ଫେବ୍ରୁ୍ଆରିରୁ ତାତିଲାଣି, ତାପମାତ୍ରା ୩୯ଂ ଡେଇଁଯିବ

ଭୁବନେଶ୍ବର : ଫେବ୍ରୁ୍ଆରିରୁ ତାତିଲାଣି ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ ହେଉ କି ଅଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ଉପରମୁହାଁ। ମଙ୍ଗଳବାର ଦିନ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା ବେଳେ ବୁଧବାର ଦିନ ସୋନପୁର ତାକୁ ଟପିଯାଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୩ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ତାଳଚେରରେ ୩୮.୨, ନୟାଗଡ଼ରେ ତାପମାତ୍ରା ୩୮ ଛୁଇଁଛି। ଭୁବନେଶ୍ବରରେ ୩୭.୯, ଢେଙ୍କାନାଳରେ ୩୭.୬, ବଲାଙ୍ଗୀର, ବୌଦ୍ଧ ଓ ଟିଟିଲାଗଡ଼ରେ ୩୭.୫, ଝାରସୁଗୁଡ଼ାରେ ୩୭.୪, ଭବାନୀପାଟଣାରେ ୩୭.୨, ଅନୁଗୁଳରେ ୩୭.୧, ବାରିପଦାରେ ୩୭ ଡିଗ୍ରି ସମେତ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। କିଛି ସହରର ତାପମାତ୍ରା ୩୯ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ମାତ୍ର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର କେ‌ତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ବିଶେଷକରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ହେବ। ୨୪ ଓ ୨୫ ତାରିଖ ପାଇଁ ଉପକୂଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦିନର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରରେ ୩୮ ଡିଗ୍ରି ଆଖପାଖରେ ରହିବ। କଟକରେ ୩୬ ଡିଗ୍ରି ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର