ଅଧିକ ମିଳାମିଶା ମଧ୍ୟ କରୁ ନଥିଲେ। ତାଙ୍କର ବିୟୋଗ ପରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ବିପ୍ଳବ ପାତ୍ର, ଡା.ସଂଗ୍ରାମ ପାତ୍ର ଏବଂ ଝିଅ ସ୍ବାଧୀନା ପାତ୍ର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସ୍ବର୍ଗତ ପାତ୍ର ଜଣେ ସଫଳ ରାଜନୀତିଜ୍ଞ ସହିତ ସହିତ ଆଇନଜୀବୀ ଓ ସମାଜସେବୀ ଭାବେ ପରିଚିତ ଥିଲେ। ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଦେଇଥିଲେ। ବ୍ରହ୍ମପୁରରେ ସେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିଥିଲେ। ଖଲ୍ଲିକୋଟ କଲେଜରେ ଛାତ୍ର ସଂସଦ ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହାପରେ ୧୯୭୭ରେ ସେ ବ୍ରହ୍ମପୁର ପୌରପାଳିକାର କାଉନ୍‌ସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହାରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗୃହ କମିଟି ସହିତ ଅନ୍ୟାନ୍ୟ କମିଟିର ସଦସ୍ୟ ଭାବେ ରହିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିନେଟ୍‌ ସଭ୍ୟ ମଧ୍ୟ ରହିଥିଲେ। ୧୯୯୦ ଜୁଲାଇ ୭ତାରିଖରେ ସେ ପ୍ରଥମ କରି ବିଜୁ ବାବୁଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହାପରେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ଶକ୍ତି, ପରିବେଶ, ପର୍ଯ୍ୟଟନ, ସଂସ୍କୃତି, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକସମ୍ପର୍କ, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ।

ଆଜି ତା‌ଙ୍କ ପରଲୋକ ଖବର ଶୁଣିବା ପରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ବିକ୍ରମ ପଣ୍ଡା, ସୁଶାନ୍ତ ରାଉତ ପ୍ରମୁଖ ହସ୍ପିଟାଲରେ ‌ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ନୂଆପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଗଣ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ରାଜନେତା ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସମ୍ବନ୍ଧିତ ଖବର