ଦୁର୍ଗମ ୫ଗାଁର ଗ୍ରାମବାସୀ ପ୍ରଶାସନକୁ ପ୍ରଶ୍ନ: ଆମ ମୌଳିକ ଅଧିକାରୀ ମିଳିବ କେବେ?

ଜୟପୁର: ଦେଶ ସ୍ୱାଧିନତାର ଆଉ କେତେ ବର୍ଷ ପରେ ଆମେ ଆମ ମୌଳିକ ସାମ୍ବିଧାନିକ ଅଧିକାର ପାଇବୁ ବୋଲି ଜୟପୁର ବ୍ଲକର ବାରିଣୀପୁଟର ଲାଟିଗୁଡା, ଛଡ଼ାପଦର, ଲଛମିପଦର, ଟାଙ୍ଗିନୀଗୁଡା ଓ ଡାଙ୍ଗରାବେଢ଼ା ୫ଟି ଦୁର୍ଗମ ଗାଁର ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏହି ୫ଟି ଗାଁର ଗ୍ରାମବାସୀ ମାନେ ବାରିଣୀପୁଟରୁ ଜୟପୁର ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରି ବ୍ଲକ କାର୍ଯ୍ୟାଳୟକୁ ଘେରି ଧାରଣା ଦେଇଥିଲେ। ସମାଜସେବୀ ବି.ହରିରାଓଙ୍କ ନେତୃତ୍ବରେ ଏହି ୫ଗାଁର ଗ୍ରାମବାସୀ ଆସିଥିଲେ।

ଏହି ପାଂଚଟି ଯାକ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିକ ନାହିଁ ।  ଖାଲଖମା,ପଥୁରିଆ ରାସ୍ତାରେ ବର୍ଷ ବର୍ଷ ଧରି ଲୋକେ ଯିବାଆସିବା କରୁଥିବା କହିଛନ୍ତି ଗ୍ରାମବାସୀ। ଏହି ଚାରି ଅପହଂଚ ଗାଁକୁ ଯିବାକୁ ହେଲେ ବାଇକ୍ କିମ୍ବା ଅଟୋ ଯିବା ତ ଦୁର କଥା ସାମାନ୍ୟ ବର୍ଷା ହେଲେ ଚାଳିକି ଯିବା କଷ୍ଠକର। ସରକାର ଗ୍ରାମାଂଚଳର ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରି ରାସ୍ତା ନିର୍ମାଣ କରୁଛନ୍ତି ସତ କିନ୍ତୁ ଏହି ଗାଁ ଗୁଡିକ ଭଲ ରାସ୍ତା ନାହିଁ। ରାସ୍ତା ନଥିବାରୁ ଭତ୍ତା ପାଇଁ ବୃଦ୍ଧ ଓ ବୃଦ୍ଧା, ପିଡିଏସ୍ ଚାଉଳ ଠିକକ୍ ନେବା ପାଇଁ ଏହି ଗାଁର ଲୋକେ ୧୦କିଲୋ ମିଟର ଦୂରରେ ଥିବା ବାରିଣୀପୁଟ ପଂଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ଯିବା ଆସିବା କରିବା ବହୁତ ମୁସ୍କିଲ ହେଉଛି। ଗର୍ଭବତୀ ମହିଳା, ଜରୁରୀ ରୋଗୀଙ୍କୁ ଭାର କିମ୍ବା ଦୋଳା କରି ଗ୍ରାମବାସୀ ମାନେ ବୋହି ବୋହି ତଳକୁ ଆଣିଥାନ୍ତି। ଗାଁରେ ପହଚିଂ ପାରୁ ନାହିଁ ଆମ୍ବୁଲାନସ୍ ।

ଲାଟିଗୁଡା ଗାଁରେ  ୭୦ ,ଛଡ଼ାପଦରରେ ୪୫, ଲଛମିପଦରରେ ୨୫, ଟାଙ୍ଗିନୀଗୁଡା ୨୫ ଓ ଡାଙ୍ଗରାବେଡ଼ାରେ ୨୦ ପରିବାର ବସବାସ କରୁଛନ୍ତି। ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ଜଙ୍ଗଲଜମିରେ ଚାଷ କରିବା ସହ ଏଠାରୁ ଜାଳେଣୀ କାଠ କିମ୍ବା ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରି ଏମାନେ ବହୁ କଷ୍ଠ ମଷ୍ଟରେ  ନିଜ ପରିବାରର ପ୍ରତିପୋଷଣକରି ଚଳି ଆସୁଛନ୍ତି । ଗାଁ ଗୁଡିକରେ ମୁନ୍ଦେ ଭଲ ପାଣି ମିଳୁନଥିବା ବେଳେ ନାଳ କିମ୍ବା ଚୁଆ ପାଣିକୁ ଛାଣି ଏମାନେ ପିଉଛନ୍ତି। ଅଙ୍ଗନୱାଡୀ କେନ୍ଦ୍ର ନଥିବା ବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ବିଦ୍ୟାଳୟ ବି ନାହିଁ।  ଏହି ପାଂଚ ଗାଁର  ୪୦  ପିଲା ପ୍ରାକଃବିଦ୍ୟାଳୟ ,  ୪୫ ଜଣ ପିଲା ପ୍ରାଥମିକ ବିଦ୍ୟାଳୟ ପିଣ୍ଡାବି ମାଡ଼ି ପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ରାସ୍ତା,ପାନୀୟ ଜଳଯୋଗାଣ, ଅଙ୍ଗନୱାଡୀ ଓ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ସରପଂଚ, ବିଡିଓ, ବିଧାୟକ, ପ୍ରଶାସନ ଆଦିଙ୍କୁ ଅଭିଯୋଗ କରି କରି ଥକ୍କି ପଡ଼ିଥିବା ଏହି  ଗ୍ରାମବାସୀମାନେ କହିଛନ୍ତି। ଦାବି ପୁରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଏହି ଗ୍ରାମବାସୀ ମାନେ କହିଛନ୍ତି।

 

 

 

ସମ୍ବନ୍ଧିତ ଖବର