ଖୁଚୁରା ବଜାରରେ ଟମାଟୋ ଦର ୧୨୦: ଚାହିଦାର ମାତ୍ର ୨୦ ପ୍ରତିଶତ ବଜାରକୁ ଆସୁଛି

ଓଡ଼ିଶାରେ କର୍ଣ୍ଣାଟକର ପ୍ରଭାବ, ପଦାରେ ପଡ଼ିଲା କୃଷିମନ୍ତ୍ରୀଙ୍କ ବାହୁସ୍ଫୋଟ

ଭୁବନେଶ୍ବର: ରାଜଧାନୀ ଖୁଚୁରା ବଜାରରେ ୧୨୦ ଟଙ୍କା ଛୁଇଁଛି ଟମାଟୋ ଦର। ଅନେକ ସ୍ଥାନରେ ଦର ୧୬୦ ଟଙ୍କାରେ ପହଞ୍ଚିଥିବା ମଧ୍ୟ ଅଭିଯୋଗ ହେଲାଣି। ସୋମବାର ଦିନ କେଜି ପ୍ରତି ୮୦, ରବିବାର ଦିନ ୭୦ ଟଙ୍କା ଥିଲା। ୧୦ ଦିନ ହେଲା ଦର ଏହିଭଳି ବଢ଼ିଯାଇ ଏକାଥରକରେ ୧୦୦ ଟଙ୍କା ଅତିକ୍ରମ କରିଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଏହିଭଳି ରହିଛି।

ଏପ୍ରିଲ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକରୁ ପର୍ଯ୍ୟାପ୍ତ ପରିମାଣରେ ଟମାଟୋ ଓଡ଼ିଶା ଆସିଥାଏ। ଦର ୩୦ ଟଙ୍କା ମଧ୍ୟରେ ରହିଥାଏ। ଚଳିତ ବର୍ଷ ଜୁନ୍‌ ମାସର ଦରବୃଦ୍ଧିର ସବୁ ରେକର୍ଡ ଭାଙ୍ଗି ଯାଇଥିବା କହିଛନ୍ତି ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ। ତାଙ୍କ ମତରେ, କର୍ଣ୍ଣାଟକର କୁଲାର, ମାଲୁର, ଚିନ୍ତାମଣି, ମଦନପଣି ସମେତ ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଫଳ ହୋଇନାହିଁ। ଏଥିଯୋଗୁଁ ବର୍ତ୍ତମାନ ସମୟରେ ଓଡ଼ିଶା ବଜାରକୁ ଯେତେ ପରିମାଣରେ ଟମାଟୋ ଆସିବା କଥା ତାହା ତ ଆସିପାରୁନାହିଁ, ଏପରିକି ରାଜ୍ୟର ଚାହିଦା ମଧ୍ୟ ପୂରଣ ହୋଇପାରୁନାହିଁ। ଟମାଟୋ କ୍ଷେତ୍ରରେ ଓଡ଼ିଶାର ଦୈନିକ ଚାହିଦା ୨୫୦୦ ମେଟ୍ରିକ୍‌ ଟନ୍‌। ସେଥିରୁ କେବଳ ଭୁବନେଶ୍ବର ବଜାରରେ ଦୈନିକ ୫୦୦ରୁ ୭୦୦ ମେଟ୍ରିକ୍‌ ଟନ୍‌ ବିକ୍ରି ହୁଏ। କିନ୍ତୁ ବର୍ତ୍ତମାନ ରାଜ୍ୟ ବଜାରକୁ ୨୫୦ରୁ ୩୦୦ ମେଟ୍ରିକ୍‌ ଟନ୍‌ ଆସୁଛି ଏବଂ ଭୁବନେଶ୍ବର ଭାଗରେ ୫୦ରୁ ୭୫ ଟନ୍‌ ରହୁଛି। ସେଥିରୁ ବି ଅଧିକାଂଶ ଟମାଟୋ ଅତି ନିମ୍ନମାନର ରହୁଛି। ତେଣୁ ଗ୍ରାହକ ମୁହଁ ଫେରାଇଛନ୍ତି। ଅନ୍ୟ ଜିଲ୍ଲାକୁ ଯୋଗାଣ ଆହୁରି କମିଯାଇଛି। ଆଗାମୀ ଦିନରେ ଏହି ସ୍ଥିତି ଆହୁରି ଜଟିଳ ହେବା ନେଇ ଅନୁମାନ ରହିଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ ଏହି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ପରିବା ଉତ୍ପାଦନର ବାହାସ୍ଫୋଟକୁ ପଦାରେ ପକାଇ ଦେଇଛି। ଗତ ବିଧାନସଭାରେ କୃଷି ମନ୍ତ୍ରୀଙ୍କ ପକ୍ଷରୁ ତଥ୍ୟ ଦିଆଯାଇଥିଲା ଯେ ପରିବା ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ। ରାଜ୍ୟରେ କେବଳ ୧୪ ଲକ୍ଷ ୩୩ ହଜାର ୪୬୧ ମେଟ୍ରିକ୍‌ ଟନ୍‌ର ଟମାଟୋ ଉତ୍ପାଦନ ହୁଏ। ଯାହାକି ସମୁଦାୟ ଦେଶ ମଧ୍ୟରେ ପଞ୍ଚମ ସର୍ବାଧିକ ଅଟେ। କିନ୍ତୁ ମାତ୍ର ମାସ କେଇଟା ମଧ୍ୟରେ ରାଜ୍ୟରେ ଟମାଟୋ ଉତ୍ପାଦନର ବାସ୍ତବ ଚିତ୍ର ପଦାକୁ ଆସିଛି। ଅନ୍ୟ ରାଜ୍ୟରେ ଫସଲହାନୀର ପ୍ରଭାବ ଓଡ଼ିଶାରେ ପଡ଼ୁଛି।

କୃଷି ବୈଜ୍ଞାନିକ କହିଛନ୍ତି ଯେ ରାଜ୍ୟରେ କେବଳ ରବିରେ ହିଁ ଟମାଟୋ ଚାଷ କରାଯାଏ। ବର୍ଷା କିମ୍ବା ଖରାରେ ଓଡ଼ିଶାରେ ଏହି ଚାଷ ହୁଏ ନାହିଁ। ଏଥିଯୋଗୁଁ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଓଡ଼ିଶା ଟମାଟୋର ମଜା କମ ଦରରେ ଗ୍ରାହକ ନେଇଥାଆନ୍ତି। ସଂରକ୍ଷଣ ସୁବିଧାର ଅଭାବ ଯୋଗୁଁ ଏହି ସମୟରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୁଅନ୍ତି। ଏପ୍ରିଲ୍‌ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କର୍ଣ୍ଣାଟକ, ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ନାସିକ୍‌ ଏବଂ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଛତିଶଗଡ଼ ଟମାଟୋ ଓଡ଼ିଶା ବଜାରକୁ କବ୍‌ଜା କରି ନେଇଥାଏ। ସେହିଭଳି ବର୍ଷ ତମାମ ଓଡ଼ିଶା ବଜାରରେ ବାହାର ରାଜ୍ୟର ଟମାଟୋ ଆଧିପତ୍ୟ ରହୁଥିବାରୁ ଡିଜେଲ୍‌ ଦର ବୃଦ୍ଧି ସହିତ ଅନ୍ୟ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଏଠାରେ ପଡ଼େ। କିନ୍ତୁ ଟମାଟୋ ଭଳି ଦେଶୀ ପରିବା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ଉଦ୍ୟାନ ବିଭାଗ କୌଣସି ଯୋଜନା ପ୍ରସ୍ତୁତ କରିନାହିଁ। ଏପରିକି ଓୟୁଏଟି ପକ୍ଷରୁ ଖରା ସହଣୀ ବିହନ ପ୍ରସ୍ତୁତ କରାଯାଉଥିବା କୃଷି ବୈଜ୍ଞାନିକମାନେ କହୁଥିଲେ ମଧ୍ୟ ଏହା ଚାଷୀଙ୍କ ପାଖରେ ପହଞ୍ଚୁନଥିବା ଏବଂ ବିକ୍ରିଜନିତ ସମସ୍ୟା ଯୋଗୁଁ ସେମାନେ ମଧ୍ୟ ଏହି ଚାଷ ପ୍ରତି ଆଗ୍ରହ ଦେଖାଉନଥିବା କୁହାଯାଉଛି। ପରିବା ବ୍ୟବସାୟୀଙ୍କର କହିବା ଅନୁସାରେ, ଅନ୍ୟ ପରିବା ଦର ମଧ୍ୟ ଆକାଶ ଛୁଇଁଛି। ଅର୍ଥାତ ବିନ୍ସ ୨୧୦, ପୋଟଳ ୮୦ରୁ ୧୦୦, ବାଇଗଣ ୬୦, କଲରା ୭୦, ବନ୍ଧା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଯୋଗୁଁ ଦର ଏତେ ବଢ଼ିଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର