ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବନ୍ଦୀ ଅଧିକାରୀ

ସାଇକେଲ୍‌ରେ ଆସିଲେ, ତାଲା ପକାଇ ପଳାଇଲେ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଉଭୟ ଗେଟ୍‌ରେ ତାଲା! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରରେ। କିଏ ଓ କାହିଁକି ଏପରି କଲା, ତାକୁ ନେଇ ଶନିବାର ଦିନସାରା ଲାଗିରହିଥିଲା ଚର୍ଚ୍ଚା।

ସମୟ ସାଢ଼େ ୨ଟା। ଜଣେ ବ୍ୟକ୍ତି ସାଇକେଲ୍‌ ଚଢ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସାଙ୍ଗରେ ଆଣିଥିବା ଦୁଇଟି ତାଲା ମଧ୍ୟରୁ ଗୋଟିଏ ତାଲା କଚେରି ପାଖ ଗେଟ୍‌ରେ ଏବଂ ଅନ୍ୟ ତାଲାଟି ମୁଖ୍ୟ ଫାଟକରେ ପକାଇ ପଳାଇଥିଲେ। ଶନିବାର ଦିନ ବୈଠକ ଥିବାରୁ ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉକି ଜିଲ୍ଲାପାଳ ଦତ୍ତା‌ତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଲା ଗସ୍ତରେ ଯାଇଥିଲେ। ତେବେ ବୈଠକ ସାରି ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟକୁ ବାହାରିଥିଲେ। ସେମାନେ କଚେରି ପାଖ ଗେଟ୍‌ ବନ୍ଦ ଥିବା ଦେଖି ମୁଖ୍ୟ ଗେଟ୍‌ ଦେଇ ଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେଠାରେ ବି ତାଲା ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ଉଭୟ ଗେଟ୍‌ରେ ତାଲା ପକାଇଦେଇଥିବା ସ୍ଥାନୀୟ ଲୋକ ଦେଖିଥିଲେ ବି ସେ କିଏ ଏବଂ ଏପରି କାମ କାହିଁକି କଲେ, ସେନେଇ ଜଣାପଡ଼ି ନଥିଲା।

ଏନେଇ ଖବର ପ୍ରଚାରିତ ହେବା ପରେ ଗେଟ୍‌ ଆଗରେ ଭିଡ଼ ଜମିଥିଲା। ଆଇନଜୀବୀ ମ‌ନୋଜ କୁମାର ନାୟକ ହାତୁଡ଼ି ଆଣି ତାଲାଗୁଡ଼ିକୁ ଭାଙ୍ଗିଥିଲେ। ଏହି ଘଟଣାକୁ ନେଇ ଶନିବାର ଦିନ ସହରରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ଘଟଣା ବାବଦରେ ସୂଚନା ପାଇ ସହଦେବଖୁଣ୍ଟା ପୁଲିସ ତଦନ୍ତ କରିଥିଲା। କିନ୍ତୁ ତାଲା ପକାଇଥିବା ବ୍ୟକ୍ତିଙ୍କର କୌଣସି ଖୋଜଖବର ମିଳି ନଥିଲା।

ସମ୍ବନ୍ଧିତ ଖବର