ଭଲ ଖବର: ପ୍ରଶାସନ କରିପାରିଲାନି, ଗ୍ରାମବାସୀ କଲେ ରାସ୍ତା ମରାମତି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଛକ ଠାରୁ ଚଣ୍ଡୀଗଡ଼ ଗ୍ରାମକୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ପିଚୁ ରାସ୍ତା କାମ କରାଯାଇଥିଲା ୧୯୪.୨୩ ଲକ୍ଷ ବ୍ୟୟ ଅଟକଳରେ ୨୦୧୫ ଜାନୁଆରି ୧୭ ତାରିଖ ଠାରୁ ୨୦୧୬ ଜାନୁଆରି ୧୬ ତାରିଖ ମଧ୍ୟରେ ନିର୍ମାଣ ସାରିବା କଥା। କିନ୍ତୁ ବହୁ ବିଳମ୍ବରେ ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ସମ୍ପୂର୍ଣ୍ଣ କଲେ। ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଖୁଣ୍ଟବନ୍ଧ ଛକ ଠାରୁ ଖୁଣ୍ଟବନ୍ଧ ଗ୍ରାମର ପ୍ରବେଶ ପଥ ପର୍ଯ୍ୟନ୍ତ ଏବଂ ଗ୍ରାମ ମୁଣ୍ଡରୁ ଶରଧାପୁର ଗ୍ରାମ ଦେଇ ଚଣ୍ଡୀଗଡ଼ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କଲେ। କିନ୍ତୁ ଗ୍ରାମ୍ୟ ମଧ୍ୟରେ ଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ସାମିଲ କରାଗଲା ନାହିଁ। ଦୀର୍ଘ ଦିନ ହେବ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଭାଙ୍ଗି ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଫଳରେ ଏହି ରାସ୍ତା ଦେଇ ଚଣ୍ଡିଗଡ଼, ଜଗନ୍ନାଥପୁର, ଖୁଣ୍ଟବନ୍ଧ, ବାଳଦୋହଲି, ସରଧାପୁର, ବନ୍ଦିରୀପାଳି ଗ୍ରାମର ଲୋକେ ପଂଚାୟତରୁ ରାସନ ସାମଗ୍ରୀ ଓ ଭତ୍ତା ପାଇଁ ଯିବା ଆସିବା ଏବଂ ଜିଲ୍ଲା ମୁଖ୍ୟାଲୟକୁ ଯିବା ଆସିବା କରୁଥିବା ଲୋକେ ଦୁର୍ଘଟଣାରେ ଶିକାର ହେଲେ। ଜଳ ନିଷ୍କାସନ ହୋଇ ପାରୁନଥିବା ବେଳେ କାଦୁଅ ଯୋଗୁଁ ବହୁ ସମସ୍ୟା ମଧ୍ୟରେ ଗତି କରୁଥିଲେ।

ରାସ୍ତା ମରାମତି ପାଇଁ ଗ୍ରାମବାସୀ ବହୁ ବାର ପଂଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ତାହା ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ। ଶେଷରେ ଶୁକ୍ରବାର ଗ୍ରାମବାସୀ ଏକତ୍ରିତ ହୋଇ ଘର ପ୍ରତି ଚାନ୍ଦ ବାହାର କରି ଗ୍ରାମ ମଧ୍ୟରେ ପଥର, ମାଟି ଓ ମରୁମ ପକାଇଲେ। ଏନେଇ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ବିଶ୍ୱଭୂଷଣ ମଳିକଙ୍କୁ ଯୋଗାଯୋଗ କରିବାରୁ ୧୫ ଲକ୍ଷ ଟଙ୍କାର ଏଷ୍ଟିମେଟ ଯାଇଛି। ଟେଣ୍ଡର ହେଲେ ଏହାର କାର୍ଯ୍ୟ କରାଯିବ ବୋଲି ସମ୍ବାଦକୁ ସୂଚନା ଦେଇଥିଲେ। ଏଥିରେ ଗ୍ରାମ୍ୟ ସଭାପତି ବଶିଷ୍ଠ ଗାଇଗୌରିଆ, ଅରବିନ୍ଦ କଳତା, ବେମକେଶ ଗିରି, ସଞ୍ଜୟ କର୍ଣ୍ଣ, ସରଯୁ କର୍ଣ୍ଣ, କାମଦେବ ମହାକୁଡ଼, ମୁରଲୀ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ଖିରୋଦ ମହାକୁଡ଼, ପ୍ରମୋଦ ମହାକୁଡ଼ ପ୍ରମୁଖ ସାମିଲ ହୋଇ ହାତରେ କୋଡ଼ି, ଶାବଳ ନେଇ ନିଜେ ରାସ୍ତାର ମରାମତି କରି ସମତୁଲ କଲେ, ଯାହା ପ୍ରଶାସନ ଦୀର୍ଘ ଦିନ ହେବ କରି ପାରିନାହିଁ, ଖୁଣ୍ଟବନ୍ଧ ଗ୍ରାମବାସୀ ତାହା କରି ଦେଖାଇଲେ। ଗ୍ରାମବାସୀଙ୍କ ଏହି ମହା ନିୟତା କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ପାଲଟିଲେ।

ସମ୍ବନ୍ଧିତ ଖବର