ଚରମ ଜଳବାୟୁ: ଦେଶରେ ୪ ମାସରେ ୨୩୩ ମୃତ୍ୟୁ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ୪ ମାସରେ ଚରମ ଜଳବାୟୁ ପାଇଁ ଦେଶରେ ୨୩୩ ଲୋକଙ୍କ ଜୀବନ ଯାଇଛି ଏବଂ ୦.୯୫ ନିୟୁତ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି। ସିଏସ୍‌ଇ (ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜସ୍ଥାନ ଓ ମହାରାଷ୍ଟ୍ରବାସୀ ସର୍ବା‌ଧିକ ୩୦ ଦିନ ଲେଖାଏଁ ଅତି କଠୋର ଜଳବାୟୁ ସ୍ଥିତି ସାମ୍ନା କରିଛନ୍ତି। ହିମାଚଳପ୍ରଦେଶରେ ୨୮, ମଧ୍ୟପ୍ରଦେଶରେ ୨୭ ଏବଂ ଦିଲ୍ଲୀରେ ୧୨ ଦିନ ଜଳବାୟୁ ସ୍ଥିତି ଅତି କଠୋର ଥିଲା। ଚଳିତ ବର୍ଷ ଜାନୁଆରିରୁ ଏପ୍ରିଲ ମଧ୍ୟ‌ରେ ୨୩୩ ଜଣଙ୍କ ମୃତ୍ୟୁ ‌ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ୮୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଏହି ସମୟରେ ୫୮ ଥର ଘଡ଼ଘଡ଼ି ସହ କାଳବୈଶାଖୀ ହୋଇଛି। ଅନ୍ୟପକ୍ଷେ ଗତବର୍ଷ ୩୫ଟି ଦିନରେ ଏହି ସ୍ଥିତି ଦେଖିବାକୁ ମିଳିଥିଲା।

୪ ମାସରେ ଦେଶରେ ମାତ୍ର ୧୫ ଦିନ ଗ୍ରୀଷ୍ମଲହର ସ୍ଥିତି ରେକର୍ଡ କରାଯାଇଛି। ଗତବର୍ଷ ଦେଶରେ ୪୦ ଦିନ ଗ୍ରୀଷ୍ମଲହର ସ୍ଥିତି ଥିଲା। ଲଗାତାର ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ଚଳିତ ବର୍ଷ କମ୍‌ ଦିନ ଗ୍ରୀଷ୍ମଲହର ଅନୁଭୂତ ହୋଇଛି। ୨୦୨୨ରେ ଦେଶରେ ୩୧୪ ଦିନରେ ଜଳବାୟୁ ସ୍ଥିତି ଅତି କଠୋର ଥିଲା। ଏଥିଯୋଗୁଁ ୩,୦୨୬ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧.୯୬ ନିୟୁତ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ଚରମ ଜଳବାୟୁ ଏବଂ ପାଣିପାଗ ପାଇଁ ୧୯୭୦ରୁ ୨୦୨୧ ମଧ୍ୟରେ ଦେଶରେ ମୋଟ ୫୭୩ଟି ବିପର୍ଯ୍ୟୟ ହୋ‌ଇଛି। ଏଥିଯୋଗୁଁ ୧,୩୮,୩୭୭ ଲୋକଙ୍କ ଜୀବନ ଯାଇଛି।

ସମ୍ବନ୍ଧିତ ଖବର