ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଗାଁର କେହି ବର ଶୋଭାଯାତ୍ରା କରନ୍ତି ନାହିଁ। ଗାଁର କୌଣସି ଯୁବକ ବାହା ହେଲେ ବରଯାତ୍ରୀ ଶୋଭାଯାତ୍ରାରେ ଯାଆନ୍ତି ନାହିଁ କି ଗାଁର କୌଣସି ଝିଅ ବାହାହେଲେ ସେ ଗାଁରୁ ବର ଶୋଭାଯାତ୍ରାରେ ଆସେ ନାହିଁ। ଏହି ନିୟମ ପିଢ଼ି ପରେ ପିଢ଼ି ପାଳନ କରି ଆସିଛନ୍ତି। ବଲାଙ୍ଗୀର ସହର ଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ଏହି ଗାଁର ନାମ ହେଉଛି ଜାମସର। ଜାମସର ପୁଇନ୍ତଲା ବ୍ଲକ୍ ଛତାମଖନା ପଞ୍ଚାୟତର ଏକ ଗାଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁଟି ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥକୁ ଲାଗି କରିରହିଛି। ସହରଠାରୁ ଏତେ ନିକଟରେ ଥିଲେ ମଧ୍ୟ ଗ୍ରାମରେ କେଉଁ କାଳରୁ ଗାଁରେ ଥିବା ଗ୍ରାମ୍ୟଦେବତୀ ମା’ ବସ୍ତ୍ରେନକୁ ସମସ୍ତେ ମାନିଥାନ୍ତି। ମା’ଙ୍କ କୋପ ହେଉଥିବାରୁ ଯେତେ ଧନୀ ହୁଅନ୍ତୁ କି ଶିକ୍ଷିତ ସମସ୍ତେ ଏହି ନିୟମରେ ବାନ୍ଧି ହୋଇ ରହି ଆସିଛନ୍ତି। ଆଜି ପର୍ଯ୍ୟନ୍ତ କେହି କେବେ ଏହି ନିୟମକୁ ଭାଙ୍ଗି ନାହାନ୍ତି। ଯଦି କେହି କେବେ ଏହାକୁ ଅମାନ୍ୟ କରିଛନ୍ତି ତାଙ୍କ ଉପରେ ବିପଦ ମାଡ଼ି ବସିଥିବା ଗ୍ରାମବାସୀ କହନ୍ତି। ଏହି ବିଜ୍ଞାନ ଯୁଗରେ ସଭ୍ୟତା ବହୁ ଆଗକୁ ଚାଲି ଯାଇଥିଲେ ମଧ୍ୟ ଏହି ଗ୍ରାମରେ ଥିବା ଏହି ନିୟମ ବା ପରମ୍ପରାକୁ ଅମାନ୍ୟ କରିବା ପାଇଁ ଆଜିବି କେହି ସାହସ ଜୁଟାଇ ପାରିନାହାନ୍ତି। ଏହି ଗାଁ ଅଧୀନରେ ଥିବା ପଡ଼ାଗାଁ ପ୍ରଧାନପାଲି ଓ ବେଲବାହାଲିଠାରେ ମଧ୍ୟ ଲୋକେ ଏହି ନିୟମକୁ ମାନି ଆସୁଛନ୍ତି।
ଏ ନେଇ କ’ଣ କହନ୍ତି ଗ୍ରାମବାସୀ
ଗଙ୍ଗାଧର ନାଗ: ଏହି ଗାଁରେ ମୋର ଜନ୍ମ। ମତେ ଏବେ ୮୫ ବର୍ଷ ବୟସ ହେଉଛି। ମୋର ବାପା-ଅଜା ସମୟରୁ ଏହି ନିୟମକୁ ପାଳି ଆସୁଛୁ। ଆମର ୫ ଭାଇ ସମସ୍ତଙ୍କ ପରିବାର ଏଠାରେ ରୁହନ୍ତି। ମୁଁ ରେଲୱେରେ ଚାକିରି କରୁଥିବାରୁ ବାହାରେ ରହୁଥିଲି। ତେବେ ଗ୍ରାମଦେବୀଙ୍କୁ ମାନି ପୁଅଝିଅଙ୍କୁ ବାହା କରିବା ସମୟରେ ଗାଁର ଥିବା ନିୟମକୁ କେବେ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରି ନଥିଲି।
ଜଗନ୍ନାଥ ସିକ୍କା: ମା ବସ୍ତ୍ରେନ ସବୁବେଳେ ଗାଁର ମଙ୍ଗଳ କରନ୍ତି। କିନ୍ତୁ ତାଙ୍କ ଆଗରେ ନାଚଗୀତ କରି ବରାତ ଗଲେ ସେ ତାକୁ ସହ୍ୟ କରି ପାରନ୍ତି ନାହିଁ। ମୁକୁଟ ପିନ୍ଧି କେହିବି ଆଜି ପର୍ଯ୍ୟନ୍ତ ଗାଁରୁ ବାହାରି ପାରିନାହିଁ। ମୁକୁଟ ପିନ୍ଧିଲେ ଅଘଟଣ ନିଶ୍ଚିତ ଘଟିଥାଏ। ମାଙ୍କୁ ଅମାନ୍ୟ କରି ବରାତ ବାହାରିଥିବା ବହୁ ବ୍ୟକ୍ତିଙ୍କ ତାର ପରିଣାମ ଭୋଗ କରିଥିବା ଅନେକ ପ୍ରମାଣ ରହିଛି। ଗାଁରେ ଗୋଟିଏ ଦିନରେ ଏକାଧିକ ବାହାଘର ମଧ୍ୟ ହୁଏ ନାହିଁ। ଗୋଟିଏ ଦିନରେ ଦୁଇଟି ଶୁଭକାର୍ଯ୍ୟ ଏକାସାଙ୍ଗେ କେବେ ମଧ୍ୟ କରାଯାଏ ନାହିଁ।
ମେହେରଚାନ୍ଦ ନାଗ: ଏହା ଅନ୍ଧବିଶ୍ବାସ ହେଉ କି ସତ ହେଉ ଏହା ଉପରେ ଅନେକ ବିତର୍କ ହୋଇଛି। ବାହାରୁ ଅନେକ ଗୁଣିଗାରେଡ଼ି ଜାଣିଥିବା ବ୍ୟକ୍ତି, ଜ୍ୟୋତିଷ ଆସି ଏହି ନିୟମ ବନ୍ଦ କଲେ କିଛି ହେବ ନାହିଁ ବୋଲି କହିଥିଲେ ମଧ୍ୟ ତାକୁ ମାନିବା ପାଇଁ କେହି ସାହାସ କରନ୍ତି ନାହିଁ। ବହୁ ବ୍ୟକ୍ତି ଏହା ଉପରେ ଗ୍ୟାରେଣ୍ଟି ଦେଉଥିବା ବେଳେ ସେ ଗାଁରେ ଆସି ତାଙ୍କ ପୁଅର ବରାତ ବାହାର କରନ୍ତୁ ବୋଲି କହିଲେ ସେ ମଧ୍ୟ ସାହାସ କରନ୍ତି ନାହିଁ।
ସୁଦର୍ଶନ ଭୁଏ: ଏହି ଗ୍ରାମରେ କେବଳ ବିବାହ ଉତ୍ସବରେ ନୁହେଁ ଚାଷବାସ ବେଳେ ମଧ୍ୟ ବହୁ ନିୟମ ମାନିବାକୁ ପଡ଼ିଥାଏ। ଗ୍ରାମର ପ୍ରାୟ ସମସ୍ତେ ଚାଷୀ ହୋଇଥିବା ବେଳେ ଚାଷ କାର୍ଯ୍ୟରେ ଗଲାବେଳେ ମଧ୍ୟ ସେମାନେ ମା’ଙ୍କ ରୀତିନୀତିକୁ ପାଳନ କରିଥାନ୍ତି। ଚାଷ ବେଳେ କାଦୋଯାତ୍ରା ଅନୁଷ୍ଠିତ ହୋଇଥାଏ। କାଦୋଯାତ୍ରା ନହେବା ପର୍ଯ୍ୟନ୍ତ ପହ୍ଲା ରୋଇବା ସମୟରେ ଉପବାସ ରହିଥାନ୍ତି।