ସଙ୍କଟରେ ଟ୍ରକ ମାଲିକଙ୍କ ଜୀବିକା

ଚଢ଼େଇଧରା: ଜେନାପୁର ଥାନା ଅଧୀନ ଚଢ଼େଇଧରା ନିକଟସ୍ଥିତ ମଧୁପୁର ବେଢ଼ା ଶ୍ରୀଗୁରୁ ଆଶ୍ରମରେ ଆଜି ଧର୍ମଶାଳା ଟ୍ରକ୍‌ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଟ୍ରକ୍‌ ମାଲିକ ବୈଠକରେ ଉପସ୍ଥିତ ରହି ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ୍‌ ପରିବହନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଧର୍ମଶାଳା ଟ୍ରକ୍‌ ମାଲିକ ସଂଘ ସଭାପତି ସୂର୍ଯ୍ୟମଣି ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବହୁ ଟ୍ରକ୍‌ ମାଲିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅଭିଯୋଗ ଅନୁଯାୟୀ, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଖଣି ସଂଲଗ୍ନ ୪/୫ଟି ପଞ୍ଚାୟତର ଟ୍ରକ୍‌ ମାଲିକ ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ପ୍ରଥମ ପ୍ରବେଶ ପ୍ରଥମେ ବୋଝେଇ ନୀତିକୁ ମାନୁନାହାନ୍ତି।

ପ୍ରଶାସନକୁ କରାୟତ କରି ମନଇଚ୍ଛା ନିଜଗାଡ଼ି ବୋଝେଇ କରୁଛନ୍ତି। ଖଣି ନିକଟ ଅଞ୍ଚଳର ମାଲିକ ମାସରେ ୩ରୁ ୪ଟ୍ରିପ ବୋଝେଇ କରୁଥିବା ବେଳେ ଧର୍ମଶାଳା ଅଂଚଳର ଟ୍ରକ୍‌ ଗୋଟିଏ ଟ୍ରିପ୍‌ ପାଉନାହିଁ। ବୋଝେଇ କରିବା ପାଇଁ ଗୋଟିଏ ଖଣିରୁ ଅନ୍ୟ ଖଣିକୁ ବୁଲିବା ଭିତରେ ରାସ୍ତା ଅବରୋଧ ନାମରେ ପ୍ରଶାସନ ପକ୍ଷରୁ କଳାତାଲିକା ଭୁକ୍ତ କରୁଛି। ୧୦ରୁ ୧୫ ଦିନ କଳା ତାଲିକାଭୁକ୍ତ ହେବା ସହ ଟ୍ରକ୍‌ ଚାଳକ ପ୍ରାୟ୫ ହଜାର ଟଙ୍କା ତେଲ ପୋଡ଼ି ବୋଝେଇ ନପାଇ ଘରକୁ ଫେରୁଥିବା ମାଲିକମାନେ ଅଭିଯୋଗ କରୁଛନ୍ତି। ଏପରି ଅବସ୍ଥା ଲାଗି ରହିଲେ ୨୦୦୪ ମସିହା ଘଟଣାର ପୁନରାବୃତ୍ତି ଘଟିପାରେ ବୋଲି ଟ୍ରକ୍‌ ମାଲିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଧର୍ମଶାଳା ଟ୍ରକ୍‌ ମାଲିକ ସଂଘ ସଭାପତିଙ୍କ କହିବାନୁସାରେ ବୋଝେଇକୁ ନେଇ ଉପୁଜିଥିବା ସମସ୍ୟା ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ କୌଣସି ସମାଧାନ ହେଉନାହିଁ କିମ୍ବା ଉଚ୍ଚ ନ୍ୟାୟଳୟଙ୍କ ଆଦେଶ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଟ୍ରକ୍‌ ମାଲିକଙ୍କ ପରିବାର ସହ ଚାଳକଙ୍କ ଜୀବନ ଓ ଜୀବିକା ସଂକଟରେ ବୋଲି ଅଭିଯୋଗ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟ୍ୟରେ ଏହାର ସ୍ଥାୟୀ ସମାଧାନ ନହେଲେ ଧର୍ମଶାଳା ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର