ପରିବେଶ ସୁରକ୍ଷା ପାଇଁ ଆସାମ ସରକାରଙ୍କ ନିଆରା ପ୍ରୟାସ: ଗୋଟିଏ ଚାରା ରୋପଣ କଲେ ୧୦୦ ଟଙ୍କା
ଗଛ ୩ ବର୍ଷ ବଞ୍ଚିଲେ ୨୦୦ ଟଙ୍କା ପୁରସ୍କାର
ଗୌହାଟୀ: ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ରାଜ୍ୟର ସବୁଜିମାକୁ ସୁଦୃଢ଼ କରିବାପାଇଁ ଆସାମ ସରକାର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରେ ୧୦ ନିୟୁତ ଚାରା ରୋପଣ ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ସରକାର ଲୋକଙ୍କୁ ଏହି କାମ ପାଇଁ ପ୍ରୋତ୍ସାହିତ କରିବାକୁ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଗୋଟିଏ ଚାରା ରୋପଣ କଲେ ଜଣେ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଏବଂ ଯଦି ଏହା ୩ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଲା ତେବେ ୨୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗୁରୁବାର ଘୋଷଣା କରିଛନ୍ତି। ଶର୍ମା କହିଛନ୍ତି, ଯଦି ଚଳିତ ବର୍ଷ ଆମେ ସଫଳ ହେବା ତା’ହେଲେ ଆସନ୍ତା ବର୍ଷ ୨୦୨୪ ଅକ୍ଟୋବର ୨ରେ ୧ କୋଟି ଚାରା ରୋପଣ କରିବା। ଏହି ଚାରା ରୋପଣ ୱେବ ପୋର୍ଟାଲ୍ରେ ପଂଜିକୃତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ରାଜ୍ୟରେ ଗତ ୧୦ ଦିନ ଧରି ପ୍ରବଳ ଖରା ହେଉଛି। ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସ୍କୁଲ୍ ସମୟ ବଦଳାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମାତ୍ର ୨୦ ପ୍ରତିଶତ ଜଙ୍ଗଲ ଅଛି ଏବଂ ବାକି ଜଙ୍ଗଲ ଅଞ୍ଚଳକୁ ଜବରଦଖଲ କରାଯାଇଛି। ଏହାର ଅର୍ଥ ଆମେ ୨୦ ପ୍ରତିଶତ ଜଙ୍ଗଲ ନଷ୍ଟ କରିଦେଇଛୁ ଏବଂ ଲୋକମାନେ ବେଆଇନ ଭାବେ ଜଙ୍ଗଲ କାଟି ବସତି ସ୍ଥାପନ କରୁଛନ୍ତି। ଏବେ ଆମେ ଏହାର ଖରାପ ପ୍ରଭାବକୁ ଦେଖୁଛେ। ଗତ କିଛି ଦିନ ଧରି ତାପମାତ୍ରା ୩୮ ଡିଗ୍ରି ଅତିକ୍ରମ କରିଯାଇଛି। ଜଳବାୟୁ ପରିବର୍ତ୍ତନ ଅତି ଖରାପ ପ୍ରଭାବ ପକାଉଥିବାରୁ ଆମକୁ ଜଙ୍ଗଲ ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।