ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ (୨୨)ଙ୍କୁ ହତ୍ୟା ଘଟଣାରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଏହି ଘଟଣାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଇସ୍ତଫା ଦାବି କରିଛି ଦଳ। ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଇସ୍ତଫା ଦାବି କରିଛନ୍ତି।
ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ (୨୨)ଙ୍କୁ ହତ୍ୟା ଘଟଣାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଜଡ଼ିତ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅପରପକ୍ଷରେ ଚିତ୍ତରଞ୍ଜନ ପଲେଇଙ୍କ ପରଲୋକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ବର୍ମା କହିଛନ୍ତି, ମୋର ଶ୍ରଦ୍ଧେୟ ଚିତ୍ତରଞ୍ଜନ ପଲେଇଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି। ପ୍ରଭୁ ଅଲାରନାଥ ଚିତ୍ତରଞ୍ଜନଙ୍କ ପରିବାରକୁ ଏହି ଅସମୟରେ ଧୈର୍ଯ୍ୟ ଦିଅନ୍ତୁ।

ସୂଚନାଯୋଗ୍ୟ, ଚିତ୍ତରଞ୍ଜନ ପଲେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈ ଠାରେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତକାଲି ସକାଳେ ଭାର୍ଗବୀ-ନୂଆନଈରେ ଏକ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ପୁଲିସ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର କରିଥିଲା।
ଚିତ୍ତରଞ୍ଜନ ପଲେଇ ଗତ ୪ ମାସ ତଳେ ବିବାହ କରିଥିଲେ। ୨ ଦିନ ହେବ ସେ ନିଖୋଜ ଥିଲେ। ଚିତ୍ତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ଏହାପରେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର