ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ବର: ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାର କାର୍ଡ ଥାଉ ବା ନ ଥାଉ ପିଲାମାନଙ୍କୁ ସ୍କୁଲ୍‌ରେ ନାମ ଲେଖାଇବାକୁ ଅନୁମତି ଦିଆଯିବ। ଯେଉଁ ଛାତ୍ରଛାତ୍ରୀଙ୍କର ଆଧାର କାର୍ଡ ନଥିବ, ସେମାନେ ସ୍କୁଲରେ ନାଁ ଲେଖାଇସାରିବା ପରେ କିଭଳି ଆଧାର କାର୍ଡ ପାଇବେ, ସେଦିଗରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲାର ବିଭିନ୍ନ ଅଫିସ୍‌ ସହ ଯୋଗାଯୋଗ କରି ବ୍ୟବସ୍ଥା କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ନିର୍ଦ୍ଦେଶ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଅବଗତ କରିବାକୁ କହିଛନ୍ତି।

ସଚିବ ଶ୍ରୀମତୀ ଅଶ୍ବଥୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି। ଆବଶ୍ୟକ ଦୃଷ୍ଟିରୁ କେତେକ ବିଦ୍ୟାଳୟରେ ଏବେ ବି ନାମଲେଖା ଜାରି ରହିଛି। ତେଣୁ ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ତା’ସତ୍ତ୍ବେ ବି କିଛି ସ୍କୁଲରେ ପ୍ରଧାନଶିକ୍ଷକମାନେ ନାମଲେଖା ପାଇଁ ପିଲାମାନଙ୍କ ଆଧାର କାର୍ଡ ଦାଖଲ କରିବାକୁ ଅଭିଭାବକଙ୍କୁ କହୁଥିବା କଥା ସାମ୍ନାକୁ ଆସିଛି। ତେ‌ଣୁ ଏଠାରେ ସ୍ପଷ୍ଟ କରାଯାଉଛି ଯେ ଆଧାର କାର୍ଡ ଥାଉ କି ନ ଥାଉ ଛାତ୍ରଛାତ୍ରୀଙ୍କ ନାମଲେଖା କରିବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ। ଏହି ନିର୍ଦ୍ଦେଶ ପରେ ଯଦି କୌଣସି ସ୍କୁଲରେ ନାମଲେଖା ପାଇଁ ପିଲାଙ୍କୁ ଆଧାର କାର୍ଡ ମଗାଯାଏ, ତା’ହେଲେ ଏହାକୁ ଗମ୍ଭୀରତାର ସହିତ ନିଆଯିବ।

ସମ୍ବନ୍ଧିତ ଖବର