‘ଲିଙ୍ଗଗତ ଅସମାନତା ଦୂର ପାଇଁ ସହଯୋଗ ଲୋଡା’

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

କୋରାପୁଟ: ଲିଙ୍ଗଗତ ଅସମାନତା ଦୂର ପାଇଁ ସହଯୋଗ ଲୋଡା। ଉଭୟ ପୁରୁଷ ଓ ମହିଳା ହାତକୁ ହାତ ଧରି ପରସ୍ପରର ସହଯୋଗ କଲେ ଏହି ଲିଙ୍ଗଗତ ଅସମାନତା ହ୍ରାସ ପାଇବ। ଉଭୟ ଉଭୟଙ୍କୁ ସମ୍ମାନ ଜଣାଇ କାର୍ଯ୍ୟ କରିବା ସହ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବାକୁ  ସହଯୋଗ କଲେ ଏହି ଲିଙ୍ଗଗତ ଅସମାନତା ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ତିନିଧିନ ଧରି ଚାଲିଥିବା ‘ଏକବିଂଶ ଶତାବ୍ଦୀରେ ମହିଳା: ପରିବେଶ ଓ ନିରନ୍ତର ବିକାଶ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କସ୍ଥିତ ବଫେଲୋ ୟୁନିଭର୍ସିଟିର ୱାର୍ଲ୍ଡ ସେଣ୍ଟର ଫର ଓମେନ୍ ଷ୍ଟଡିଜ୍, ସହଯୋଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁଭେଚ୍ଛା ଜଣାଇବା ସହ ଏହି ସମ୍ମିଳନୀ ନୀତି ନିର୍ଦ୍ଧାରଣକାରୀଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରିବାରେ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ ଏବଂ ଯୁବପିଢ଼ିଙ୍କୁ ଏହି କ୍ଷେତ୍ରରେ ଗବେଷଣା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉପଦେଷ୍ଟା (ଶିକ୍ଷାବିତ୍ ଓ ପ୍ରଶାସନ) ପ୍ରଫେସର ବିଭାଷ ଚନ୍ଦ୍ର ଝା କହିଥିଲେ ଯେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଲିଙ୍ଗଗତ ଅସମାନତାକୁ ଦୂର କରିବା । ବିଶେଷ କରି ମହିଳାଙ୍କ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ମିଳନୀରେ କୋରାପୁଟ ଅଞ୍ଚଳର ବାଜରା ସମେତ କୃଷି ଜାତ ଦ୍ରବ୍ୟ ମାଧ୍ୟମରେ ଏହି ଅଞ୍ଚଳରୁ ବିଶ୍ୱସ୍ତରୀୟ ଧାରଣା ପ୍ରଦର୍ଶିତ ହୋଇଥିଲା। ଭାରତର ଧାର୍ମିକ ଗ୍ରନ୍ଥ ଅଥର୍ବ ବେଦ ଆମକୁ ଶିଖାଇଛି ଯେ ଏହି ଭୂମି ଆମର ମାତା । ସମ୍ମାନିତ ଅତିଥି ଭାବେ ନ୍ୟୁୟର୍କର ବଫେଲୋସ୍ଥିତ ବିଶ୍ୱବିଦ୍ୟାଳୟର ପରିବେଶ ଓ ସ୍ଥାୟୀତା ବିଭାଗର ପ୍ରଫେସର ବାର୍ବରା ୱେଜନାର୍ଟ ଉତ୍ତମ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରଚୁର ସମ୍ଭାବନା ଉପରେ ବକ୍ତବ୍ୟ ରଖିଥିଲେ। ମାନବ ନିର୍ମିତ ପ୍ରଦୂଷଣ, ପରିବେଶ ବିପଦ, ଆବର୍ଜନା ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ, କୀଟନାଶକ ଏବଂ ରାସାୟନିକ ପଦାର୍ଥର ବ୍ୟବହାର, ପରମାଣୁ ପରୀକ୍ଷଣ ଏବଂ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁନିଷ୍କାସନ ଭଳି ବିଭିନ୍ନ ପରିବେଶ ପ୍ରଦୂଷଣ ବିଶ୍ୱବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଚିନ୍ତା ସୃଷ୍ଟି କରୁଛି ବୋଲି ସେ କହିଥିଲେ । ଆମେ ସମସ୍ତେ ଲିଙ୍ଗଗତ ସମାନତା, ନିରନ୍ତର ବିକାଶ ସହିତ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ କରିପାରିବା ଏବଂ ବିଶ୍ୱ ସହଯୋଗ ଦ୍ୱାରା ଶାନ୍ତିରେ ଯୋଗଦାନ କରିପାରିବା ବୋଲି ସେ କହିଥିଲେ।

ବିଶିଷ୍ଟ ସମାଜବିଜ୍ଞାନୀ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି.ସି. ବାରିକ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱାରୋପ କରିଥିଲେ।   ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟରେ ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସମ୍ମିଳନୀର ଆୟୋଜକ ସମ୍ପାଦକ ଡ. କପିଳା ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମିଳନୀରେ ମୋଟ ୮ଟି ଅଧିବେଶନରେ ୫୪ଟି ପେପର ଉପସ୍ଥାପନ କରାଯାଇଥିବା ସେ ସୂଚନା ଦେଇଥିଲେ ।

ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଡ. ଖେମୁଣ୍ଡୁଙ୍କ ଦ୍ବାରା ସମ୍ପାଦିତ ଏକ ସମ୍ମିଳନୀ ସାରଣୀ ପୁସ୍ତକ ଉନ୍ମୋଚନ କରିଥିଲେ। ସିୟୁଓର ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଆଦିତ୍ୟ କେଶରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମାଜବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ନୂପୁର ପଟ୍ଟନାୟକ ବୈଷୟିକ ଅଧିବେଶନ ପରିଚାଳନାରେ ସହଯୋଗ କରିଥିବାବେଳେ ଅଧ୍ୟାପକ ମାନସ ମଲ୍ଲିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମାଜବିଜ୍ଞାନ ବିଭାଗର ଗବେଷକ ନିରଞ୍ଜନ ମାଝୀ କାର୍ଯକ୍ରମର ଉପସ୍ଥାପନ କରିଥିଲେ। ବହୁ ସଂଖ୍ୟାରେ ଶିକ୍ଷକ, ବରିଷ୍ଠ ପଦଧିକାରୀ ଓ ଛାତ୍ରଛାତ୍ରୀ ଙ୍କ ସମେତ ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ, ଡ. ଫଗୁନାଥ ଭୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର