ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣରୁ ଉତ୍ତେଜନା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଝିରପାଣିରେ ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଜବରଦଖଲକାରୀ ଓ ସ୍ଥାନୀୟ ପୁଲିସ ମଧ୍ୟରେ ବେଶ୍‌ କିଛି ସମୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ସମାଧାନର କୌଣସି ବାଟ ବାହାରି ନଥିଲା। ଶେଷରେ ପୁଲିସ ଉତ୍ତେଜନାକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେବାକୁ ବାଧ୍ୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ ଝିରପାଣି ସରକାରୀ ଜାଗାରେ ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣ କରିବାକୁ ବିଶ୍ରା ତହସିଲର ଅଧିକାରୀମାନେ ପହଞ୍ଚିଥିଲେ। ଜେସିବି ଲଗାଇ କାମ ଆରମ୍ଭ କରିଥିଲେ। ଉକ୍ତ ଜାଗାକୁ ଅକ୍ତିଆରରେ ରଖିଥିବା ପରିବାର ଲୋକ ଦୃଢ଼ ବିରୋଧ କରିଥିଲେ। କାମ କରିବାକୁ ଦେଇ ନଥିଲେ। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଜାଗା ନ ଛାଡିବାକୁ ପରିବାର‌ ଲୋକ ଅଡି ବସିଥିଲେ। ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର